Latest Odisha News

BREAKING NEWS

ମାଆ ବନିଲେ କା !

ଭୁବନେଶ୍ବର: କୋରେଇ ସସପେନ୍ସରେ ଲାଗିଲା ପୂର୍ଣ୍ଣଚ୍ଛେଦ । ଡାନି ନୁହେଁ ବବିଙ୍କ ପରିବାରକୁ ଗଲା ଟିକେଟ୍ । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସଂଧ୍ୟାରାଣୀ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ବିଜୁବାବୁଙ୍କ ଅମଳରେ ଜନତା ଦଳର ଟାଣୁଆ ନେତା ସ୍ବର୍ଗତ ଅଶୋକ ଦାସଙ୍କ ପତ୍ନୀ ହେଉଛନ୍ତି ସଂଧ୍ୟାରାଣୀ । ତାଙ୍କୁ ପ୍ରାର୍ଥୀ କରି ବଡ ସରପ୍ରାଇଜ ଦେଇଛି ବିଜେଡି। ତେବେ କାହିଁକି କୋରେଇରେ ସଂଧ୍ୟାରାଣୀଙ୍କୁ ପ୍ରାର୍ଥୀ କଲା ବିଜେଡି?

 

ବବିଙ୍କ ପାଇଁ କୋରେଇ କା

ପ୍ରଣବ ପ୍ରକାଶ ଦାସ ଏଥର ନିଜ ହୋମଗ୍ରାଉଣ୍ଡ ଯାଜପୁର ଛାଡି ସମ୍ବଲପୁର ଲୋକସଭା ପାଇଁ ଲଢୁଛନ୍ତି । ହାଇପ୍ରୋଫାଇଲ ଫାଇଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିପକ୍ଷରେ ଠିଆ ହୋଇଛନ୍ତି ବବି । ଲଢେଇ ଆରପାରର, ଫଳାଫଳ କିଛି ବି ହେଇପାରେ । ତେଣୁ ସମ୍ବଲପୁରରେ ଯଦି ହାରିଯାଆନ୍ତି ବବି, ତେବେ କୋରେଇରୁ ବିଧାନସଭାକୁ ବ୍ୟାକଡୋର୍ ଏଣ୍ଚ୍ରି କରିପାରନ୍ତି। ସେଥିପାଇଁ ମାଆ ସଂଧ୍ୟାରାଣୀଙ୍କୁ କୋରେଇ ଟିକେଟ୍ ଦେଇ ସେଠାରେ କା ପକାଇଥିବା ଚର୍ଚ୍ଚା ହେଉଛି । ସମ୍ବଲପୁରରେ ବିଜୟୀ ହେଲେ ଯାଜପୁର ବିଜେଡି ସଂଗଠନରେ ଦବଦବା ରଖିବା ପାଇଁ ପରିବାରରୁ ଜଣଙ୍କୁ ଟିକେଟ ଦେଇଥିବା କୁହାଯାଉଛି ।

 

ଡାନି ଦେଖୁ ଦେଖୁ ବବି ନେଇଗଲେ ଟିକେଟ୍

କୋରେଇ ବିଧାନସଭା ଟିକେଟ୍ ପାଇଁ ଏଥର ମୁହାଁମୁହିଁ ହୋଇଥିଲେ ପ୍ରଣବ ପ୍ରକାଶ ଦାସ ଓ ପ୍ରୀତିରଞ୍ଜନ ଘଡେଇ । ଖଣିଜ ସଂପଦରେ ଭରପୁର କୋରେଇ ଦଖଲ ପାଇଁ ବବି ଓ ଡାନି ଅଙ୍କ କଷୁଥିଲେ । ଅଭିନେତା ଆକାଶ ଦାସ ନାୟକଙ୍କୁ ବାହାର ବାଟ ଦେଖାଇଥିଲେ । ଆକାଶ ବିଜେପିରେ ମିଶି କୋରେଇରୁ ପ୍ରାର୍ଥୀ ହୋଇଛନ୍ତି । ବିଜେଡିରୁ ଗୋଟିଏ ଗୋଷ୍ଠୀ ଡାନିଙ୍କ ପତ୍ନୀ ଅଭିନେତ୍ରୀ ଝିଲିକଙ୍କୁ ପ୍ରାର୍ଥୀ କରିବାକୁ ଦାବି କରୁଥିଲେ ତ ଅନ୍ୟ ଏକ ଗୋଷ୍ଠୀ ବବିଙ୍କ ଭାଇ ଭବପ୍ରସାଦ ଦାସଙ୍କ ପାଇଁ ଲବି କରୁଥିଲେ । ତେବେ ଶେଷରେ ବବିଙ୍କ ପରିବାରକୁ ହିଁ ଟିକେଟ୍ ଯାଇଛି ।

