Latest Odisha News

ଷୋଡ଼ଶ ଉପଚାରରେ କମ୍ପୁଛି ଶକ୍ତିପୀଠ: ଗଡ଼ିଛି ମା ବିରଜାଙ୍କର ରଥ, ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ

ଯାଜପୁର: ଆରମ୍ଭ ହୋଇଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ନବଦିନାତ୍ମକ ରଥଯାତ୍ରା । ମା ବିରଜାଙ୍କର ନବଦିବସୀୟ ରଥଯାତ୍ରା ପାଇଁ ଉତ୍ସବ ମୁଖର ସମଗ୍ର ଅଞ୍ଚଳ । ଏହି ଅବସରରେ ବଢ଼ି ଭୋରୁ ମାଙ୍କୁ ପବିତ୍ର ବୈତରଣୀ ଜଳରେ ସ୍ନାନ କରାଯିବା ପରେ ମାଙ୍କ ମୁଖ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପ୍ରତିଦିନ ମାଙ୍କୁ ଷୋଡଶ ଉପଚାରରେ ପୂଜା କରାଯାଉଛି । ଗତକାଲି ସଂଧ୍ୟାରେ ମାଙ୍କ ରଥଯାତ୍ରା ମଧ୍ୟ ଆରମ୍ଭ ହୋଇଛି । ବିଶ୍ୱାସ ରହିଛି ଏହି ନବରାତ୍ରରେ ମାଙ୍କ ପାଦଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ । ଏଥିପାଇଁ କାହିଁ କେତେ ଦୂର ଦୂରାନ୍ତରୁ ଛୁଟିଆସିଛନ୍ତି ଶ୍ରଦ୍ଧାଳୁ । ମାଙ୍କ ମୁଖ ଦର୍ଶନ ପରେ ବେଶ ଆନନ୍ଦ ଅନୁଭବ କରିଥିଲେ ଶ୍ରଦ୍ଧାଳୁ ।

ମା ବିରଜାଙ୍କ ପୀଠରେ ନବରାତ୍ର ପୂଜାରେ ସ୍ୱତନ୍ତ୍ରତା ହେଉଛି ରଥଯାତ୍ରା ପରମ୍ପରା । ଯାହାକି ଅନ୍ୟ କୌଣସି ଶକ୍ତିପୀଠରେ ଦେଖିବାକୁ ମିଳିନଥାଏ । ପ୍ରତିପଦ ଠାରୁ ମାଙ୍କ ଚଳନ୍ତି ପ୍ରତିମା ରଥ ଉପରକୁ ବିଜେ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ଆଜି ଠାରୁ ଆସନ୍ତା ୮ ଦିନ ପର୍ଯ୍ୟନ୍ତ ମନ୍ଦୀର ଚତୁଃପାଶ୍ୱର୍ରେ ପରିକ୍ରମା କରିବେ ମା । ଏଭଳି ବିରଳ ପରମ୍ପରା ଅନ୍ୟ କୌଣସି ଠାରେ ଦେଖିବାକୁ ମିଳୁନଥିବାରୁ ଶ୍ରଦ୍ଧାଳୁ ମାନେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଛନ୍ତି ମାଙ୍କୁ ଦର୍ଶନ କରିବା ପାଇଁ । ଚଳିତ ବର୍ଷ ରଥଯାତ୍ରା ଓ ନବରାତ୍ର ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ମନ୍ଦୀର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.