Latest Odisha News

BREAKING NEWS

ଆଜି ବିଶ୍ୱ ଖାଦ୍ୟ ଦିବସ, ଖାଦ୍ୟ ନଷ୍ଟ ଉପରେ ରଖନ୍ତୁ ନିୟନ୍ତ୍ରଣ

ଭୁବନେଶ୍ଵର: ସାରା ବିଶ୍ୱରେ ଆଜି ପାଳନ ହେଉଛି ବିଶ୍ୱ ଖାଦ୍ୟ ଦିବସ। ବିଶ୍ୱ ଖାଦ୍ୟ ଦିବସ ୧୯୮୦ ପରଠାରୁ ପ୍ରତିବର୍ଷ ଅକ୍ଟୋବର ୧୬ ତାରିଖ ଦିନ ସାରା ବିଶ୍ୱରେ ପାଳିତ ହୁଏ । ମିଳିତ ଜାତିସଂଘଦ୍ୱାରା ୧୯୪୫ ମସିହାରେ ଖାଦ୍ୟ ଏବଂ କୃଷି ସଂଗଠନର ସ୍ଥାପନା ଦିବସକୁ ସମ୍ମାନ ଜଣାଇ ଏହି ଦିନକୁ ବିଶ୍ୱ ଖାଦ୍ୟ ଦିବସ ରୁପେ ଘୋଷଣା କରାଯାଇଛି । ଖାଦ୍ୟ ସୁରକ୍ଷା ତଥା କୃଷିର ପ୍ରଚାର ପ୍ରସାର ଓ ଖାଦ୍ୟ ସଙ୍କଟ ଦିଗରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ।

ନଭେମ୍ବର ୧୯୭୯ ମସିହାରେ ଖାଦ୍ୟ ଏବଂ କୃଷି ସଂଗଠନର ସଦସ୍ୟ ରାଷ୍ଟ୍ରମାନଙ୍କଦ୍ୱାରା ଏହି ସଂଗଠନର ୨୦ତମ ସମ୍ମିଳନୀରେ ଏହି ଦିବସ ପାଲନ କରିବା ନିଷ୍ପତ୍ତି ନିଆଯାଇଥିଲା । ପ୍ରାକ୍ତନ ହଙ୍ଗେରିଆନ କୃଷି ଏବଂ ଖାଦ୍ୟ ମନ୍ତ୍ରୀ ଡଃ ପାଲ ରମାନୀଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ଖାଦ୍ୟ ଏବଂ କୃଷି ସଂଗଠନର ୨୦ତମ ସମ୍ମିଳନୀରେ ଏକ ସକ୍ରୀୟ ଭୁମିକା ଗ୍ରହଣ କରି ଏ ସଂକ୍ରାନ୍ତରେ ଏକ ବିଚାର ବ୍ୟକ୍ତ କରିଥିଲେ । ଏହା ଉକ୍ତ ସମ୍ମିଳନୀରେ ଗୃହୀତ ହେବା ପରେ ବିଶ୍ୱର ୧୫୦ରୁ ଅଧିକ ଦେଶ ପ୍ରତିବର୍ଷ ଅକ୍ଟୋବର ୧୬ ତାରିଖକୁ ବିଶ୍ୱ ଖାଦ୍ୟ ଦିବସ ରୁପେ ପାଳନ କରୁଛନ୍ତି ।

ମନୁଷ୍ୟର ସାଧାରଣ ଆବଶ୍ୟକତା ବା ମୌଳିକ ଅଧିକାର ହେଉଛି ଖାଦ୍ୟ,ବସ୍ତ୍ର, ବାସଗୃହ । କିନ୍ତୁ ଏବେ ବି ସାରା ବିଶ୍ୱରେ ଅନେକ ଲୋକଙ୍କୁ ଆବଶ୍ୟକତା ଅନୁସାରେ ଖାଦ୍ୟ ମିଳେନାହିଁ । ଭଲ ଖାଦ୍ୟ ନେଇ ଅନେକ ସ୍ଥାନରେ ସରକାରୀ ଏବଂ ବେସରକାରୀ ଯୋଜନାମାନ ମଧ୍ୟ ରହିଛି । କିନ୍ତୁ ଏହା ସତ୍ତ୍ବେ ମଧ୍ୟ ଅନେକ ଭୋକରେ ରହୁଛନ୍ତି । ସେଥିପାଇଁ ଭୋକିଲାକୁ ସୁସ୍ଥ ଖାଦ୍ୟ ଯୋଗାଇବା, ଖାଦ୍ୟ ବର୍ଜ୍ୟବସ୍ତୁ ହ୍ରାସ କରିବା ଏବଂ ଖାଦ୍ୟ ଉତ୍ପାଦନ ଏବଂ କୃଷିକୁ ପ୍ରୋତ୍ସାହିତ କରିବା ନେଇ ଆଜିର ଦିନରେ ଲୋକଙ୍କୁ ସଚେତନ କରାଯାଇଥାଏ । ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (FAO) ର ରିପୋର୍ଟ ଅନୁଯାୟୀ, ବିଶ୍ୱରେ ୬୯ କୋଟିରୁ ଅଧିକ ଲୋକ ପ୍ରତିଦିନ ଭୋକରେ ଶୋଇଥାନ୍ତି | ଭାରତରେ ଖାଦ୍ୟ ଅଭାବ ହେତୁ ପ୍ରତିଦିନ ଭୋକିଲା ଶୋଇବାକୁ ଯାଉଥିବା ଲୋକଙ୍କ ସଂଖ୍ୟା ୨୦୦ ମିଲିୟନରୁ ଅଧିକ ଅଟେ। ରକ୍ଷଣାବେକ୍ଷଣ କିମ୍ବା ଯୋଗାଣ ବ୍ୟାଘାତ ହେତୁ ଦେଶରେ ଉତ୍ପାଦିତ ହେଉଥିବା ଖାଦ୍ୟର ୪୦ ପ୍ରତିଶତ ଖାଦ୍ୟ ନଷ୍ଟ ହୋଇଯାଏ।

 

Leave A Reply

Your email address will not be published.