ଅଶୋକ ଦାସଙ୍କ ଗଡ କୋରେଇ

ରାଜ୍ୟ ରାଜନୀତିର ଅନ୍ୟତମ ଟାଣୁଆ ଚେହେରା ଅଶୋକ ଦାସଙ୍କ ଗଡ ରହିଥିଲା କୋରେଇ । ୧୯୭୪ରୁ ୨୦୦୪  ମଧ୍ୟରେ ସେ ଏଠାରୁ ୫ଥର ଜନତା ଦଳରୁ ବିଧାୟକ ନିର୍ବାଚିତ ହୋଇଥିଲେ । କୋରେଇରୁ ଥରେ ମାତ୍ର ୧୯୮୫ରେ କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର ଖୁଣ୍ଟିଆ ଜିତିଛନ୍ତି । ୨୦୦୪ରେ ବିଜେପି-ବିଜେଡି ମେଣ୍ଟରେ ହୋଇଥିବା ନିର୍ବାଚନରେ ବିଜେପି ପ୍ରାର୍ଥୀ ସଞ୍ଚିତା ମହାନ୍ତି ଓ ୨୦୦୯ରେ ପ୍ରୀତିରଞ୍ଜନ ଘଡେଇ ବିଜେଡିରୁ ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୧୪ରେ ବିଜେଡିରୁ ଆକାଶ ଦାସ ନାୟକ ଓ ୨୦୧୯ରେ ଅଶୋକ ବଳ ବିଧାୟକ ହୋଇଥିଲେ । ଅଶୋକ ଦାସଙ୍କ ଗଡରେ ତାଙ୍କ ପତ୍ନୀ ସଂଧ୍ୟାରାଣୀଙ୍କୁ ପ୍ରାର୍ଥୀ କରି ବଡ ଗୋଟି ଚଳାଇଛି ବିଜେଡି ।

 

ସଂଧ୍ୟାରାଣୀଙ୍କୁ ଟିକେଟ୍ ଅରିନ୍ଦମଙ୍କୁ ନା

ବିଜେଡିର  ଗୋଟିଏ ପରିବାରକୁ ଗୋଟିଏ ଟିକେଟ ନିୟମରେ ବବିଙ୍କ ଭଉଣୀ ଜ୍ବାଇଁ ଅରିନ୍ଦମଙ୍କୁ ବିଜେଡି ଟିକେଟ ଦେଇନଥିବା ଚର୍ଚ୍ଚା ହୋଇଥିଲା । ସେ ବିଜେଡି ଛାଡି ବିଜେପିରେ ମିଶିଥିଲେ । ସେତେବେଳେ ଦଳର ନିୟମକୁ ନେଇ ବବିଙ୍କୁ ପ୍ରଶଂସାରେ ପୋତିଥିଲେ ଦଳୀୟ ନେତା । ହେଲେ ମାଆ ସଂଧ୍ୟାରାଣୀଙ୍କୁ ଟିକେଟ୍ ଦେଇ ଚମକାଇଛି । ପରିବାରରୁ ଜଣକୁ ଟିକେଟ୍ ନିୟମ ଏଠାରେ ଲାଗୁ ନହେବା ବି ଚକିତ କରିଛି ।

Leave A Reply

Your email address will not be published.