Latest Odisha News

ନିର୍ବାଚନ ପ୍ରଚାର ସମୟରେ ଆହତ ହେଲେ ବାଂସୁରୀ ସ୍ୱରାଜ

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ସମୟରେ ଆହତ ହେଲେ ବାଂସୁରୀ ସ୍ୱରାଜ । ନୂଆଦିଲ୍ଲୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ବାଂସୁରୀ ସ୍ୱରାଜ ପ୍ରଚାର ସମୟରେ ଆହତ ହୋଇଛନ୍ତି । ବାଂସୁରୀଙ୍କ ଆଖିରେ ଆଘାତ ଲାଗିଛି । ଏନେଇ ସେ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି ।

ତୃତୀୟ ଥର ପାଇଁ କେନ୍ଦ୍ରରେ ବିଜେପି ସରକାର ଗଢିବା ପାଇଁ ପ୍ରତ୍ୟାଶୀ ଥିବା ବେଳେ ଆସନ୍ତା ନିର୍ବାଚନ ପାଇଁ ବିଜେପି ପାର୍ଥୀମାନେ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି । ଏପରିସ୍ଥିତିରେ ଦିଲ୍ଲୀ ଲୋକସଭା ଆସନର ବିଜେପି ପାର୍ଥୀ ବାଂସୁରୀ ସ୍ଵରାଜ ମଧ୍ୟ ତାଙ୍କ ପ୍ରଚାର ଜୋରସୋରରେ ଚଳାଇଛନ୍ତି । ଏହାରିଭିତରେ ବାଂସୁରୀ ପ୍ରଚାର କରୁଥିବା ବେଳେ ତାଙ୍କ ଆଖିରେ ଆଘାତ ଲାଗିଛି । ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ବାଂସୁରୀ ଲେଖିଛନ୍ତି ଯେ, ଗତ ମଙ୍ଗଳବାର ଦିନ ନିର୍ବାଚନୀ ପ୍ରଚାର ବେଳେ ମୋ ଆଖିରେ ସାମାନ୍ୟ ଆଘାତ ଲାଗିଛି । ମୋଦୀ ନଗର ଅଞ୍ଚଳର ଜଣେ ଡାକ୍ତର ମୋର ଚିକିତ୍ସା କରୁଛନ୍ତି ।

ତେବେ ବାଂସୁରୀଙ୍କ ଆଖିରେ ଏହି ଆଘାତ କିପରି ଲାଗିଲା ସେ ନେଇ କୌଣସି ସୂଚନା ମିଳିନଥିବା ବେଳେ ଆଖିରେ ଆଘାତ ଲାଗିବା ସତ୍ତ୍ଵେ ମଧ୍ୟ ସେ ପ୍ରଚାର କରିବେ ବୋଲି ସୂଚନା ମିଳିଛି । ତେବେ ଦିଲ୍ଲୀ ରମେଶ ନଗରର ସନାତନ ଧର୍ମ ମନ୍ଦିରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବାଂସୁରୀଙ୍କୁ ଦେଖିବାକୁ ମିଳିଥିଲା । ସେତେବେଳେ ତାଙ୍କ ଆଖିରେ ପଟି ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ ଯେ, ଆସନ୍ତା ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ଏଥିସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକିମ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବ । ସିକିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଜୁନ ୨ରେ ପ୍ରକାଶ ପାଇବ । ଲୋକସଭା ଓ ଅନ୍ୟ ୨ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଜୁନ ୪ରେ ପ୍ରକାଶ ପାଇବ । ତେବେ ନିର୍ବାଚନର ମତଦାନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ନିଜ ନିଜର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି ।

Leave A Reply

Your email address will not be published.