Latest Odisha News

BREAKING NEWS

‘ଓଡ଼ିଶା ସରକାର ଗରିବ, ଦଳିତ ଓ ଆଦିବାସୀ ବିରୋଧୀ’: ବିଭୂ ତରାଇ

ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମିକୁ ବେଆଇନ୍ ଭାବେ ଜୋର ଜବରଦସ୍ତ ହଡପ କରାଯାଉଥିବା ଅଭିଯୋଗ କରିଛି ବିଜେପି । ଏଥିରେ ବିରାଟ ରାକେଟ କାର୍ଯ୍ୟ କରୁଛି ଏବଂ ଏହାର ସଦସ୍ୟ ଭାବେ ବହୁ ସରକାରୀ କର୍ମଚାରୀ ସମ୍ପୃକ୍ତ । ଏଭଳି ଅନୈତିକ କାର୍ଯ୍ୟକୁ ଶାସକ ବିଜେଡିର ବହୁ ମନ୍ତ୍ରୀ ଓ ନେତା ପ୍ରତ୍ୟକ୍ଷ ଭାବେ ପ୍ରୋତ୍ସହିତ କରୁଥିବା ଅଭିଯୋଗ କରିଛନ୍ତି ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ଡ.ବିଭୂପ୍ରସାଦ ତରାଇ ।

ସେ କହିଛନ୍ତି, ଅନୁସୂଚିତ ଜାତି ବା ଜନଜାତି ବର୍ଗର ଲୋକଟି ନିଜ ଇଚ୍ଛାରେ ନିଜ ଜମି ବା ସମ୍ପତ୍ତି ବିକ୍ରି କରିବାକୁ ଚାହିଁଲେ ବହୁ ହଇରାଣର ସାମ୍ନା କରିବାକୁ ପଡୁଛି । ସରକାରୀ ଅଧିକାରୀମାନଙ୍କ ଶୋଷଣର ଶିକାର ହୋଇ ଏପରିକି ଶେଷରେ ବାଧ୍ୟ ହୋଇ ଜୀବନ ମଧ୍ୟ ହରାଉଛନ୍ତି । ଏଭଳି କିଛି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କଲ୍ୟାଣପୁର ଗାଁର ଜଣେ ଦଳିତ, ଦିବ୍ୟାଙ୍ଗ ଓ ଗରିବ ବ୍ୟକ୍ତି ଜଗଦୀଶ୍ ଚୌହାନ କ୍ଷେତ୍ରରେ ବୋଲି କହିଛନ୍ତି ପୂର୍ବତନ ସାଂସଦ ଡ.ବିଭୂପ୍ରସାଦ ତରାଇ ।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ତରାଇ କହିଛନ୍ତି ଯେ, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୂଆପଡ଼ା ଜିଲ୍ଲା କଲ୍ୟାଣପୁର ଗସ୍ତ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲା । ସ୍ୱର୍ଗତଃ ଜଗଦୀଶ୍ ନିଜର ପୈତୃକ ସମ୍ପତି ୧୬ ଡିସିମିଲ ଜମି ବିକ୍ରି କରିବା ପାଇଁ ସବ୍‌କଲେକ୍ଟରଙ୍କ ଦ୍ୱାରସ୍ଥ ହୋଇଥିଲେ । ସ୍ଥାନୀୟ ତହସିଲଦାରଙ୍କ ରିପୋର୍ଟ ଆଧାରରେ ସବକଲେକ୍ଟର ଅନୁମତି ପ୍ରଦାନ କରିବେ ବୋଲି ତାଙ୍କୁ କହିଥିଲେ । ଦୀର୍ଘ ୧୫ମାସ ବିିତିଥିଲେ ମଧ୍ୟ ତହସିଲଦାର ରିପୋର୍ଟ ପୈଠ କଲେ ନାହିଁ କି ସବକଲେକ୍ଟର ମଧ୍ୟ କୈାଣସି ଅନୁମତି ଦେଲେ ନାହିଁ ।

