Latest Odisha News

BREAKING NEWS

କାହାକୁ ବାଛିବ ସୋନପୁର ?

ଭୁବନେଶ୍ବର : ସରଗରମ ହେଲାଣି ସୋନପୁର ନିର୍ବାଚନୀ ମାହୋଲ । ବିଜେଡିର ହେଭିଓ୍ବେଟ୍ ନେତା ନିରଞ୍ଜନ ପୂଜାରୀଙ୍କ ଗଡ ରହିଛି ସୋନପୁର । ହେଲେ ବିଜେପି, କଂଗ୍ରେସ ସାଙ୍ଗକୁ ଏଥର ନିରଞ୍ଜନଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି ସ୍ବାଧୀନ ପ୍ରାର୍ଥୀ ସୋନାଲି ବିଶି । ଚାରି ତରଫା ଲଢେଇରେ କାହାକୁ ବାଛିବ ସୋନପୁର ? ସମୀକରଣ ବିଗାଡି ଦେବେ କି ସୋନାଲି ? ଗଣିତ ଏପାଖ ସେପାଖ କରିଦେବ କି ଶାହାଙ୍କ ହୁଙ୍କାର?

ଗଡ ରକ୍ଷା କରିପାରିବ ତ ବିଜେଡି ?

୧୫ବର୍ଷ ହେଲା ବିଜେଡିର ଗଡ ରହିଛି ସୋନପୁର । ବିନିକାରୁ ୨ଥର ଓ ସୋନପୁରରୁ ଗତ ତିନି ଥର ହେଲା ଜିତି ଆସୁଛନ୍ତି ନିରଞ୍ଜନ ପୂଜାରୀ । ହେଲେ ଏଥର ଗଡ଼ ରକ୍ଷା ନିରଞ୍ଜନଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରେ । ଗତ ତିନି ଥର ହେଲା ବିଧାନସଭା ନିର୍ବାଚନମଣ୍ଡଳୀରେ ଲଗାତର ବଢୁଛି ବିଜେପି ଭୋଟ୍ । ପଶ୍ଚିମ ଓଡିଶାରେ ମୋଦି ଲହର ବି ନିରଞ୍ଜନଙ୍କ ବିଜୟପଥରେ ବାଧା ସୃଷ୍ଟି କରିପାରେ । ତେବେ ବିଜେଡିର ଟାଣୁଆ ନେତା ନିରଞ୍ଜନ ନବୀନ ସରକାରଙ୍କ ବିକାଶକୁ ଅସ୍ତ୍ର କରି ପ୍ରଚାର କରୁଛନ୍ତି ।

ଶାହାଙ୍କ ଗର୍ଜନ ଜୋଶରେ ବିଜେପି

ସୋନପୁରରେ ହିଁ ପ୍ରଚାରର ରଣତୂରୀ ଫୁଙ୍କିଥିଲେ ବିଜେପିର ଚାଣକ୍ୟ ଅମିତ ଶାହା। ସ୍ପଷ୍ଟ ହୋଇଥିଲା, ନିରଞ୍ଜନଙ୍କ ବିଜୟ ରଥରେ ବ୍ରେକ୍ ଦେବାକୁ ଚାହୁଁଛି ବିଜେପି। ବଲାଙ୍ଗୀର ଲୋକସଭା ଆସନ ଅଧୀନରେ ରହିଥିବା କଣ୍ଟାବାଞ୍ଝିରୁ ନିର୍ବାଚନ ଲଢୁଛନ୍ତି ନବୀନ । ତେଣୁ ସୋନପୁରରୁ ହିଁ କାଉଣ୍ଟର କରିଥିଲେ ଶାହା। ଗତଥର ପଶ୍ଚିମ ଓଡିଶାର ୫ରୁ ୫ ଲୋକସଭାରେ ବାଜିମାତ୍ କରିଥିଲା ବିଜେପି । ହେଲେ ବିଧାନସଭା ଫଳ ଉତ୍ସାହଜନକ ନଥିଲା। ତେଣୁ ଏଥର ବିଧାନସଭାକୁ ବି ଫୋକସ୍ କରିଛି ଦଳ । ସେପଟେ ଶାହାଙ୍କ ହୁଙ୍କାର ପରେ ବଢିଛି ସୋନପୁର ବିଜେପିର ଉତ୍ସାହ ।

