Latest Odisha News

BREAKING NEWS

କାଲିଠୁ ଓବିସି ମୋର୍ଚ୍ଚାର ଜନଜାଗରଣ ଯାତ୍ରା; ଲିଫ୍‌ଲେଟ୍‌, ପୋଷ୍ଟର ଓ ଗୀତ ରିଲିଜ୍‌

ଭୁବନେଶ୍ୱର: ସାରା ଦେଶରେ ଶିକ୍ଷା ଓ ନିଯୁକ୍ତିରେ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳୁଥିବା ବେଳେ ଓଡ଼ିଶାରେ ଏହା ମିଳୁନାହିଁ । ବିଶେଷକରି ଶିକ୍ଷା ଅନୁଷ୍ଠାନରେ ନାମଲେଖାରେ ପଛୁଆ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଆଦୌ ସଂରକ୍ଷଣ ମିଳୁନାହିଁ । ରାଜ୍ୟରେ ଓବିସିଙ୍କ ଜନସଂଖ୍ୟା ହେଉଛି ୫୪ ପ୍ରତିଶତ । ସାରା ଦେଶରେ ଅନ୍ୟ ରାଜ୍ୟମାନଙ୍କରେ ଓବିସିବର୍ଗମାନଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଯଥେଷ୍ଟ ସଂରକ୍ଷଣ ସୁବିଧା ମିଳୁଥିବା ବେଳେ ଓଡ଼ିଶାରେ ବିଜୁ ଜନତା ଦଳ ସରକାର ଓବିସି ବର୍ଗର ଲୋକମାନଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିଛନ୍ତି ।

ରାଜ୍ୟରେ ଓବିସି କମିଶନକୁ ଅଦ୍ୟାବଧି ସାମ୍ବିଧାନିକ ମର୍ଯ୍ୟାଦା ସରକାର ଦେଇନାହାନ୍ତି । ବିଧାନସଭାରେ ଓବିସି କମିଶନ ବିଲ୍‌କୁ ବିଜୁ ଜନତା ଦଳର ସରକାର ଜାଣିଶୁଣି ପାରିତ କରାଇ ଦେଲା ନାହିଁ । ଆତ୍ମନିଯୁକ୍ତି, ସ୍ୱରୋଜଗାର ଓ କୌଶଳ ପ୍ରଶିକ୍ଷଣ ପାଇଁ ଉଦ୍ଦିଷ୍ଟ ଓବିସି ଡେଭଲପ୍‌ମେଣ୍ଟ ଓ ଫାଇନାନ୍ସ କର୍ପୋରେସନ ରାଜ୍ୟରେ ୨୦ବର୍ଷ ହେଲାଣି ଅଚଳ ।

ରାଜନୈତିକ କ୍ଷେତ୍ରରେ ମଧ୍ୟ ପଂଚାୟତ ଓ ପୌର ନିର୍ବାଚନରେ ରାଜ୍ୟ ସରକାର ଓବିସି ମାନଙ୍କୁ ସଂରକ୍ଷଣରୁ ବଂଚିତ କଲେ । ଭାରତୀୟ ଜନତା ପାର୍ଟି ଏ ସମସ୍ତ ପ୍ରସଙ୍ଗରେ ସାରା ରାଜ୍ୟରେ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୧ତାରିଖ ଠାରୁ “ଓବିସି ଜନଜାଗରଣ ଯାତ୍ରା” ଆରମ୍ଭ କରୁଛି ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ସୂଚନା ଦେଇଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଆଜି ଓବିସି ମୋର୍ଚ୍ଚାର ଜନଜାଗରଣ ଯାତ୍ରାର ଲିଫଲେଟ, ପୋଷ୍ଟର, ପ୍ରଚାରଗାଡି ଓ ଗୀତ ବିଧାୟକ ତଥା ରାଜ୍ୟ ଉପସଭାପତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଓବିସି ମୋର୍ଚ୍ଚା ପ୍ରଭାରୀ ତଥା ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସମାନ୍ତସିଂହାରଙ୍କ ଦ୍ୱାରା ଉନ୍ମୋଚନ କରାଯାଇଛି ।

ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଓବିସି ବର୍ଗଙ୍କ ପ୍ରତି ରାଜ୍ୟ ସରକାରଙ୍କ ଉଦାସିନତା ମନୋଭାବ ରହିଛି । ସରକାର ଭାବୁଛନ୍ତି ଓବିସି ବର୍ଗର ଲୋକ ଏକାଠି ହୋଇ ସେମାନଙ୍କ ଅଧିକାର ବିଷୟରେ ସ୍ୱର ଉଠାଇ ପାରିବେ ନାହିଁ, ସଂଗଠିତ ହୋଇପାରିବେ ନାହିଁ ଏବଂ ସେମାନଙ୍କ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିପାରିବେ ନାହିଁ । ସେଥିପାଇଁ ବୋଧହୁଏ ରାଜ୍ୟ ସରକାର ବାରମ୍ବାର ଓବିସିମାନଙ୍କୁ ପ୍ରତାରଣା କରୁଛନ୍ତି । ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କେନ୍ଦ୍ରୀୟ ଓବିସି ତାଲିକାରେ ଥିବା ୧୯ଟି ଜାତିର ଲୋକମାନଙ୍କୁ ରାଜ୍ୟରେ ଏସିବିସି ତାଲିକାରେ ଅନ୍ତର୍ଭୁକ୍ତ କରିନାହାନ୍ତି ।

ଯଦି ଓଡ଼ିଶାରେ ଏସିବିସି ତାଲିକା ପୁର୍ଣ୍ଣାଙ୍ଗ ହୋଇନାହିଁ ତାହାଲେ କେଉଁ ଆଧାରରେ ସର୍ଭେ କରାଯିବ? ରାଜ୍ୟ ସରକାରଙ୍କ ଆରମ୍ଭ ହେବାକୁ ଯାଉଥିବା ବହୁ ପ୍ରଚାରିତ ଏସିବିସି ସର୍ଭେ କେବଳ ପ୍ରଚାର ସର୍ବସ୍ୱ ଏବଂ ଏହି ସର୍ଭେ ଦ୍ୱାରା ପଛୁଆବର୍ଗମାନଙ୍କର ଲାଭ ଅପେକ୍ଷା କ୍ଷତି ଅଧିକ ହେବ । ରାଜ୍ୟ ସରକାର ସର୍ଭେ ନାଁରେ ମିଛ କହି ପ୍ରହସନ କରୁଛନ୍ତି । ୫୪ପ୍ରତିଶତ ଲୋକଙ୍କ ସ୍ୱାର୍ଥକୁ ଚିନ୍ତା ନକରି ଓବିସି ବର୍ଗଙ୍କୁ ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର । ବିଜେଡି ସରକାରଙ୍କ ଓବିସି ବିରୋଧୀ ମାନସିକତାକୁ ପଦାରେ ପକାଇବା ପାଇଁ ଏବଂ ଓବିସି ବର୍ଗର ଲୋକମାନଙ୍କର ହକ୍ ଓ ଅଧିକାର ସାବ୍ୟସ୍ତ କରିବା ପାଇଁ ଭାରତୀୟ ଜନତା ପାର୍ଟି ବ୍ୟାପକ ଜନଜାଗରଣ କରିବ ।

ଆସନ୍ତାକାଲି ଢେଙ୍କାନାଳ ଠାରୁ ଆନୁଷ୍ଠାନିକଭାବେ ଓବିସି ମୋର୍ଚ୍ଚାର ଜନଜାଗରଣ ଯାତ୍ରା ଆରମ୍ଭ ହୋଇ ରାଜ୍ୟର ସମସ୍ତ ସାଂଗଠନିକ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀରେ ଚାଲିବ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ରାଜ୍ୟ ଓବିସି ମୋର୍ଚ୍ଚା ସଂପାଦକ ସିଦ୍ଧାର୍ଥଶଙ୍କର ପତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.