ଭୁବନେଶ୍ୱର: ଆଜିକାଲି ଘରେ ବସି ଅନଲାଇନ୍ ମାଧ୍ୟମରେ ସପିଂ କରିବା ଲୋକଙ୍କ ପାଇଁ ଅତି ସାଧାରଣ କଥା ହୋଇଗଲାଣି। ହେଲେ ବେଳେବେଳେ ଏହି ସୁବିଧାଜନକ ଅନଲାଇନ୍ ସପିଂ ଗ୍ରାହକଙ୍କୁ ଏମିତି ଚକମା ଦେଉଛି ଯେ, ଯାହାକୁ ଦେଖିଲେ ଆପଣଙ୍କର ବି ଅକଲ ଗୁଡୁମ୍ ହୋଇଯିବ। ରାଜଧାନୀ ଭୁବନେଶ୍ୱରରେ ଏବେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ତଥା ଉଦ୍ବେଗଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଅନଲାଇନ୍ରେ ଗୋଟିଏ ସ୍ପିକର ଏବଂ ମାଇକ୍ରୋଫୋନ୍ ସେଟ୍ ଅର୍ଡର କରିଥିବା ବେଳେ, ପାର୍ସଲ୍ ବାକ୍ସ ଭିତରୁ ବାହାରିଛି ଏକ ବିରାଟ ମାଟି ପଥର।
ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ଜିଜିପି କଲୋନୀ ଅଞ୍ଚଳର ଆରତୀ ଦାସ ନାମକ ଜଣେ ମହିଳା ଏକ ଇ-କମର୍ସ ପ୍ଲାଟଫର୍ମରୁ ଡିଜେ ବକ୍ସ ଏବଂ ମାଇକ୍ ଅର୍ଡର କରିଥିଲେ। ସୋମବାର ଦିନ ଡେଲିଭରୀ ଏଜେଣ୍ଟ ପାର୍ସଲ୍ ନେଇ ତାଙ୍କ ଘରେ ପହଞ୍ଚିଥିଲେ। କମ୍ପାନୀର ନିୟମ ଅନୁଯାୟୀ ତାହା ଏକ ‘ଓପନ୍ ବକ୍ସ ଡେଲିଭରୀ’ ଥିଲା, ଅର୍ଥାତ୍ ଗ୍ରାହକଙ୍କ ସାମ୍ନାରେ ବାକ୍ସ ଖୋଲି ଜିନିଷ ଦେଖାଇବାର ବ୍ୟବସ୍ଥା ରହିଥିଲା। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି, ଡେଲିଭରୀ ବୟଙ୍କ ଉପସ୍ଥିତିରେ ଯେତେବେଳେ ବାକ୍ସର କଭର୍ ଖୋଲି ଦେଖାଗଲା, ସେଥିରେ ଅର୍ଡର କରାଯାଇଥିବା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବଦଳରେ ଏକ ମାଟି ତିଆରି ପଥର ରଖାଯାଇଥିଲା। ପାର୍ସଲ୍ର ଏଭଳି ଅବସ୍ଥା ଦେଖି ଆରତୀଙ୍କ ସମେତ ଉପସ୍ଥିତ ସମସ୍ତେ ତାଜୁବ୍ ହୋଇଯାଇଥିଲେ।
ଏହି ଘଟଣା ନେଇ ଆରତୀ ସଙ୍ଗେ ସଙ୍ଗେ ସମ୍ପୃକ୍ତ ଇ-କମର୍ସ କମ୍ପାନୀ ସହ ଯୋଗାଯୋଗ କରି ଅଭିଯୋଗ ଜଣାଇଥିଲେ। କମ୍ପାନୀ ପକ୍ଷରୁ ଅଭିଯୋଗର ଯାଞ୍ଚ କରାଯିବା ପରେ ଟଙ୍କା ଫେରସ୍ତ କରାଯିବ ବୋଲି ତାଙ୍କୁ ଆଶ୍ୱାସନା ଦିଆଯାଇଥିଲା। କିନ୍ତୁ ପ୍ରତିଶ୍ରୁତି ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ କୌଣସି ଟଙ୍କା ଆସିନଥିବା ସେ ଅଭିଯୋଗ କରିଛନ୍ତି। କମ୍ପାନୀର ଏଭଳି ଟାଳଟୁଳ ନୀତି ଏବଂ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରି ଆରତୀ ଶେଷରେ ମଞ୍ଚେଶ୍ୱର ଥାନାର ଦ୍ୱାରସ୍ଥ ହୋଇ ଏକ ଲିଖିତ ଏତଲା ଦେଇଛନ୍ତି।
ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଆରତୀ କ୍ଷୋଭର ସହ କହିଛନ୍ତି, “ସେମାନେ ଲୋକଙ୍କୁ ଏମିତି ହଇରାଣ କରିବା କ’ଣ ଠିକ୍? ଯଦି ଗୋଟିଏ ଖୋଲା ବାକ୍ସ ଭିତରେ ଗୋଟିଏ ବଡ଼ ପଥର ଆସିପାରୁଛି, ତେବେ କାଲି ସକାଳେ କେହି ବୋମା ମଧ୍ୟ ପଠାଇଦେଇପାରେ। ଏମିତି ହେଲେ ଲୋକେ କାହାକୁ ବିଶ୍ୱାସ କରିବେ ଆଉ କିପରି ଅନଲାଇନ୍ ସପିଂ କରିବେ?”
ଏହି ଘଟଣା ଅନଲାଇନ୍ ସପିଂ ଠକେଇର ଆଉ ଏକ ନଗ୍ନ ଚିତ୍ରକୁ ସାମ୍ନାକୁ ଆଣିଥିବା ବେଳେ, ଗ୍ରାହକମାନେ ନିଜ ପାର୍ସଲ୍ ଗ୍ରହଣ କରିବା ବେଳେ କେତେ ସତର୍କ ରହିବା ଆବଶ୍ୟକ ତାହା ସ୍ପଷ୍ଟ କରିଛି। ମଞ୍ଚେଶ୍ୱର ପୋଲିସ ଏହି ଅଭିଯୋଗର ତଦନ୍ତ ଆରମ୍ଭ କରିବାକୁ ଯାଉଥିବା ବେଳେ ଖବର ଲେଖାହେବା ସୁଦ୍ଧା ପୋଲିସ ପକ୍ଷରୁ କୌଣସି ବିଧିବଦ୍ଧ ପ୍ରତିକ୍ରିୟା ମିଳିପାରିନାହିଁ।