Latest Odisha News

BREAKING NEWS

ରାଜସ୍ଥାନରେ ବସୁନ୍ଧରା ଆଉଟ, ଦିୟା କୁମାରୀଙ୍କୁ ନେଇ ବିଜେପି ଖେଳିବ ବଡ଼ ଗେମ !

ଭୁବନେଶ୍ୱର: ବଦଳୁଛି ରାଜସ୍ଥାନ ରାଜନୀତିର ସମୀକରଣ। ରାଜସ୍ଥାନ ବିଜେପିର ପ୍ରମୁଖ ଚେହେରା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଆଉ କେନ୍ଦ୍ରୀୟ ନେତୃତ୍ୱ ଗୁରୁତ୍ୱ ଦେଉ ନ ଥିବା ଦେଖିବାକୁ ମିଳିଛି।

ଆଉ ଜଣେ ନୂଆ ନେତୃତ୍ୱକୁ ତାଙ୍କ ସ୍ଥାନ ପୂରଣ ପାଇଁ ଦଳ ଆଗକୁ ଆଣିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ରାଜ ପରିବାରର ଆଉ ଜଣେ ମହିଳା ତଥା ସାଂସଦ ଦିୟା କୁମାରୀଙ୍କୁ ଦଳ ବସୁନ୍ଧରାଙ୍କ ସ୍ଥାନରେ ରାଜସ୍ଥାନରେ ପ୍ରୋଜେକ୍ଟ କରୁଥିବା କୁହାଯାଉଛି।

ଚଳିତ ମାସ ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ଗସ୍ତ କରିଥିଲେ। ଜୟପୁରରେ ଆୟୋଜିତ ସଭା ମଞ୍ଚରେ ମୋଦିଙ୍କ ସହ ରାଜସ୍ଥାନର ପ୍ରଭାବୀ ମହିଳା ନେତ୍ରୀଙ୍କ ସମେତ ବସୁନ୍ଧରା ରାଜେ ଓ ସାଂସଦ ଦିୟା କୁମାରୀଙ୍କୁ ଦେଖିବାକୁ ମିଳିଥିଲା।

ମୋଦିଙ୍କ ସମ୍ବୋଧନ ପରେ ବସୁନ୍ଧରାଙ୍କୁ ସୁଯୋଗ ମିଳିବ ବୋଲି କୁହାଯାଉଥିଲା। ତାଙ୍କୁ ସୁଯୋଗ ମିଳି ନ ଥିଲା। କିନ୍ତୁ ସଭା ମଞ୍ଚରେ ବସୁନ୍ଧରାଙ୍କ ବଦଳରେ ଦିୟା କୁମାରୀ ଲୋକଙ୍କୁ ସମ୍ବୋଧିତ କରିଥିଲେ।

ସେବେଠାରୁ ହିଁ ରାଜସ୍ଥାନରେ ବସୁନ୍ଧରାଙ୍କ ବିକଳ୍ପ ଭାବେ ଦିୟା କୁମାରୀଙ୍କୁ ଦଳ ଚୟନ କରିଥିବା ଚର୍ଚ୍ଚା ହେଉଛି। ଗତ ବିଧାନସଭା ନିର୍ବାଚନରେ ବିଜେପି ରାଜସ୍ଥାନରେ ଅଳ୍ପ ବ୍ୟବଧାନରେ ହାରିଥିଲା।

ରାଜପୁତ ମାନଙ୍କର ଅସନ୍ତୋଷ ବିଜେପି ପରାଜୟର କାରଣ ସାଜିଥିଲା ବୋଲି କୁହାଯାଏ। ତେଣୁ ସେହି ଭୁଲକୁ ରିପିଟ ନ କରିବା ପାଇଁ ବିଜେପି ରାଜେନ୍ଦ୍ର ସିଂ ରାଠୋରଙ୍କୁ ବିରୋଧୀ ଦଳ ନେତା ପଦରେ ବସାଇ ରାଜପୁତ ସମ୍ପ୍ରଦାୟର ଭୋଟ ବ୍ୟାଙ୍କକୁ ପୁଣିଥରେ ଦୃଢ଼ କରୁଛି।

ସେପଟେ ବସୁନ୍ଧରାଙ୍କୁ ସାଇଡ଼ କରି କିଭଳି ଅନ୍ୟ ସବୁ ବିକଳ୍ପ ଦ୍ୱାରା ଏହି କ୍ଷତିକୁ ଭରଣା କରିହେବ ସେ ନେଇ ଦଳ ଉଦ୍ୟମ ଜୋରଦାର କରିଛି। ତେଣୁ ଯଦି ଦିୟା କୁମାରୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ଉପସ୍ଥାପିତ କରେ ତାହେଲେ ଜଣେ ମହାରାଣୀଙ୍କୁ ବାଦ ଦେଇ ଆଉ ଜଣେ ମହାରାଣୀଙ୍କୁ ମୁଖିଆ ପଦରେ ବସାଯିବ ବୋଲି ଜଣାପଡୁଛି।

