ଭୁବନେଶ୍ବର: ଜାଳି ମାରିବ ମାର୍ଚ୍ଚ ତାତି । ମାର୍ଚ୍ଚ ଅଧା ନ ହେଉଣୁ ପାରଦ ୪୦ ଛୁଇଁଲାଣି । ଗତକାଲି ପାରଦ ୪୦ ପାର ହୋଇଥିବା ବେଳେ ଆଜି ମଧ୍ୟ ସମଗ୍ର ରାଜ୍ୟରେ ନିଆଁ ବର୍ଷୁଛି । କୁହାଯାଉଛି ଆଗାମୀ ସପ୍ତାହରେ ମଧ୍ୟ ପାରଦ ଅନେକଥର ୪୦ ଛୁଇଁବ । ରାଜ୍ୟର ପ୍ରମୁଖ ସହର ଝାରସୁଗୁଡା ଏବଂ ଟିଟିଲାଗଡ ତାତିରେ ରେକର୍ଡ ପାର୍ କରିଥିବା ବେଳେ ଏବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୭ ଡିଗ୍ରୀ ପାର କରିଛି । ଆଜି ଦିନ ୨.୩୦ ସୁଦ୍ଧା ରାଜଧାନୀରେ ତାପମାତ୍ରା ୩୭ ଡିଗ୍ରୀ ପାର କରିଛି । ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ବର ତାପମାତ୍ରା ୩୭.୪ ଡିଗ୍ରୀ ରେକର୍ଡ କରିଛି । ସେହିପରି ଝାରସୁଗୁଡା ଓ ସମ୍ବଲପୁରରେ ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ ହୋଇଛି । ଅନ୍ୟପକ୍ଷରେ ରାଉରକେଲାରେ ୩୯, ହୀରାକୁଦରେ ୩୮.୮, ଚାନ୍ଦବାଲିରେ ୩୭.୪ ଓ କେନ୍ଦୁଝରରେ ୩୬.୬ ଡିଗ୍ରୀ ରହିଛି ତାପମାତ୍ରା ରେକର୍ଡ ହୋଇଛି ।
ସେପଟେ ଆଜିଠୁ ୪ଦିନ ପାଇଁ ରାଜ୍ୟରେ ହିଟ୍ ଓ୍ବେଭ୍ ନେଇ ସତର୍କତା ଜାରି ହୋଇଛି । ରାଜ୍ୟରେ ବର୍ତ୍ତମାନ ଉପକୂଳରୁ ଉପାନ୍ତ, କେଉଁଠି ତାତିରୁ ତ୍ରାହି ନାହିଁ । ପ୍ରଚଣ୍ଡ ରୌଦ୍ର ତାପ ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ପଶ୍ଚିମ ଓଡିଶାରେ ମଧ୍ୟ ହିଟ୍ ଓ୍ବେଭକୁ ନେଇ ଆଲର୍ଟ ଜାରି କରାଯାଇଛି । ଏଥର ହୋଲି ବି ଟାଣ ଖରାରେ ପାଳିବେ ରାଜ୍ୟବାସୀ ।
ଏନେଇ ଆସନ୍ତା ୪ ଦିନ ଅର୍ଥାତ୍ ୧୪, ୧୫ ଏବଂ ୧୬ ତାରିଖରେ ପ୍ରବଳ ଖରା ନେଇ ୟେଲୋ ଏବଂ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡ଼ା ବ୍ୟତୀତ ଆଭ୍ୟନ୍ତରୀଣ ଓଡ଼ିଶାର ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୪ରେ ପ୍ରବଳ ଖରା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର ଓ ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୫ରେ ସୁନ୍ଦରଗଡ଼, ସୋନପୁର, ଅନୁଗୁଳ, ବରଗଡ଼ ଓ ମଯୂରଭଞ୍ଜକୁ ଏବଂ ୧୬ରେ ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ସୁନ୍ଦରଗଡ଼ ଓ ମଯୂରଭଞ୍ଜ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୪ରୁ ୫ ଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏଁ ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
Comments are closed.