Latest Odisha News

କଳାଟଙ୍କା ଜବତ ଘଟଣାରେ ନେଇ ବର୍ଷିଲା ବିଜେପି: କହିଲା, ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ

ଭୁବନେଶ୍ୱର: ଆଇଟି ରେଡ ବେଳେ ରାଜ୍ୟରୁ ଜଣେ ମଦ ବ୍ୟବସାୟୀଙ୍କ ପାଖରୁ ୩୫୦ କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାରେ ବିଜେଡି ସରକାରଙ୍କ ଉପରେ ଜୋରଦାର ବର୍ଷିଛି ବିଜେପି । ରାଜ୍ୟରୁ ଏତେ ପରିମାଣର କଳାଟଙ୍କା ଜବତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ସପ୍ତାହେ ବ୍ୟାପି ଆଇଟି ରେଡ ପରେ ଜବତ ହୋଇଥିଲା ବ୍ୟାପକ ଟଙ୍କା ।  ଏତେ ଟଙ୍କା କାହାର ? ଶାସକ ଦଳ ପକ୍ଷରୁ ଏହା ସ୍ପଷ୍ଟୀକରଣ ରଖାଯିବା ଉଚିତ ବୋଲି କହିଛନ୍ତି ମନମୋହନ । ଏ ଟଙ୍କା ସଂପୃକ୍ତ ମଦ ବ୍ୟବସାୟୀଙ୍କର ନା ବିଜେଡି ଏହାକୁ ଗଚ୍ଛିତ ରଖିଥିଲା ଆଗାମୀ ନିର୍ବାଚନରେ ଖର୍ଚ୍ଚ କରିବା ପାଇଁ ? ଏ ନେଇ ବିଜେଡି ଶୀର୍ଷ ନେତା ସ୍ପଷ୍ଟ ମତ ରଖିବା ଉଚିତ ବୋଲି କହିଥିଲେ ଶ୍ରୀ ସାମଲ ।

ଯଦି ବି ଏହି ଟଙ୍କା ସଂପୃକ୍ତ ମଦ ବ୍ୟବସାୟୀଙ୍କର ହୋଇଥିବ ତେବେ ରାଜ୍ୟ ସରକାରଙ୍କର ସହଯୋଗ ବିନା ଏତେ ଟଙ୍କା ଗଚ୍ଛିତ ରଖିବା ସମ୍ଭବ ନୁହେଁ । ଏହା ବିଜେଡି ଟଙ୍କା ଏବଂ ଆଗାମୀ ନିର୍ବାଚନରେ ଲୋକଙ୍କୁ ଦେଇ ପ୍ରଭାବିତ କରିବା ପାଇଁ ରଖଯାଇଥିଲା ବୋଲି ଶ୍ରୀ ସାମଲ ଅଭିଯୋଗ ଆଣିଛନ୍ତି ।  ତେଣୁ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ ବୋଲି କହିଥିଲେ ଶ୍ରୀ ସାମଲ ।

Leave A Reply

Your email address will not be published.