Latest Odisha News

ଅର୍ଥ ହିଁ ଅନର୍ଥ

ବିଲୁପ୍ତି ବିପ୍ଳବ

ଅର୍ଥ ହିଁ ଅନର୍ଥ

ସୁଦର୍ଶନ ଦାସ

ପୃଥିବୀ ସ୍ଥିର ଓ ସୂର୍ଯ୍ୟ ତା’ଚାରିପଟରେ ବୁଲୁଛି ନା ସୂର୍ଯ୍ୟ ସ୍ଥିର ଆଉ ପୃଥିବୀ ତା’ ଚାରିପଟେ ବୁଲୁଛି? – ଏହି ପ୍ରଶ୍ନଟି ୧୬ଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ସମଗ୍ର ମାନବ ଜଗତକୁ ଆଚ୍ଛାଦିତ କରିଥିଲା । ୧୬୪୩ ମସିହାରେ ପୋଲାଣ୍ଡର ଜ୍ୟୋତିଷଶାସ୍ତ୍ରୀ ନିକୋଲସ୍ କର୍ପନିକସ୍ ‘ମହାଜାଗତିକ ବିପ୍ଳବ’ ସମ୍ପର୍କରେ ଏକ ପୁସ୍ତକ ପ୍ରକାଶ କଲେ ଯେଉଁଥିରେ ପ୍ରମାଣ କରି ଦେଖାଇଲେ ଯେ, ସୂର୍ଯ୍ୟ ସ୍ଥିର ରହିଛି ଏବଂ ପୃଥିବୀ ତା’ ଚାରିପଟରେ ବୁଲୁଛି । ତାଙ୍କର ଏହି ଆବିଷ୍କାର ମଣିଷର ଚିନ୍ତା ଜଗତକୁ ଗଭୀର ଭାବରେ ପ୍ରଭାବିତ କରିଥିଲା । ସୂର୍ଯ୍ୟ ଏବଂ ପୃଥିବୀକୁ ନେଇ ପୂର୍ବର ଧ୍ୟାନ ଧାରଣାର ପରିବର୍ତ୍ତନ ହେଲା ଏବଂ ଏକ ବିଜ୍ଞାନ ସମ୍ମତ ଧ୍ୟାନ ଧାରଣାର ଉଦ୍ରେକ ହେଲା । ଷୋଡ଼ଶ ଶତାବ୍ଦୀର ଏହା ଥିଲା ଚିନ୍ତା ଜଗତକୁ ଦୋହଲାଇ ଦେଲା ଭଳି ଏକ ସିଦ୍ଧାନ୍ତ । ଏହା ଏକ ନୂତନ ବିଶ୍ୱ ଦୃଷ୍ଟିଭଙ୍ଗୀକୁ ଜନ୍ମ ଦେଇଥିଲା ।

ଏବେ ଏକବିଂଶ ଶତାବ୍ଦୀ ସେହିଭଳି ଏକ ବିଶ୍ୱ ଦୃଷ୍ଟିଭଙ୍ଗୀ ପରିବର୍ତ୍ତନର ଆଭାସ ଦେଉଛି । ଯେଉଁ ପ୍ରଶ୍ନ ଉପରେ ଏହି ବିଶ୍ୱ ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ହେବାକୁ ଯାଉଛି, ତାହା ହେଉଛି, “ଅର୍ଥନୀତି ଆଗ ନା ପରିବେଶ?” “ପରିବେଶ ଅର୍ଥନୀତିର ଏକ ଅଂଗ ନା ଅର୍ଥନୀତି ପରିବେଶର ଏକ ଅଙ୍ଗ” ଏହି ପ୍ରଶ୍ନଟି ହେଉଛି ଧରିତ୍ରୀ ଓ ଅର୍ଥନୀତିର ସମ୍ପର୍କକୁ ନେଇ । ଏହି ପ୍ରଶ୍ନର ସଠିକ୍ ଉତ୍ତର ଖୋଜିବା ଏବଂ ଧରିତ୍ରୀ ଓ ଅର୍ଥନୀତି ଭିତରେ ଥିବା ସମ୍ପର୍କକୁ ସଠିକ୍ ଭାବରେ ନିରୂପଣ କରିବା ଆଜି ଦିନରେ ମାନବ ସମାଜ ଆଗରେ ଏକ ଆହ୍ୱାନ । ଏହି ଆହ୍ୱାନ ଜନ୍ମ ନେବାକୁ ଯାଉଛି ଏକ ନୂତନ ବିଶ୍ୱ ଦୃଷ୍ଟିଭଙ୍ଗୀକୁ ।

