ଭୁବନେଶ୍ୱର: ବିଜେଡି ଓ ରାଜ୍ୟସଭା ସାଂସଦ ପଦରୁ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତିରେ ହଟଚମଟ ଆରମ୍ଭ ହୋଇଛି। ଦେବାଶିଷ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ନିଜ ଇସ୍ତଫା ପତ୍ର ଦେଇଥିବା ବେଳେ, ତାଙ୍କ ଆଗାମୀ ରାଜନୈତିକ ପଦକ୍ଷେପକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି। ବିଜେପିରେ ସେ ଯୋଗ ଦେଇପାରନ୍ତି ବୋଲି ରାଜନୈତିକ ମହଲରେ ଆକଳନ ହେଉଛି।
ଏହି ଘଟଣାକୁ ନେଇ ବିଜେଡିର ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ସେ ଦେବାଶିଷଙ୍କ ଇସ୍ତଫାକୁ ଦଳ ପାଇଁ ବଡ଼ କ୍ଷତି ବୋଲି ମାନିବାକୁ ପ୍ରସ୍ତୁତ ନୁହାନ୍ତି। ପ୍ରମିଳାଙ୍କ କହିବା ଅନୁସାରେ, ବିଜେଡି ଦେବାଶିଷଙ୍କୁ ସମସ୍ତ ପଦ ପଦବୀ ଓ ସୁଯୋଗ ଦେଇଥିଲା। ଏବେ ସେ ବିଜେପିକୁ ଯାଉଥିବା ଚର୍ଚ୍ଚା ହେଉଥିବାରୁ ସେ କଟାକ୍ଷ କରି କହିଛନ୍ତି, ବୋଧହୁଏ ସେଠାରେ ସେ ଖୁବ ଶୀଘ୍ର ବଡ଼ ପଦ ପାଇବେ। ସେ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ କି ରାଷ୍ଟ୍ରପତି ପଦ ପାଇପାରନ୍ତି।
ପ୍ରମିଳା ମଲ୍ଲିକ ଆଉ ଏକ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ, ଦେବାଶିଷ ସାମନ୍ତରାୟ ସବୁବେଳେ ନିଶାଗ୍ରସ୍ତ ଅବସ୍ଥାରେ ରହୁଥିଲେ। ତାଙ୍କ କହିବା ଅନୁସାରେ, ସେ କେଉଁଠି କଣ ଭୁଲ କରିଥିବେ, ସେଥିପାଇଁ ବିଜେପିକୁ ଯାଇଥିବା ଭଳି ଲାଗୁଛି। ସେ ବିଜେପିକୁ “ୱାଶିଂ ମେସିନ୍” ସହ ତୁଳନା କରି କଟାକ୍ଷ କରିଛନ୍ତି।
ପ୍ରମିଳା ଆହୁରି କହିଛନ୍ତି, ବିଧାୟକ କିମ୍ବା ସାଂସଦ ହେବାର ଅର୍ଥ ଲୋକଙ୍କ ସେବା କରିବା। ଏହା ନିଜ ସେବା ପାଇଁ ନୁହେଁ। ତାଙ୍କ ଅଭିଯୋଗ ହେଉଛି, ବିଜେଡି ସରକାର ହାରିବା ପରଠାରୁ ଦେବାଶିଷ ବିଜେପି ସହ ଯୋଗାଯୋଗରେ ଥିଲେ। ପଦ ପଦବୀ ପାଇବା ପାଇଁ ସେ ନବୀନ ପଟ୍ଟନାୟକଙ୍କୁ ଭରସା କରିଥିଲେ, କିନ୍ତୁ ପରେ ଦଳ ଛାଡ଼ିଦେଲେ ବୋଲି ସେ ଅଭିଯୋଗ କରିଛନ୍ତି।
ୱାକ୍ଫ ପ୍ରସଙ୍ଗକୁ ନେଇ ମଧ୍ୟ ପ୍ରମିଳା ଦେବାଶିଷଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ରାଜ୍ୟସଭାରେ ସେ ଠିକ ଭାବେ ଆଲୋଚନା କରିପାରିଲେ ନାହିଁ। ଓଡ଼ିଶା ସ୍ୱାର୍ଥ ସମ୍ବଳିତ କେଉଁ ପ୍ରସଙ୍ଗ ସେ ସଂସଦରେ ଉଠାଇଛନ୍ତି, ତାହା କହିବାକୁ ସେ ଚ୍ୟାଲେଞ୍ଜ କରିଛନ୍ତି। ଦଳକୁ ସେ ରୋଜଗାରର ମାଧ୍ୟମ ଭାବେ ଦେଖୁଥିଲେ ବୋଲି ମଧ୍ୟ ପ୍ରମିଳା ଅଭିଯୋଗ କରିଛନ୍ତି।
