Latest Odisha News

BREAKING NEWS

ଜାତୀୟ ରାଜପଥ ସମସ୍ୟା ନେଇ ସାଂସଦ ଅପରାଜିତାଙ୍କୁ ଘେରିଲେ ଶ୍ରୀମୟୀ ମିଶ୍ର

ଭୁବନେଶ୍ୱର: ଉତ୍କଳ ଦିବସରେ ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କ ଘୋଷଣା ପରେ କେନ୍ଦ୍ରକୁ ଶ୍ରେୟ ଦେଇ ଟ୍ୱିଟ୍ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅପରାଜିତାଙ୍କ ଶ୍ରେୟ ଟ୍ୱିଟର ଦିନକ ପରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଅପରାଜିତାଙ୍କୁ ଟ୍ୱିଟ୍ କରି ଟାର୍ଗେଟ୍ କରିଛନ୍ତି ।

ଶ୍ରୀମୟୀ ମିଶ୍ର ଟ୍ୱିଟ୍ କରି ଲେଖିଛନ୍ତି, ଆପଣ ଭୁବନେଶ୍ୱରର ସାଂସଦ ଅଛନ୍ତି। ଆପଣଙ୍କୁ ଆମର ପ୍ରଶ୍ନ: ଭୁବନେଶ୍ୱର ଛାତି ଉପର ଦେଇ ଯାଇଥିବା ଜାତୀୟ ରାଜପଥ ଯୋଗୁଁ ପ୍ରତିବର୍ଷ ବର୍ଷା ଋତୁରେ ଏହାର ଉଭୟ ପାର୍ଶ୍ଵ ଯେଉଁଭଳି ଜଳମଗ୍ନ ହୋଇ ସମସ୍ୟା ସୃଷ୍ଟି ହେଉଛି, ସେ ବିଷୟରେ ଆପଣ ଜାଣନ୍ତି ତ ?

ରାଜଧାନୀବାସୀଙ୍କ ଏହି ସମସ୍ୟାର ସମାଧାନ ପାଇଁ ଆପଣ ଏନ୍ଏଚ୍ଏଆଇ ସହ କେବେ ଆଲୋଚନା କରିଛନ୍ତି କି ? ଯଦି କରିନାହାନ୍ତି, ତେବେ ଦୟାକରି ସାଂସଦ ଭାବେ ଏହାର ସମାଧାନ ପାଇଁ ଧ୍ୟାନ ଦିଅନ୍ତୁ ।

ସେହିପରି କଟକ-ସମ୍ବଲପୁର ଜାତୀୟ ରାଜପଥ ହେଉଛି ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ଜୀବନରେଖା । ଏହି ଜାତୀୟ ରାଜପଥର ମରାମତି ଓ ପ୍ରଶସ୍ତିକରଣ କାର୍ଯ୍ୟ ବର୍ଷ ବର୍ଷ ଧରି ଚାଲିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଶେଷ ହେଉନି ।

ଫଳରେ ଏହା ମୃତ୍ୟୁ ଯନ୍ତା ପାଲଟିଥିବା ଏହି ଜାତୀୟ ରାଜପଥରେ ଗତ ୨ ବର୍ଷ ମଧ୍ୟରେ ୩୯୯ଟି ଦୁର୍ଘଟଣା ଘଟି ୧୯୬ ଜଣ ଲୋକଙ୍କ ଅକାଳରେ ଜୀବନ ଗଲାଣି । ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ଏନ୍ଏଚଏଆଇ ଏବଂ କେନ୍ଦ୍ର ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ଆପଣ କେବେ ଏହି ସମସ୍ୟା ସମ୍ପର୍କରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରିଛନ୍ତି କି ?

ଏହି ରାସ୍ତାର ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ, ଲକ୍ଷ ଲକ୍ଷ ଲୋକ ତାହାକୁ ଅନାଇ ବସିଛନ୍ତି। ତେଣୁ ଆପଣଙ୍କୁ ଆମର ପରାମର୍ଶ, ଜନସାଧାରଣଙ୍କ ଏହି ସମସ୍ୟା ଦୂର କରିବାକୁ ଉପଯୁକ୍ତ ଧ୍ୟାନ ଦିଅନ୍ତୁ ବୋଲି ଅପରାଜିତାଙ୍କୁ ଲେଖିଛନ୍ତି ଶ୍ରୀମୟୀ ମିଶ୍ର ।

Leave A Reply

Your email address will not be published.