Latest Odisha News

ଭର୍ତ୍ତୃହରିଙ୍କ ଲେଖାକୁ ନେଇ ବଢ଼ିଲା ବିବାଦ, ବିଜେଡି କହିଲା ‘ବରାଦିଆ ସମ୍ପାଦକୀୟ’

ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ଥ ଆଇନ୍ ଶୃଙ୍ଖଳା ଓ ପୋଲିସ ବିରୋଧରେ ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ ବେଳେ ପୋଲିସ ଓ ବିଜେପି କର୍ମୀ ସଂଘର୍ଷକୁ ନେଇ ବିଜେପି ରାଜ୍ୟବ୍ୟାପି ପ୍ରତିବାଦ କରୁଛି । ଅନ୍ୟପଟେ ବିଜେଡି, ବିଜେପିକୁ କାଉଣ୍ଟର କରିବାକୁ ଯାଇ ଗ୍ୟାସ୍ ଦରବୃଦ୍ଧିକୁ ପ୍ରସଙ୍ଗ କରିଥିବା ବେଳେ କଟକ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ବିଜେପି ନିଆଁରେ ଘିଅ ଢାଳିଛନ୍ତି ।

ନିଜ ସମ୍ପାଦିତ ଦୈନିକ ପ୍ରଜାତନ୍ତ୍ରରେ ଭର୍ତ୍ତୃହରି ସିଧାସଳଖ ବ୍ୟବସ୍ଥାକୁ ଟାର୍ଗେଟ୍ କରିଛନ୍ତି । ବିଜେପି ଯୁବମୋର୍ଚ୍ଚା ଆନ୍ଦୋଳନ ଓ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଭର୍ତ୍ତୃହରି ଲେଖିଛନ୍ତି, ଆନ୍ଦୋଳନ ବେଳେ ପ୍ରଶାସନ ସଂଯତ ବ୍ୟବହାର କରିବାର ଥିଲା । ସେପରି କରିଥିଲେ ଶାସନର ସମ୍ମାନ ବଢ଼ିଥାନ୍ତା । ହିଂସାର ଉତ୍ତର ପୋଲିସ ଅଧିକ ହିଂସାରେ ଦେଇଥିବାରୁ ଜନଅସନ୍ତୋଷ ବଢ଼ିଛି । ଉଚ୍ଚାରଣ ଓ ଆଚରଣରେ ମାର୍ଜିତ ହୋଇଥିବାରୁ ବିଜେଡି ଏତେଦିନ ଶାସନରେ ରହିଛି ବୋଲି ତୀର ମାରିଛନ୍ତି ଭର୍ତ୍ତୃହରି । କହିଛନ୍ତି, ବିଜେଡି ତାର ୨୫ ବର୍ଷର ଅତୀତକୁ ଅନୁଶୀଳ କରି ଆଗାମୀ ଭବିଷ୍ୟତ ପାଇଁ ଦୃଷ୍ଟି ଦେଉ ।

ଆଉ ଭର୍ତ୍ତୃହରିଙ୍କ ଏହି ତୀର ବିଜେଡି ଦେହରେ କଣ୍ଟା ହୋଇ ଫୁଟିଛି । ଭର୍ତ୍ତୃହରିଙ୍କୁ ଜବାବ ଦେଇ ବିଜେଡି ନେତା ଦେବାଶିଷ ସାମନ୍ତରାୟ କହିଛନ୍ତି, ଓଡ଼ିଶା ବିଷୟରେ ତାଙ୍କର ବେଶୀ ଜ୍ଞାନ ରହୁ ନାହିଁ । ସେ ଦିଲ୍ଲୀରେ ଅନେକ ସମୟ ରହୁଛନ୍ତି । ଓଡ଼ିଶାକୁ ଆସୁନାହାଁନ୍ତି… ପ୍ରଜାତନ୍ତ୍ରରେ ପ୍ରକାଶିତ ସମ୍ପାଦକୀୟ ପ୍ରରୋଚନାରେ ଲେଖା ଯାଇଥିବା କହିଛନ୍ତି ଦେବାଶିଷ ସାମନ୍ତରାୟ ।

ତେବେ ବିଜେପିର ବରାଦରେ ଭର୍ତ୍ତୃହରି ଲେଖିଛନ୍ତି କି ଏଭଳି ଲେଖା ? ନା ନିଜ କ୍ଷୋଭକୁ ସମ୍ଭାଳି ନ ପାରି ଭର୍ତ୍ତୃହରି ଏଭଳି ଲେଖିଛନ୍ତି । ଏନେଇ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା ମିଳି ପାରି ନଥିବା ବେଳେ ଧ୍ୱନି ପ୍ରତିଧ୍ୱନି ସମ୍ପାଦକୀୟକୁ ନେଇ ଦଳ ଭିତରେ ଓ ବାହାରେ ବେଶ୍ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.