ଦେବାଶିଷଙ୍କ ଇସ୍ତଫାକୁ ନେଇ ବିଜେପି ପକ୍ଷରୁ “ତୃତୀୟ ୱିକେଟ୍ ପଡ଼ିଲା” ବୋଲି କୁହାଯାଉଥିବା ଚର୍ଚ୍ଚା ଉପରେ ମଧ୍ୟ ପ୍ରମିଳା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଏହା କୌଣସି କ୍ରିକେଟ ପଡ଼ିଆ ନୁହେଁ। ଏଭଳି ଲୋକ ଦଳ ଛାଡ଼ିଲେ ବିଜେଡି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।
ଅନ୍ୟପଟେ ଦେବାଶିଷ ସାମନ୍ତରାୟ ନିଜ ଇସ୍ତଫା ପତ୍ରରେ ଦଳ ଭିତରେ ନିଜକୁ ଅପମାନିତ ଅନୁଭବ କରୁଥିବା କଥା ଉଲ୍ଲେଖ କରିଥିଲେ। ସେ ଲେଖିଥିଲେ ଯେ, ସେ ସବୁବେଳେ ଦଳର ହିତ ପାଇଁ କାମ କରିଛନ୍ତି ଓ ଦଳ ପ୍ରତି ନିଷ୍ଠା ରଖିଛନ୍ତି। କିନ୍ତୁ ଶେଷ କିଛି ସମୟ ଧରି ତାଙ୍କୁ ଯୋଜନାବଦ୍ଧ ଭାବେ ଛୋଟ କରାଯାଉଥିବା ଭଳି ଅନୁଭବ ହେଉଥିଲା। ଏହି କାରଣରୁ ସେ ନିଷ୍ପତ୍ତି ନେଇଥିବା କହିଛନ୍ତି।
ଇସ୍ତଫା ପତ୍ରରେ ଦେବାଶିଷ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ମଧ୍ୟ ଜଣାଇଥିଲେ। ରାଜ୍ୟସଭାକୁ ପଠାଇଥିବାରୁ ସେ ନବୀନଙ୍କୁ ଧନ୍ୟବାଦ ଦେବା ସହ ଅବିଭକ୍ତ କଟକ ଜିଲ୍ଲାର ଲୋକଙ୍କ ସେବା କରିବା ଓ ଜାତୀୟ ସ୍ତରରେ ଓଡ଼ିଶାର ପ୍ରସଙ୍ଗ ଉଠାଇବାର ସୁଯୋଗ ପାଇଥିବା କଥା କହିଥିଲେ।
ଦେବାଶିଷ ସାମନ୍ତରାୟ କଟକ ରାଜନୀତିରେ ବିଜେଡିର ଏକ ପରିଚିତ ନାମ। ଦଳର ସଂଗଠନ ଓ ନିର୍ବାଚନୀ ରଣନୀତିରେ ତାଙ୍କର ଦୀର୍ଘ ଅନୁଭବ ରହିଛି। ସେହିପରି ରାଜ୍ୟସଭାରୁ ତାଙ୍କ ଇସ୍ତଫା ପରେ ଏବେ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ନେଇ ଆଲୋଚନା ଚାଲିଛି।
ସୂଚନା ଅନୁସାରେ, ଦେବାଶିଷ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିପାରନ୍ତି। ମୁଖ୍ୟମନ୍ତ୍ରୀ ଆଜି ଦିଲ୍ଲୀ ଗସ୍ତ କରିଥିବାରୁ ଏହି ଚର୍ଚ୍ଚାକୁ ଆହୁରି ବଳ ମିଳିଛି। ସେ ବିଜେପିର କିଛି ବରିଷ୍ଠ ନେତୃତ୍ୱଙ୍କୁ ଭେଟିବା ପରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି। ତେବେ ଏନେଇ ଏପର୍ଯ୍ୟନ୍ତ ଦେବାଶିଷ କିମ୍ବା ବିଜେପି ପକ୍ଷରୁ କୌଣସି ଅଧିକୃତ ଘୋଷଣା ହୋଇନାହିଁ।