Latest Odisha News

BREAKING NEWS

ଯାଜପୁରରେ ବନ୍ଦର ପ୍ରଭାବ: ଗାଡି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ

ଯାଜପୁର: କେନ୍ଦ୍ର ସରକାରଙ୍କ ବିରୋଧରେ ମିଳିତ କେନ୍ଦ୍ର ଟ୍ରେଡ ୟୁନିୟନ ପକ୍ଷରୁ ଆଜି ଦିନିକିଆ ଭାରତ ବନ୍ଦ ପାଳନ କରାଯିବା ସହ ଧର୍ମଘଟ କରାଯାଇଛି । ଏହାର ପ୍ରଭାବ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ।

ଜିଲ୍ଲା ସଦର ମହକୁମା ଏବଂ ବ୍ୟାସନଗର ପୌରାଞ୍ଚଳ ସମେତ ଚଣ୍ଡିଖୋଲ, ବଡଚଣା, ପାଣିକୋଇଲି, କୁଆଖିଆ, ବରୀ, ବିଂଝାରପୁର, ଦଶରଥପୁର, କଳିଙ୍ଗନଗର ଓ ସୁକିନ୍ଦା ଖଣି ଅଞ୍ଚଳରେ ବିଭିନ୍ନ ଟ୍ରେଡ଼ ୟୁନିଅନ ପକ୍ଷରୁ ପିକେଟିଂ କରାଯାଇଛି ।

ସହର ମଧ୍ୟରେ ମଧ୍ୟ ଗାଡି ଚଳାଚଳକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଉଛି । ବନ୍ଦ ଯୋଗୁଁ ଜିଲ୍ଲାପାଳ ଆଜି ପାଇଁ ଜିଲ୍ଲାର ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ ଘୋଷଣା କରିଛନ୍ତି ।

ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପୋଲିସ ପ୍ରଶାସନ କଡା ନଜର ରଖିଛି । ବିଭିନ୍ନ ସ୍ଥାନରେ ବନ୍ଦ ପାଳନ ଦେଖିବାକୁ ମିଳିଛି । ଏହାକୁ ସଫଳ କରିବା ପାଇଁ ଯାଜପୁର ରୋଡ ଏବଂ ଧାନମଣ୍ଡଳ ରେଳଷ୍ଟେସନରେ ମଧ୍ୟ ଟ୍ରେଡ ୟୁନିୟନ ପକ୍ଷରୁ ରେଳରୋକ କରାଯାଇଥିଲା ।

ସେପଟେ ବନ୍ଦ ପାଳନର ପ୍ରଭାବରେ ଜିଲ୍ଲାର୍ ବିଭିନ୍ନ ରେଳଷ୍ଟେସନ ଏବଂ ବସଷ୍ଟାଣ୍ଡ ମାନଙ୍କରେ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ନଜରକୁ ଆସିଛି ।

ସୂଚନାଯୋଗ୍ୟ, ବେକାରୀ ସମସ୍ୟା ଦୁରୀକରଣ, ଦରଦାମ ବୃଦ୍ଧି ନିୟନ୍ତ୍ରଣ ଭଳି ବିଭିନ୍ନ ଦାବୀ ନେଇ ଟ୍ରେଡ଼ ୟୁନିଅନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।

Leave A Reply

Your email address will not be published.