Latest Odisha News

BREAKING NEWS

ରଣଜୀ ଟ୍ରଫି: ଓଡିଶା ୪୪୦ ରନ ଜବାବରେ ଦିଲ୍ଲୀ ୧୮୭/୨

ନୂଆଦିଲ୍ଲୀ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶାର ପ୍ରଥମ ଇନିଂସ ସ୍କୋର ୪୪୦ ରନ ଜବାବରେ ଦିଲ୍ଲୀ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୨ ୱିକେଟ ବିନିମୟରେ ୧୮୭ ରନ ସଂଗ୍ରହ କରିଛି । ୟଶ ଢୁଲ ୫୭ ରନ କରି ଅପରାଜିତ ରହିଛନ୍ତି । ଗଗନ ଭ୍ୟାଟ୍ସ ୬୬ ଓ ଅନୂଜ ରାୱତ ୪୦ ରନ କରିଛନ୍ତି । ଏଲିଟ ଗ୍ରୂପ ଡିର ଏହି ମୁକାବିଲାରେ ପୂର୍ବ ଦିନର ଅସମାପ୍ତ ଇନିଂସ ୩୧୪/୪ରୁ ଓଡିଶା ବ୍ୟାଟିଂ ଆରମ୍ଭ କରିଥିଲା । ଶୁଭ୍ରାଂଶୁ ସେନାପତି ୧୧୧ ରନ କରି ଆଉଟ ହେବା ପରେ ନାଟକୀୟ ଢ଼ଙ୍ଗରେ ୱିକେଟ ପଡିବା ଆରମ୍ଭ ହୋଇଥିଲା । ଏହା ମଧ୍ୟରେ ବିପ୍ଲବ ସାମନ୍ତରାୟ ୧୧୦ ରନର ଇନିଂସ ଖେଳିବା ପରେ ଆଉଟ ହୋଇଥିଲେ । ଏହା ତାଙ୍କର ୭ମ ପ୍ରଥମ ଶ୍ରେଣୀ ଶତକ ।

୧୦ ରନରେ ଓଡିଶା ତାର ଶେଷ ୫ଟି ୱିକେଟ ହରାଇଥିଲା । ଷଷ୍ଠ ୱିକେଟରେ ବିପ୍ଲବ ଓ ଆଶୀର୍ବାଦ ସ୍ୱାଇଁ ୧୧୧ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ସ୍ୱାଇଁ ୪୬ ରନ କରି ଆଉଟ ହୋଇଥିଲେ । ଚଳିତ ସିଜନରେ ଓଡିଶାର ଟପ ଅର୍ଡର ଏହି ମ୍ୟାଚରେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଛନ୍ତି । ଦିଲ୍ଲୀ ପକ୍ଷରୁ ସୁମିତ ମାଥୁର ୪ଟି ୱିକେଟ ନେଇଥିବା ବେଳେ ପ୍ରଶୁଂ ବିଜୟରନ ଓ ହିମ୍ମତ ସିଂ ୩ଟି ଲେଖାଏଁ ୱିକେଟ ହାସଲ କରିଥିଲେ ।

Leave A Reply

Your email address will not be published.