Latest Odisha News

BREAKING NEWS

ସ୍ମାର୍ଟ ମିଟର ନାଁରେ ଉପଭୋକ୍ତାଙ୍କୁ ଶୋଷଣ ଅଭିଯୋଗ: ବିଜେପି ସରକାର ଓ ଟାଟା ପାୱାରକୁ ଘେରିଲା ବିଜେଡି

ଭୁବନେଶ୍ୱର: ରାଜ୍ୟରେ ସ୍ମାର୍ଟ ମିଟର ସ୍ଥାପନ ଏବଂ ବିଜୁଳି ସେବା ପରିଚାଳନାକୁ ନେଇ ରାଜ୍ୟ ବିଜେପି ସରକାର ଓ ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାୱାର ବିରୋଧରେ ବିଷୋଦ୍‌ଗାର କରିଛି ବିଜୁ ଜନତା ଦଳ । ଉଭୟଙ୍କ ମଧ୍ୟରେ ଥିବା ଅସାଧୁ ମେଣ୍ଟ ଯୋଗୁଁ ରାଜ୍ୟର ନିରୀହ ବିଦ୍ୟୁତ ଉପଭୋକ୍ତାମାନେ ଶୋଷଣର ଶିକାର ହେଉଛନ୍ତି ବୋଲି ଦଳ ଅଭିଯୋଗ କରିଛି। ସୋମବାର ଭୁବନେଶ୍ୱରସ୍ଥିତ ‘ଶଙ୍ଖ ଭବନ’ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଡଃ ଅରୁଣ ସାହୁ ଏବଂ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ସରକାରଙ୍କ ନୀରବତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ବିଜେଡି ନେତାଙ୍କ ଅଭିଯୋଗ ଅନୁଯାୟୀ, ସ୍ମାର୍ଟ ମିଟର ପାଇଁ ରାଜ୍ୟ ସରକାର ଟାଟା ପାୱାରକୁ ୭୩୫ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି। ସରକାର ସମସ୍ତ ଖର୍ଚ୍ଚ ବହନ କରୁଥିବା ସତ୍ତ୍ୱେ କମ୍ପାନୀ ଉପଭୋକ୍ତାଙ୍କଠାରୁ ଆଦାୟ କରିଥିବା ମିଟର ଭଡ଼ା ଫେରାଉ ନାହିଁ। ଦିଲ୍ଲୀ, ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକ ଭଳି ରାଜ୍ୟରେ ସ୍ମାର୍ଟ ମିଟରର ମୂଲ୍ୟ ୩ ହଜାର ଟଙ୍କାରୁ କମ୍ ଥିବା ବେଳେ ଓଡ଼ିଶାରେ ଏହା ୩,୯୯୩ ଟଙ୍କା ଦର୍ଶାଯିବା ପଛରେ ବଡ଼ ରହସ୍ୟ ରହିଛି । ଗତ ମାର୍ଚ୍ଚ ମାସରେ ଓଇଆରସି ୪ଟି ବିତରଣ କମ୍ପାନୀର ସିଏଜି ଅଡିଟ୍ ପାଇଁ ପରାମର୍ଶ ଦେଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନନେବା ସନ୍ଦେହଜନକ ।

ଏହା ସହିତ, ପରିଚାଳନାଗତ ଖର୍ଚ୍ଚ ବୃଦ୍ଧି ଦର୍ଶାଇ କମ୍ପାନୀ ବିଜୁଳି ଦର ବୃଦ୍ଧି ପାଇଁ ଉଦ୍ୟମ କରୁଥିବା ବିଜେଡି କହିଛି। ସ୍ଥାନୀୟ ଯୁବକ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମିଟର ରିଡିଂ ଓ ବିଲିଂ କାର୍ଯ୍ୟରୁ ବାହାର କରି ଅଣ-ଓଡ଼ିଆ ଏଜେନ୍ସିଙ୍କୁ ଦାୟିତ୍ୱ ଦିଆଯାଉଥିବା ନେଇ ଦଳ କ୍ଷୋଭ ପ୍ରକାଶ କରିଛି । ଗ୍ରାହକଙ୍କ ସମସ୍ୟାର ସମାଧାନ ପାଇଁ ଥିବା ‘୧୯୯୨’ ହେଲ୍ପଲାଇନ୍‌ରୁ କୌଣସି ସେବା ମିଳୁନଥିବା ବେଳେ ପ୍ରତିନିଧିମାନଙ୍କ ଅଭିଯୋଗକୁ ଅଣଦେଖା କରାଯାଉଛି ।

ବିତରଣ କମ୍ପାନୀଗୁଡ଼ିକର ଆଦାୟ ଓ ଭିତ୍ତିଭୂମି ଖର୍ଚ୍ଚର ବାର୍ଷିକ ରିପୋର୍ଟ ସାର୍ବଜନୀନ କରିବା ସହ ତୁରନ୍ତ ସିଏଜି ଅଡିଟ୍ କରିବାକୁ ବିଜେଡି ଦାବି କରିଛି। ଯଦି ସରକାର ଏହି ଶୋଷଣ ବନ୍ଦ ନକରନ୍ତି, ତେବେ ଆଗାମୀ ଦିନରେ ଦଳ ବ୍ୟାପକ ଜନଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।

Leave A Reply

Your email address will not be published.