ଉଭୟ ନେତ୍ରୀ ମଧ୍ୟ ରାଜପୁତ ସମ୍ପ୍ରଦାୟର। ଏପରିକି ରାଜପୁତ ମାନଙ୍କୁ ପାରମ୍ପରିକ ବିଜେପି ଭୋଟର ଭାବେ ଗଣାଯାଏ। ଦିୟା କୁମାରୀଙ୍କୁ ବସୁନ୍ଧରା ରାଜନୀତିକୁ ଆଣିଥିଲେ। ଜୟପୁର ରାଜପରିବାରର ସଦସ୍ୟ ହେଉଛନ୍ତି ଦିୟା।

ପରେ ଜମିଜମା ସମ୍ପର୍କିତ ବିବାଦକୁ ନେଇ ଉଭୟ ମୁହାଁମୁହିଁ ହୋଇଥିଲେ। ତେଣୁ ୨୦୧୮ ରେ ବସୁନ୍ଧରା ଦିୟାଙ୍କୁ ଟିକେଟ ଦେଇ ନ ଥିଲେ। କିନ୍ତୁ ତା ପରେ ବିଜେପି ଦିୟାଙ୍କୁ ସାଂସଦ ଭାବେ ଲଢାଇଥିଲା ।

ମେୱାର ଅଞ୍ଚଳରୁ ସାଂସଦ ଅଛନ୍ତି ଦିୟା। ତେଣୁ ଦଳୀୟ ହାଇକମାଣ୍ଡ ବସୁନ୍ଧରାଙ୍କୁ ବାଦ ଦେଇ ଦିୟାଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିବା କୁହାଯାଉଛି।

ଏପରିକି ବହୁ ଘଟଣାରେ ବସୁନ୍ଧରା ରାଜେ ଓ ବିଜେପି କେନ୍ଦ୍ରୀୟ ନେତୃତ୍ୱ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ଦିୟା କୁମାରୀଙ୍କ ପରିବାର ପୂର୍ବରୁ କଂଗ୍ରେସ ସମର୍ଥକ ହୋଇଥିଲେ ମଧ୍ୟ ଦିୟା କୁମାରୀ ଜାତୀୟତା ଓ ହିନ୍ଦୁତ୍ୱକୁ ଅଧିକ ଗୁରୁତ୍ୱ ଦିଅନ୍ତି।

ଏପରିକି ପୁର୍ବରୁ ସେ ତାଜମହଲକୁ ତାଙ୍କ ପରିବାରର ବୋଲି କହି ବିବାଦକୁ ଆସିଥିଲେ। ତାଙ୍କ ବିରୋଧରେ କୌଣସି ଦୁର୍ନୀତିର ଅଭିଯୋଗ ମଧ୍ୟ ନାହିଁ।

ତେଣୁ ବସୁନ୍ଧରାଙ୍କ ବିଦ୍ରୋହୀ ମନୋଭାବ ଯୋଗୁ ଦିୟାଙ୍କ ଉପରେ ବିଜେପି ଅଧିକ ଭରସା କରୁଥିବା କୁହାଯାଉଛି। ଏହାର ପ୍ରତିଫଳନ ମଧ୍ୟ ବହୁ ପୂର୍ବରୁ ଦେଖିବକୁ ମିଳିଛି।

ବିଜେପିର ଜନ ସମ୍ପର୍କ ଯାତ୍ରାରେ ବସୁନ୍ଧରା ବିଶେଷ ସାମିଲ ହୋଇ ନ ଥିଲେ । କଂଗ୍ରେସ ନେତା ତଥା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ସହ ତାଙ୍କ ଆଲୋଚନା ସହ ଫଟୋ ବସୁନ୍ଧରାଙ୍କ ଅସନ୍ତୋଷକୁ ମଧ୍ୟ ସୁଚାଉଥିଲା।

ରାଜସ୍ଥାନ ବିଜେପିର ଚେହେରା ଭାବେ ବସୁନ୍ଧରାଙ୍କୁ ଦେଖାଯାଉଥିବା ବେଳେ ତାଙ୍କୁ ଅଣଦେଖା କଲେ ବିଜେପି ପାଇଁ ବଡ଼ କ୍ଷତି ହେବ ବୋଲି ଚର୍ଚ୍ଚା ହେଉଛି। ଯାହାକୁ ବିଜେପି ନେତୃତ୍ୱ କିଭଳି ଭରଣା କରିବେ ତାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି।

Leave A Reply

Your email address will not be published.