ସ୍କୁଲ ବହି ଛପା ପଛରେ ଦୁର୍ନୀତି: ବିଭାଗୀୟ ମନ୍ତ୍ରୀଙ୍କୁ ଟାର୍ଗେଟ୍, ସିବିଆଇ ତଦନ୍ତ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି
ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ ହେଉଛନ୍ତି ଦେଶର ଭବିଷ୍ୟତ। ହେଲେ ଯଦି ସେହି କୋମଳମତି ପିଲାମାନଙ୍କ ପାଠପଢ଼ା ବହିକୁ ନେଇ କୋଟି କୋଟି ଟଙ୍କାର ଖେଳ ଚାଲେ, ତେବେ ତାହା କେତେ ସାଂଘାତିକ ହୋଇପାରେ? ରାଜ୍ୟରେ ଏବେ ଏଭଳି ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛି ବିଜୁ ଯୁବ ଜନତା ଦଳ (ବିୱାଇଜେଡି)। ପାଠ୍ୟପୁସ୍ତକ ଛପା ଓ ବିତରଣରେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇ, ଏହା ପଛରେ ପ୍ରାୟ ୩୮୦ କୋଟି ଟଙ୍କାର ଏକ ବିରାଟ ମହାଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି। ଏହି ଘୋଟାଲାର ଗଭୀରକୁ ଯାଇ ମୁଖ୍ୟ ସୂତ୍ରଧରଙ୍କୁ ଖୋଜି ବାହାର କରିବା ପାଇଁ ସିବିଆଇ ତଦନ୍ତ ଦାବି କରିବା ସହ ୪୮ ଘଣ୍ଟାର ଏକ କଡ଼ା ଅଲ୍ଟିମେଟମ୍ ଦେଇଛି ବିଜେଡି।
ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରସଙ୍ଗ ଏବେ ରାଜ୍ୟ ରାଜନୀତିକୁ ପୂରାପୂରି ସରଗରମ କରିଦେଇଛି। ବିଜେଡିର କହିବା ଅନୁଯାୟୀ, ତ୍ରୁଟିପୂର୍ଣ୍ଣ ବହିଗୁଡ଼ିକୁ ବଜାରରୁ ତୁରନ୍ତ ପ୍ରତ୍ୟାହାର କରାଯିବା ସହ ଖୁବଶୀଘ୍ର ସଂଶୋଧିତ ବହି ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦିଆଯାଉ। ତେବେ ସବୁଠୁ ବିସ୍ଫୋରକ ଅଭିଯୋଗ ହେଉଛି ଯେ, ଏହି ୩୮୦ କୋଟି ଟଙ୍କାର ଦୁର୍ନୀତିରେ ସିଧାସଳଖ ବିଭାଗୀୟ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଛି। ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଉକ୍ତ ମନ୍ତ୍ରୀଙ୍କୁ କ୍ୟାବିନେଟରୁ ବହିଷ୍କାର କରିବା ଉଚିତ୍। ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱର ଉତ୍ତୋଳନ କରି ଦଳ ଦାବି କରିଛି ଯେ, ଏହି ଦୁର୍ନୀତିରେ ସମ୍ପୃକ୍ତ ସମସ୍ତ ଦୋଷୀମାନଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ ସେମାନଙ୍କର ସମସ୍ତ ସମ୍ପତ୍ତିକୁ ବ୍ୟାଜ୍ୟାପ୍ତ କରାଯାଉ।
ଏହି ଘଟଣାକୁ ନେଇ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ କହିଛନ୍ତି, “ଏହି ଘୋଟାଲାର ଚେର ଏତେ ଲମ୍ବା ଯେ, ରାଜ୍ୟ ସରକାରଙ୍କ କୌଣସି ବି ତଦନ୍ତକାରୀ ସଂସ୍ଥା ଏହାର ପ୍ରକୃତ ସତ୍ୟାସତ୍ୟ ପଦାକୁ ଆଣିପାରିବେ ନାହିଁ। ବିନା ବିଭାଗୀୟ ମନ୍ତ୍ରୀଙ୍କ ଅଗୋଚରରେ ୩୮୦ କୋଟି ଟଙ୍କାର ଖେଳ ହେବା କେବେହେଲେ ସମ୍ଭବ ନୁହେଁ। ତେଣୁ ସତ୍ୟ ସାମ୍ନାକୁ ଆସିବା ପାଇଁ ସିବିଆଇ ତଦନ୍ତ ନିହାତି ଆବଶ୍ୟକ।” ସେ ଆହୁରି ମଧ୍ୟ ସତର୍କ କରାଇ ଦେଇଛନ୍ତି ଯେ, ଯଦି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସରକାର ଏହି ଦିଗରେ କୌଣସି ପଦକ୍ଷେପ ନନିଅନ୍ତି, ତେବେ ଏକ ବଡ଼ ଧରଣର ଗଣଆନ୍ଦୋଳନ ମୁଣ୍ଡ ଟେକିବ।
ସୂଚନାଯୋଗ୍ୟ ଯେ, ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ବିଭ୍ରାଟ କାରଣରୁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟିର ରିପୋର୍ଟ ଆଧାରରେ ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ମୋଟ ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ପୂର୍ବରୁ ହିଁ ନିଲମ୍ବିତ କରିସାରିଛନ୍ତି।
ଅନ୍ୟପଟେ ବିଜେଡିର ଏହି ଅଭିଯୋଗ ଏବଂ ଆନ୍ଦୋଳନ ଧମକକୁ କଡ଼ା ଭାଷାରେ ଖଣ୍ଡନ କରିଛି କ୍ଷମତାସୀନ ବିଜେପି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସରକାର ଏହି ପ୍ରସଙ୍ଗରେ ପୂର୍ବରୁ ହିଁ ନିଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛନ୍ତି। ପ୍ରାଥମିକ ରିପୋର୍ଟ ଆଧାରରେ ଦୋଷୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସମ୍ପୃକ୍ତ ଅଧିକାରୀମାନଙ୍କ ତଦାରଖ ଅଭାବରୁ ହିଁ ଏଭଳି ତ୍ରୁଟି ହୋଇଥିଲା। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରହିଛି ଏବଂ ଆଗାମୀ ଦିନରେ ଅଧିକ ତଥ୍ୟ ଆସିଲେ ନିଶ୍ଚିତ ଭାବେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ତେଣୁ ସବୁ କିଛି ଠିକ୍ ବାଟରେ ଚାଲିଥିବା ବେଳେ ଏହାକୁ ନେଇ ଅଯଥା ରାଜନୀତି କରିବାର କୌଣସି ଯୁକ୍ତି ନାହିଁ ବୋଲି ଶ୍ରୀ ସାମଲ ସ୍ପଷ୍ଟ କରିଛନ୍ତି।
