Latest Odisha News

BREAKING NEWS

ଚିଲିକାରେ ପଡ଼ିଲା ବିଜେଡି-ବିଜେପି ହାତଗଣ୍ଠି

ଚିଲିକା:ଦିନ ଥିଲା ତେଲେଙ୍ଗାନାରେ ବିଜେପି ଓ ବିଆରଏସ୍ ବିବାହ କରିଥିଲା କଂଗ୍ରେସ। ନିକଟ ଅତୀତରେ ରାଜ୍ଯ କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରସ କରିଥିଲା ବିଜେଡି-ବିଜେପିର ବାହାଘର। ଶନିବାର ପୁଣି ଏହି ସମାନ ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି ଚିଲିକା ନିର୍ବାଚନ ମଣ୍ଡଳୀରେ। ଆଜି ପୂର୍ବାହ୍ନରେ କଂଗ୍ରେସ ନେତ୍ରୀ ମିନାକ୍ଷୀ ପ୍ରଧାନଙ୍କ ନେତୃତ୍ୱରେ ବରଯାତ୍ରୀ ସ୍ୱରୂପ ଏକ ରାଲି ରଙ୍କନାଥ ଦେବ ମନ୍ଦିରରୁ ବାହାରି ପଲଟନ ପଡିଆ ପହଞ୍ଚିଥିଲା। ସେଠାରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋଟୋ ଲଗାଇ ବର ଓ ବିଜେଡି ପକ୍ଷରୁ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଫୋଟୋ ଲଗାଇ ଜଣେ କନ୍ୟାଙ୍କ ବିବାହ କରାଯାଇଥିଲା। ପୁରୋହିତ ମନ୍ତ୍ର ପାଠ କରିବା ସହ ଉପସ୍ଥିତ ବରଯାତ୍ରୀ ରୂପରେ ଶତାଧିକ କଂଗ୍ରେସ କର୍ମୀ ହୁଳହୁଳି ପକାଇଥିଲେ। ପରବର୍ତ୍ତୀ ସମୟରେ ଚରଣ ଚକାଦେବଙ୍କ ପିଠରେ ବିବାହ ଭୋଜି ରୂପରେ ପ୍ରସାଦ ବିତରଣ କରିଥିଲା କଂଗ୍ରେସ।

କଂଗ୍ରେସ ପୂର୍ବରୁ ଅଭିଯୋଗ ଆଣି ଆସିଛି ଯେ ବିଜେପି ଓ ବିଜେଡିର ଭିତିରିଆ ସମ୍ପର୍କ ରହିଛି। ଉଭୟ ଏକ। କେବଳ ବାହାରକୁ ସେମାନେ ଶାସକ ଓ ବିରୋଧିର ଖେଳ ଖେଳୁଛନ୍ତି। ବିଜେପି ବିଜେଡି ଭିତିରି ସମ୍ପର୍କ ଅଛି ଏବଂ ତାହା ସଦ୍ୟ ରାଜ୍ୟସଭା ନିର୍ବାଚନ ଟିକେଟରେ ପ୍ରମାଣିତ ହେଲା ବୋଲି କହିଛନ୍ତି କଂଗ୍ରେସ ନେତ୍ରୀ ମିନାକ୍ଷୀ। ବିଜେଡି ବିଜେପିକୁ ଏକ ରାଜ୍ୟସଭା ସିଟ ଛାଡିବା ସହ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଘୋଷଣା କଲା। ଫଳରେ ଉଭୟ ଦଳ ପରସ୍ପର ଭଲ ବନ୍ଧୁ ଏବଂ ଦୀର୍ଘ ବର୍ଷ ଧରି ଲିଭ ଇନ ରିଲେସନରେ ଅଛନ୍ତି। ତେବେ ରାଜ୍ୟ ରାଜନୀତିରେ ତେଲଙ୍ଗାନାର ଥିଓରୀ ଓଡ଼ିଶାରେ ଆପଣାଉଛି କଂଗ୍ରେସ। ପୂର୍ବରୁ ତେଲଙ୍ଗାନାରେ ବିଜେପି ଓ ବିଆରଏସ୍ ବିବାହ କରି କଂଗ୍ରେସ ଚର୍ଚ୍ଚାକୁ ଆସିଥିଲା। ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା।

 

Leave A Reply

Your email address will not be published.