ଜଗଦୀଶ୍ ଓ ତାଙ୍କ ବୃଦ୍ଧା ମାଆ ତହସିଲ କାର୍ଯ୍ୟାଳୟ ବାରମ୍ବାର ଯାଇ ତହସିଲଦାରଙ୍କୁ କହିବା ସତ୍ତ୍ୱେ କୌଣସି ସୁଫଳ ମିଳିଲା ନାହିଁ, ବରଂ ମାନସିକ ଯନ୍ତ୍ରଣା ଦେଇ ଚାଲିଲେ । ପ୍ରଶାସନ ନିକଟରୁ ନିରାଶ ହୋଇ ଶେଷରେ ଜଗଦୀଶ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ । ବୁର୍ଲା ସ୍ଥାନାନ୍ତରିତ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା କୌଣସି ମୃତ୍ୟୁ କି ଅପମୃତ୍ୟୁ ନୁହେଁ ବରଂ ହତ୍ୟା । ଏଥିପାଇଁ ସଂପୂର୍ଣ୍ଣ ଭାବେ ଜିଲ୍ଲା ପ୍ରଶାସନ ଦାୟୀ ବୋଲି ଡ.ତରାଇ କହିଛନ୍ତି ।

ଦୀର୍ଘ ୨୩ ବର୍ଷର ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ସରକାର ଓ ପ୍ରଚାର କରୁଥିବା ୫ଟି ସରକାର ଟ୍ରାନ୍ସପରେନ୍ସିର କଥା କହୁଛନ୍ତି । ପ୍ରକୃତରେ ଓଡ଼ିଶାର ଗଣତାନ୍ତ୍ରିକ ବ୍ୟବସ୍ଥା ସମ୍ପୂର୍ଣ୍ଣଭାବେ ଭୂଷୁଡି ଗଲାପରେ ଅମଲାତନ୍ତ୍ରିକ ଶାସନ ଚାଲିଛି । ଏହି ଅମଲାତନ୍ତ୍ରିକ ବ୍ୟବସ୍ଥାରେ ଆଜି ସରକାରୀ ଅଫିସର ଓ କର୍ମଚାରୀ ସର୍ବତ୍ର ଦୁର୍ନୀତିରେ ବୁଡି ରହୁଛନ୍ତି । ଦଳୀତ ଓ ଆଦିବାସୀଲୋକଙ୍କ ଜମି କିଣାବିକାରେ କଟକଣାର ନିୟମ ରହିବି ଏଠି ରିୟେଲଷ୍ଟେଟ ବ୍ୟବସାୟୀମାନେ ଦଳିତ ଆଦିବାସୀଙ୍କ ଜମିକୁ କିଣିବାର ଅନୁମତି ପତ୍ର ମାସକ ମଧ୍ୟରେ ପାଇଯାଉଛନ୍ତି ।

କିନ୍ତୁ ଗରିବ, ଦଳିତ ଲୋକ ଜମି ବିକିବା ପାଇଁ ଯଥାର୍ଥ କାରଣ ଥାଇବି ସରକାରୀ ଅଫିସର ଅନୁମତି ନଦେବା ଅତ୍ୟନ୍ତ ଦୁଃଖ ପରିତାପର ବିଷୟ । ଗରୀବ ଲୋକ ଦୁରାରୋଗ୍ୟ ଚିକିତ୍ସା, ଝିଅ ବାହାଘର, ପିଲାଙ୍କ ପାଠପଢ଼ା ପାଇଁ ଜମି ବିକ୍ରି କରେ । କିନ୍ତୁ ପ୍ରଶାସନିକ ସ୍ତଳରେ ଟାଳଟୁଳନୀତି ଅବଲମ୍ବନ କରାଯାଏ ଯାହାର ଉଦାହରଣ ଜଗଦିଶ୍ ବୋଲି ଡ.ତରାଇ କହିଛନ୍ତି ।