ନୂଆ ନିର୍ବାଚନ ପୁରୁଣା ଲଢେଇ

ଚବିଶ ନିର୍ବାଚନ ପାଇଁ ସୋନପୁରରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ପ୍ରମୋଦ ମହାପାତ୍ର । ୨୦୧୪ରେ ବି ନିରଞ୍ଜନ ଓ ପ୍ରମୋଦ ମୁହାଁମୁହିଁ ହୋଇଥିଲେ । ସେତେବେଳେ ୫୧ହଜାରରୁ ଅଧିକ ଭୋଟରେ ପ୍ରମୋଦଙ୍କୁ ହରାଇଥିଲେ ନିରଞ୍ଜନ । ଗତଥର ବିଜେପି ଅଶୋକ ପୂଜାରୀଙ୍କୁ ପ୍ରାର୍ଥୀ କରିଥିଲା । ହେଲେ ଏଥର ପୁଣି ପ୍ରମୋଦଙ୍କୁ ଭରସା କରିଛି । ଗତ ୧୦ବର୍ଷ ମଧ୍ୟରେ ଅନେକ ବଦଳିଛି ସୋନପୁର ରାଜନୀତି । ତେଣୁ ଦୁଇ ଭେଟେରାନ୍ ନେତାଙ୍କ ଲଢେଇରେ ଫଳ କିଛି ବି ହେଇପାରେ । ସେପଟେ କଂଗ୍ରେସରୁ ନୂଆ ଚେହେରା ଭାବେ ପ୍ରିୟବ୍ରତ ସାହୁଙ୍କୁ ପ୍ରାର୍ଥୀ କରିଛି ।

ସୋନାଲି ବିଗାଡିବେ ସମୀକରଣ !

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏଠାରେ ପ୍ରାର୍ଥୀ ହୋଇଛନ୍ତି ସୋନାଲି ବିଶି। ଚାଷୀ ସରକାର ଗଠନର ସ୍ଲୋଗାନ ଦେଇ ନିର୍ବାଚନମଣ୍ଡଳୀରେ ଗାଁକୁ ଗାଁ ବୁଲୁଛନ୍ତି ସୋନାଲି । ନିଜେ ଟ୍ରାକ୍ଟର ଚଳାଇ ସମର୍ଥକଙ୍କ ସହ ପ୍ରଚାର କରିବା ସହ ମହିଳା ସଶକ୍ତିକରଣର ବାର୍ତ୍ତା ଦେଉଛନ୍ତି । ଚାଷୀ ସମସ୍ୟାକୁ ପ୍ରସଙ୍ଗ କରି ମଇଦାନକୁ ଓହ୍ଲାଇଥିବା ସୋନାଲି ତାଙ୍କ ନିଆରା ପ୍ରଚାର ପାଇଁ ଚର୍ଚ୍ଚାରେ ରହିଛନ୍ତି । ଶଗଡରେ ଆସି ନାମାଙ୍କନ ଭରିଥିବା ସୋନାଲି ବିଶି ନିର୍ବାଚନୀ ଖର୍ଚ୍ଚ ତୁଲାଇବାକୁ ଘରକୁ ଘର ବୁଲି ଲୋକଙ୍କ ସହଯୋଗ ମାଗୁଛନ୍ତି । ପଶ୍ଚିମ ଓଡିଶାରେ ଚାଷୀ ସମସ୍ୟା ନୂଆ ନୁହେଁ, ତେଣୁ ବିଜେଡି ଗଡରେ ଚାଷୀ ପ୍ରସଙ୍ଗ ଧରି ଭୋଟ୍ ମାଗୁଥିବା ସୋନାଲି ସମୀକରଣ ବଦଳାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.