Latest Odisha News

BREAKING NEWS

ମେ’୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡା: ମେ’ ୧ରୁ ୩ ମାସ ଯାଏ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ । କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ୩ ମାସ ବନ୍ଦ ରହିବା ନେଇଁ ସୂଚନା ରହିଛି । ଭିତରକନିକାରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଖେଇ ଆସୁଛି । ଯାହାକୁ ଦୃଷ୍ଟିରେ ରଖି କୁମ୍ଭୀର ଏବଂ ପର୍ଯ୍ୟଟକଙ୍କର ସୁରକ୍ଷା ପାଇଁ ରାଜନଗର ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

୩ମାସ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକ ଜାତୀୟ ଉଦ୍ୟାନ ଭିତରକନିକାକୁ ପ୍ରବେଶ କରିପାରିବେ ନାହିଁ । ଏହି ୩ମାସ ଭିତରକନିକା ଭିତରେ ବୋଟ ଚଳାଚଳ କରିବ ନାହିଁ କାରଣ ବୋଟ ଚଳାଚଳ କରିବା ଦ୍ବାରା କୁମ୍ଭୀରମାନଙ୍କ ମିଳନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ । କୁମ୍ଭୀରମାନଙ୍କ ମିଳନ ପ୍ରକ୍ରିୟା ପରେ ମା’ କୁମ୍ଭୀରମାନେ ଅଣ୍ଡାଦାନ କରିଥାନ୍ତି । ଅଣ୍ଡାଦାନ କରିବା ପରେ ଛୁଆ ଫୁଟିବା ଯାଏଁ ଅଣ୍ଡା ଦେଇଥିବା ବସାକୁ ଜଗି ରହିଥାନ୍ତି ମା’କୁମ୍ଭୀର ।

ଅଣ୍ଡାଦାନ ପରେ ମା’ କୁମ୍ଭୀରମାନେ ଅଧିକ ହିଂସ୍ର ହେବା ସହ ଆକ୍ରମଣ କରିବାର ସମ୍ଭାବନା ଥାଏ । ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ତିନିମାସ ଭିତରକନିକା ବନ୍ଦ ରହିଥାଏ । ଅନ୍ୟପଟେ ଭିତରକନିକା ସଂଲଗ୍ନ ନଦୀକୂଳିଆ ଗ୍ରାମବାସୀ ସତର୍କତାର ସହିତ ନଦୀରେ ଚଳପ୍ରଚଳ ହେବା ପାଇଁ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ । ତେବେ ଆସନ୍ତା ଅଗଷ୍ଟ ୧ ତାରିଖରେ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ।

Leave A Reply

Your email address will not be published.