ଓଡ଼ିଶାରେ ଦୁର୍ନୀତି ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ହୋଇଛି । ସରକାରୀ ଅଫିସରମାନେ ଅହଂକାରୀ ହେବା ସହ ବିଜୁ ଜନତା ଦଳର ହାତବାରିସୀ ସାଜିଛନ୍ତି । ଓଡ଼ିଶାର ରାଜ୍ୟ ରାଜନୀତି ଅମଲାତାନ୍ତ୍ରିକ ବ୍ୟବସ୍ଥାରେ ଚାଲିଛି । ଜିଲ୍ଲାପାଳ, ତହସିଲଦାର ଓ ବିଡିଓମାନେ ନେତାଙ୍କୁ ନିୟନ୍ତ୍ରଣରେ ରଖିବା ସହ ଛତ୍ରଛାୟା ତଳେ ରହି ଦୁର୍ନୀତି କରୁଛନ୍ତି ।

ଓଡ଼ିଶାର ଗରୀବ ଲୋକ ଯଦି ସରକାରୀ ଅଫିସକୁ କିଛି କାର୍ଯ୍ୟରେ ଯାଉଛନ୍ତି ସେମାନଙ୍କ କାମ ମାସ ମାସ ବିତିଯାଉଛି, କିନ୍ତୁ ଧନୀ ଓ ଲାଞ୍ଚ ଦେଉଥିବା ବ୍ୟକ୍ତିଙ୍କ କାମ କରୁଛନ୍ତି ସରକାରୀ ଅଫିସର । ଫଳରେ ଗରୀବ, ଦଳୀତ ଓ ଆଦିବାସୀ ଲୋକେ ସରକାରୀ ଅଫିସରରେ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି । ଓଡ଼ିଶା ସରକାର ଗରିବ, ଦଳୀତ ଓ ଆଦିବାସୀ ବିରୋଧୀ ବୋଲି ଡ. ତରାଇ କହିଛନ୍ତି ।

ଜଗଦୀଶଙ୍କ ମୃତ୍ୟୁ ପାଇଁ ପ୍ରଶାସନ ଏବଂ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ । ତୁରନ୍ତ ନ୍ୟାୟ ପ୍ରଦାନ କରାଯାଇ ଜଗଦୀଶ୍ ଚୌହାନଙ୍କ ବିଧବା ପତ୍ନୀ ଓ ଦୁଇଟି ସନ୍ତାନ, ବୁଢ଼ା ବାପ, ମାଆ ବଞ୍ଚିବା ପାଇଁ କ୍ଷତିଗ୍ରସ୍ତ ପରିବାରକୁ ୩୦ ଲକ୍ଷ କ୍ଷତିପୂରଣ ଦିଆଯାଉ । ପରିବାର ବଞ୍ଚିବା ପାଇଁ ଜଗଦୀଶ ଚୌହାନଙ୍କ ସ୍ତ୍ରୀକୁ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ସରକାରୀ ଚାକିରୀ ଦିଆଯାଉ ଓ ଦୁଇଟି ପିଲା ପଢ଼ିବା ପାଇଁ ବ୍ୟବସ୍ଥା କରନ୍ତୁ ରାଜ୍ୟ ସରକାର ।

ରାଜ୍ୟ ସରକାର ଏଥିପ୍ରତି ତୁରନ୍ତ ପଦକ୍ଷେପ ନନେବେ ତାହାଲେ ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ଗରୀବ ଲୋକଙ୍କ ସ୍ୱାର୍ଥ ରଖିବା ପାଇଁ ଆନ୍ଦୋଳନ କରିବ ବୋଲି ଡ.ତରାଇ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପ୍ରସାଦ ପଣ୍ଡା ଉପସ୍ଥିତ ଥିଲେ ।

Leave A Reply

Your email address will not be published.