ଯେବେଠୁ ମଣିଷ ସଭ୍ୟତା ଗଢି ଉଠିଲାଣି, ସେବେଠୁ ଅର୍ଥନୈତିକ ବିକାଶ ଆକାଶରୁ ଛିଡ଼େନି ଅବା ଶୂନ୍ୟତାରୁ ସୃଷ୍ଟି ହୁଏ ନାହିଁ । ଏହାର ମୂଳରେ ଥାଏ ପ୍ରାକୃତିକ ସମ୍ବଳ ବା ପୁଞ୍ଜି । କୌଣସି ଏମିତି ଉତ୍ପାଦିତ ବସ୍ତୁ ଦୁନିଆରେ ନାହିଁ ଯାହାର ମୂଳ ଆଧାର ପ୍ରାକୃତିକ ସମ୍ବଳ ନୁହେଁ । ଜ୍ଞାନ ଜଗତର ଉଦୟ ହେବାଦିନୁ ଯାହାବି ମଣିଷ ଉଦଭାବନ ବା ଆବିଷ୍କାର କରିଛି ତା’ର ମୂଳଟି ହେଉଛି ପ୍ରକୃତି । ଆଦିମ ମଣିଷ ଯେତେବେଳେ ପ୍ରସ୍ତରସ୍ତର ଯୁଗକୁ ପ୍ରବେଶ କଲା ସେତେବେଳେ ନିଜର ଜୀବନ ଧାରଣକୁ ସୁଗମ କରିବା ସହିତ ନିଜର ଆତ୍ମରକ୍ଷା ପାଇଁ ପଥର ନିର୍ମିତ ଅସ୍ତ୍ରଶସ୍ତ୍ର ତିଆରି କଲା । ସେବେଠୁ ଆଜିର ଅତି ଆଧୁନିକ ସମାଜ ପର୍ଯ୍ୟନ୍ତ ମଣିଷ ସମାଜର ଅଗ୍ରଗତିର ତାଳେ ତାଳେ ପ୍ରକୃତିର ସମ୍ବଳକୁ ମଣିଷ ବ୍ୟବହାର କରି ଆସିଛି । ନିଜ ଜୀବନକୁ ଅଧିକ ସମୃଦ୍ଧ ଏବଂ ସହଜ କରିବା ପାଇଁ । ଯେତେବେଳେ ମଣିଷ କୃଷି ଉତ୍ପାଦନକୁ ନିଜର ଜୀବନ ଜୀବୀକା କରିଥିଲା, ସେତେବେଳର କୃଷି ଯନ୍ତ୍ରପାତି ଉଦଭାବନ ତା’ର ଉତ୍ପାଦନ ପ୍ରକ୍ରିୟାକୁ ସରଳ କଲା । ଏବଂ ତା’ର ଜୀବନ ମଧ୍ୟ ସୁଗମ ହୋଇପାରିଲା । ବାଷ୍ପଚାଳିତ ଯନ୍ତ୍ରପାତି ଉଦଭାବନ ପରେ ଯେଉଁ ଶିଳ୍ପ ବିପ୍ଳବର ଆରମ୍ଭ ହେଲା ତାହା ମଣିଷର ଜୀବନକୁ ସୁଗମ କରିବା କ୍ଷେତ୍ରରେ ଆଉ ଏକ ବିପ୍ଳବର ଆରମ୍ଭ ହେଲା, ତାହା ମଣିଷର ଜୀବନକୁ ସୁଗମ କରିବା କ୍ଷେତ୍ରରେ ଆଉ ଏକ ବିରାଟ ଲମ୍ଫ ସୃଷ୍ଟି ହେଲା । ଆଉ ଏବେ କୃତ୍ରିମ ବୁଦ୍ଧି (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ବା ରୋବର୍ଟ ଯୁଗରେ ମଣିଷର ସେହି ଝୁଙ୍କ୍ – କେମିତି ଜୀବନକୁ ଆହୁରି ସୁଗମ ସହଜ ଓ ବିଳାସିତ କରାଇବା ।

