Latest Odisha News

BREAKING NEWS

ରାଜ୍ୟକୁ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ପଦ୍ଧତିରେ ଚାଲୁଥିବା ଶାସନ ବ୍ୟବସ୍ଥାକୁ ଭେଟି ଦେଇଛନ୍ତି ରାଜ୍ୟ ସରକାର: ବିଜେପି

ରାଉରକେଲା/ଭୁବନେଶ୍ୱର: ଓଡ଼ିଶାକୁ ଏକ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ପଦ୍ଧତିରେ ଚାଲୁଥିବା ଶାସନ ବ୍ୟବସ୍ଥାକୁ ଭେଟି ଦେଇଛନ୍ତି ରାଜ୍ୟ ସରକାର। ଏପରି ଅଭିଯୋଗ କରିଛି ବିଜେପି। ରବିବାର ରାଉରକେଲାରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସିଏଜି ରିପୋର୍ଟରୁ ନବୀନ ସରକାରର ଦୁର୍ନୀତି, ଭ୍ରଷ୍ଟାଚାର ଏବଂ ଅପରାଧିକ ଆର୍ଥିକ ଅନିୟମିତତା ପଦାରେ ପଡିଛି ବୋଲି ମନମୋହନ ସାମଲ କହିଛନ୍ତି।

ରାଜ୍ୟ ସଭାପତି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ୱଚ୍ଛ ଶାସନ ପାଇଁ ଦୁର୍ନୀତି ବିରୋଧରେ ବିଶ୍ୱ ନେତା ଭାବରେ ଉଭା ହୋଇଥିବାବେଳେ ରାଜ୍ୟରେ ବିଜେଡି ସରକାର ଦୁର୍ନୀତିଗ୍ରସ୍ତ ପ୍ରଶାସନର ଏକ ଉଦାହରଣ ସୃଷ୍ଟି କରିଛି। ଓଡ଼ିଶାର ୨୩ବର୍ଷର ନବୀନ ସରକାର ଦୁର୍ନୀତିରେ ବୁଡି ରହିଛି। ବିଜେଡିନେତା ଓ ଅଫିସରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଉଇ ଭଳି ଓଡ଼ିଶାକୁ ଫମ୍ଫା କରିଚାଲିଛି। ରାଜ୍ୟ ସରକାର ଓଡିଶାରେ ୯ଟି ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ, ତାହାକୁ ମୋଦି ସରକାର ଅନୁମୋଦନ ଦେଇସାରିଛନ୍ତି। ଏବେ ରାଉରକେଲାଠାରେ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ପ୍ରସ୍ତାବ ଦିଅନ୍ତୁ। ଏୟାର ପୋର୍ଟକୁ “ଉଡାନ” କର୍ତୃପକ୍ଷଙ୍କୁ ହସ୍ତାନ୍ତର କରନ୍ତୁ। ତାଳଚେର ବିମଳାଗଡ ରେଳଲାଇନ କାହା ଚାପରେ ଏଯାଏଁ ହୋଇନାହିଁ ତାହାର ତୁରନ୍ତ ସୁବ୍ୟବସ୍ଥା କରାଯାଉ। ରାଜ୍ୟ ସରକାର ତାଳଚେର ବିମଳାଗଡ ପାଇଁ ଜମି ଅଧିଗ୍ରହଣ କରନ୍ତୁ।

ପଞ୍ଚାୟତ, ବ୍ଲକ, ଜିଲ୍ଲାସ୍ତରୀୟ ଅଫିସରୁ ସଚିବାଳୟ ପର୍ଯ୍ୟନ୍ତ ସବୁଠାରେ ଖୁଲମଖୁଲା ଦୁର୍ନୀତି ଓ ପିସି କାରବାର ଚାଲିଛି। ଓଡ଼ିଶାରେ ବର୍ଷକୁ ୧ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି। ରାଜ୍ୟ ସରକାରଙ୍କ ଗୁମାସ୍ତାମାନେ ସାଧାରଣ ଓଡିଆ ଲୋକଙ୍କ ତଣ୍ଟି ଚିପିବା ପାଇଁ ବସିଛନ୍ତି। କେବଳ ବଡ ବଡ ଅଟାଳିକା ନିର୍ମାଣ ହେଉଛି ଅଣଓଡ଼ିଆ ଠିକାଦାରଙ୍କୁ ପୋଷିବା ପାଇଁ। ଏବେ “ଆମ ଓଡିଶା-ନବୀନ ଓଡ଼ିଶା” ଯୋଜନା ନାଁରେ ୩,୭୦୦କୋଟି ଟଙ୍କା ଲୁଟ୍ କରିବାର ଯୋଜନା କରିଛନ୍ତି ରାଜ୍ୟ ସରକାର। ସେଥିରେ ସିଧାସିଧା ୫୦ ପ୍ରତିଶତ ପିସି କାରବାର ହେଉଛି। ଓଡ଼ିଶା ରାଜ୍ୟରେ ପଂଚାୟତରୁ ନେଇ ବ୍ଲକ, ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ୫୦ପ୍ରତିଶତ ପିସି କାରବାର ଚାଲିଛି । “ଆମ ଓଡିଶା-ନବୀନ ଓଡ଼ିଶା” ଯୋଜନାରେ ହେଉଥିବା ସମସ୍ତ କାମରେ ୫୦ପ୍ରତିଶତ ପିସି କାରବାର କରାଯାଇ ବିଜୁ ଜନତା ଦଳର କର୍ମୀମାନଙ୍କୁ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଅନୈତିକଭାବେ ଅର୍ଥ ଯୋଗାଯାଉଛି। ସାଧାରଣ ଲୋକଙ୍କ ଅର୍ଥକୁ ଲୁଟ୍ କରୁଛି ବିଜେଡି ବୋଲି ଶ୍ରୀ ସାମଲ କହିଛନ୍ତି।

ସାଧାରଣ ଲୋକଙ୍କ ମନରେ ନବୀନ ସରକାର ବିରୋଧରେ ଏକ ଜନଆକ୍ରୋଶ ରହିଛି। ଏହି ଜନଆକ୍ରୋଶକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ସାଧାରଣ ଲୋକଙ୍କ ହକ୍ ଅଧିକାର ପାଇଁ ବିଜେପି ଲଢ଼େଇ ଜାରି ରଖିବ। ଆସନ୍ତା ନଭେମ୍ବର ୧୪ ରୁ ୧୮ତାରିଖ ରାଜ୍ୟ ସମସ୍ତ ବ୍ଲକ ସମ୍ମୁଖରେ ଘେରାଉ କରାଯିବ। ରାଜ୍ୟର ଜନସାଧାରଣ ଏହି ଦୁର୍ନୀତି ବିରୁଦ୍ଧ ଲଢ଼େଇରେ ସାମିଲ ହେବାକୁ ଶ୍ରୀ ସାମଲ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.