Latest Odisha News

ପଦ୍ମପୁର ଉପନିର୍ବାଚନ: ଷ୍ଟାର କ୍ୟାମ୍ପେନରଙ୍କ ତାଲିକା ଜାରି କଲେ ବିଜେଡି ଓ ବିଜେପି

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ଷ୍ଟାର କ୍ୟାମ୍ପେନର ତାଲିକା ଜାରି କଲେ ବିଜେଡି ଓ ବିଜେପି । ଶାସକ ଦଳ ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ବରିଷ୍ଠ ନେତାଙ୍କୁ ନେଇ ୪୦ ଜଣିଆ ପ୍ରଚାରକ ତାଲିକା ପ୍ରସ୍ତୁତ କରିଛି । ସେହିପରି ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ କେଶରୀ ଦେବ, ନିରଞ୍ଜନ ପୂଜାରୀ ଓ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ବିଜେଡି ପ୍ରାର୍ଥିନୀ ବର୍ଷା ରାଣୀ ବରିହାଙ୍କ ପାଇଁ ପ୍ରଚାର କରିବେ । ବିଜେଡିର ପ୍ରଚାରକ ତାଲିକାରେ ଅନୁଭବ ମହାନ୍ତି, ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟଙ୍କ ନାଁ ନାହିଁ । ହେଲେ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ ନାଁ ରହିଛି ।

ସେହିପରି ବିଜେପିର ଷ୍ଟାର କ୍ୟାମ୍ପେନର ତାଲିକାରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଅର୍ଜୁନ ମୁଣ୍ଡା ଓ ବିଶେଶ୍ୱର ଟୁଡୁ । ରାଜ୍ୟର ବରିଷ୍ଠ ବିଜେପି ନେତା ବି ପ୍ରଚାର ମଙ୍ଗ ଧରିବେ । ରାଜ୍ୟ ବିଜେପି ଅଧ୍ୟକ୍ଷ ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଡିସେମ୍ୱର ୫ ତାରିଖରେ ହେବାକୁ ଥିବା ଉପନିର୍ବାଚନର ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ । ନବନିର୍ବାଚିତ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ପ୍ରଚାର କରିବାକୁ ପଦ୍ମପୁର ଯିବେ । କ୍ଷେତ୍ର ପ୍ରଭାରୀ ସୁନୀଲ ବଂଶଲ, ଡି.ପୁରନ୍ଦେଶ୍ୱରୀଙ୍କ ନାଁ ତାଲିକାରେ ରହିଛି । ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର କରିବେ ।

କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ନେତା ସତ୍ୟ ଭୂଷଣ ସାହୁ । ପୂର୍ବତନ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ଅକ୍ଟୋବର ୨ ତାରିଖରେ ହୋଇଥିଲା । ସେହି ସ୍ଥାନ ପୂରଣ ପାଇଁ ଡିସେମ୍ୱର ୫ ତାରିଖରେ ଭୋଟ୍ ଗ୍ରହଣ ଓ ୮ ତାରିଖରେ ଗଣତି ହେବ ।

 

Leave A Reply

Your email address will not be published.