ସମାଜର ଉତ୍ତରଣରେ ପ୍ରତ୍ୟେକଟି ସ୍ତରରେ ଯେଉଁ ମୌଳିକ ଉପାଦାନଟି ଚାଲିବା ଶକ୍ତି ଭାବରେ ଦୃଷ୍ଟି ଗୋଚର ହୁଏ, ତାହା ହେଉଛି ଅର୍ଥନୀତି । କିନ୍ତୁ ଆଦିମ ସମାଜଠୁ ଆରମ୍ଭ କରି ବର୍ତ୍ତମାନର ଅତି ଆଧୁନିକ ଯୁଗ ପର୍ଯ୍ୟନ୍ତ ଯେଉଁ ଅର୍ଥନୀତି ମଣିଷକୁ ଆଜି ବିକାଶର ଏହି ସ୍ତରରେ ପହଞ୍ଚାଇଛି ତାହାରି ଜଠର ଭିତରେ ‘ବିନାଶ ’ ମୁଣ୍ଡ ଟେକିଛି । ତା’ର କାରଣ ହେଉଛି ମଣିଷ ଅର୍ଥନୀତି ପ୍ରତି ଯେତିକି ପ୍ରାଧାନ୍ୟ ଦେଇ ଆସିଛି ଆଜି ପର୍ଯ୍ୟନ୍ତ ସେତିକି ପ୍ରାଧାନ୍ୟ ନେଇ ନାହିଁ ସେହି ପ୍ରକୃତି ବା ଧରାକୁ ଯାହାହିଁ ହେଉଛି ବିକାଶର ମୌଳିକ ଉପାଦାନ । ପ୍ରକୃତିକୁ ଛିନଭିନ୍୍ କରି ମଣିଷ ଯେଉଁ କୃତ୍ରିମ ପ୍ରାଚୁର୍ଯ୍ୟର ଇମାରତ ଗଢିଛି, ସେଠି ପରିବେଶ ଅବଦମିତ, ଭୂଲୁଣ୍ଠିତ ଓ ନିଃଶେଷ । ପ୍ରକୃତି ପାଖରେ ଯେତିକି ଦେବାର କ୍ଷମତା ଅଛି, ତା’ଠୁ ଅଧିକ ଏବେ ଆଦାୟ କରିବାର ଝୁଙ୍କ୍ ମଣିଷ ପାଖରେ ଦେଖା ଦେଇଛି । ଯାହାର ପରିଣାମ ପୃଥିବୀର ତାପମାତ୍ରା ବୃଦ୍ଧି ଅଦିନିଆ ବାଦଲ ଫଟା ବର୍ଷା ଭୟଙ୍କର ବନ୍ୟା, ବାତ୍ୟା, ମରୁଡ଼ି, ବରଫ ତରଳିବା, ସମୁଦ୍ର ପତ୍ତନ ଉପରକୁ ଉଠିବା, ଜଳ ସଙ୍କଟ, ମୃତ୍ତିକା କ୍ଷୟ, ଜଙ୍ଗଲର ଅବକ୍ଷୟ, ବାୟୁ ମଣ୍ଡଳରେ ପ୍ରଦୂଷଣ ଇତ୍ୟାଦି ଇତ୍ୟାଦି । ଅର୍ଥନୀତିର ବିକାଶର ଝୁଙ୍କରେ ଆଜି ଆମେ ଏମିତି ବିପଦକୁ ଟାଣି ଆଣିଛେ, ଯାହା କେବଳ ମାନବ ସମାଜ ପାଇଁ ନୁହେଁ, ସମଗ୍ର ଜୀବ ଜଗତ ପାଇଁ ବିଲୁପ୍ତିର ସମ୍ଭାବନା ସୃଷ୍ଟି କରିଛି । ସ୍ଥୁଳ ଭାବରେ କହିବାକୁ ଗଲେ, ଅର୍ଥ ସାଜିଛି ଅନର୍ଥର ମୂଳ କାରଣ ।

ଅର୍ଥଶାସ୍ତ୍ରୀମାନେ ଭାରି ଖୁସି ଅର୍ଥନୈତିକ ଅଭିବୃଦ୍ଧିରେ । ମଣିଷର ଜୀବନକୁ ଏପରି ସ୍ତରକୁ ସେମାନେ ନେବାରେ ସଫଳ ହୋଇଛନ୍ତି ଯାହା କେବଳ ସ୍ୱପ୍ନରେ ଚିନ୍ତା କରାଯାଇ ନପାରେ । ୧୯୫୦ ମସିହାରେ ପୃଥିବୀର ଆର୍ଥିକ ଆୟ ୯ ଟ୍ରିଲିୟନ ଆମେରିକୀୟ ଡ଼ଲାର ଥିଲାବେଳେ, ଏହି ଶତାବ୍ଦୀର ଆରମ୍ଭ ବେଳକୁ ତାହା ୭ ଗୁଣ ବଢି ୪୩ ଟ୍ରିଲିୟନ ଆମେରିକୀୟ ଡ଼ଲାରରେ ପହଞ୍ଚିଥିଲା । ଏଥିରେ ଅର୍ଥଶାସ୍ତ୍ରୀମାନେ ଖୁସି ଥିବେ ସିନା, କିନ୍ତୁ ପରିବେଶ ବିଜ୍ଞାନୀମାନେ ମ୍ରିୟମାଣ ହେବା ସ୍ୱାଭାବିକ । କାରଣ ଏହି ସମୟ ଭିତରେ ପୃଥିବୀ ନିଃଶେଷ ହେବାକୁ ବସିଲାଣି । କ୍ଷତ ବିକ୍ଷତ ଓ ଜରାଜୀର୍ଣ୍ଣ ହୋଇ ଆଜି ସେ ଉଭା ହୋଇଛି ଆମ ସାମ୍ନାରେ । ଆମକୁ ଏବଂ ଜୀବ ଜଗତକୁ ଲାଳନ ପାଳନ କରିବାର କ୍ଷମତା ତା’ପାଖରେ ଆଉ ନାହିଁ । ଏକ ବିକଳ ଚିତ୍ର ନେଇ ସେ ଉଭା ହୋଇଛି ଆମ ସାମ୍ନାରେ । ଜଳବାୟୁ ପରିବର୍ତ୍ତନ ଏକ ଗଭୀର ସଙ୍କଟକୁ ଜନ୍ମ ଦେଇଛି । ଏଥିରୁ ମୁକୁଳିବାକୁ ହେଲେ ଏକ ଭିନ୍ନ ବିଶ୍ୱ ଦୃଷ୍ଟିଭଙ୍ଗୀର ଆବଶ୍ୟକତା ରହିଛି । ତାହା ହେଉଛି ପ୍ରକୃତି ପରିବେଶ ବା ପର୍ଯ୍ୟାବରଣ ଆଗ, ଆଉ ସବୁ ପଛ ।

(ଲେଖକ ସୁଦର୍ଶନ ଦାସ ଜଣେ ବିଶିଷ୍ଟ ସ୍ତମ୍ଭକାର)

 

Leave A Reply

Your email address will not be published.