Latest Odisha News

କର୍ଣ୍ଣାଟକରେ ୟେଦ୍ୟୁରପ୍ପାଙ୍କୁ ଦୁରେଇ ଦେଇଥିଲେ, କଂଗ୍ରେସ ଡରରେ ପୁଣି ଆପଣାଇଲେ !

ଭୁବନେଶ୍ୱର: କର୍ଣ୍ଣାଟକ ରାଜନୀତି ଏବେ ପୁଣିଥରେ ଚଳଚଞ୍ଚଳ ହୋଇଉଠିଛି। ଗତ ବିଧାନସଭା ନିର୍ବାଚନ ବେଳେ ଯେଭଳି କର୍ଣ୍ଣାଟକ ରାଜନୀତିକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିଲା ଏବେ ବି ସେମିତି ଚର୍ଚ୍ଚା ହେଉଛି।

ଏ ଭିତରେ ବିଜେପି ଓ ଜେଡିଏସର ବହୁ ନେତା ଆସନ୍ତା ୧୫ ତାରିଖରେ କଂଗ୍ରେସରେ ସାମିଲ ହେବେ ବୋଲି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ତଥା ପିସିସି ସଭାପତି ଡି କେ ଶିବକୁମାର କହିବା ପରେ ରାଜନୈତିକ ଉଷ୍ମତା ଆହୁରି ବଢିଛି। ଏସବୁ ଚର୍ଚ୍ଚା ମଧ୍ୟରେ ବହୁ ଦିନର ପ୍ରତୀକ୍ଷା ପରେ ଶେଷରେ ପୁଣିଥରେ ୟେଦ୍ୟୁରପ୍ପାଙ୍କ ପରିବାର ଉପରେ ଭରସା କରିଛି ବିଜେପି।

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟାଣୁଆ ନେତା ବିଏସ ୟେଦ୍ୟୁରପ୍ପାଙ୍କୁ ଅଣଦେଖା କରାଯାଉଥିବା କୁହାଯାଉଥିଲା। ଯାହାର ପରିଣାମ ସ୍ୱରୂପ କର୍ଣ୍ଣାଟକରେ ବିଜେପି ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିବା ସହ ହାରିଥିଲା।

ପରେ ପରେ ଦଳରେ ବିଦ୍ରୋହ ଚରମ ସୀମାରେ ପହଞ୍ଚିଥିଲା। ଏପରିକି ନିର୍ବାଚନ ଶେଷ ହେବାର ବହୁ ମାସ ବିତିଯାଇଥିଲେ ମଧ୍ୟ ଏଯାଏ ଦଳର ମଙ୍ଗ କାହା ହାତରେ ଦିଆଯିବ ସେ ନେଇ ଦଳୀୟ ନେତୃତ୍ୱ ନିଷ୍ପତ୍ତି ନେଇପାରୁ ନ ଥିଲେ।

କିନ୍ତୁ ଦଳ ପୁଣିଥରେ ଏବେ ବିଏସ ୟେଦ୍ୟୁରପ୍ପାଙ୍କ ଉପରେ ହିଁ ଭରସା କରିଛି। କର୍ଣ୍ଣାଟକ ରାଜ୍ୟ ବିଜେପି ସଭାପତି ଭାବେ ଦଳ ୟେଦ୍ୟୁରପ୍ପାଙ୍କ ପୁଅ ବିୱାଇ ବିଜୟେନ୍ଦ୍ରଙ୍କୁ ଦାୟିତ୍ୱ ଦେଇଛି।

ନଳିନ କୁମାର କାତୀଲଙ୍କ ସ୍ଥାନରେ ତାଙ୍କୁ ରାଜ୍ୟ ବିଜେପିର ମଙ୍ଗ ସମ୍ଭାଳିବାକୁ ଦାୟିତ୍ୱ ଦେଇଛି ଦଳ। ବିଜୟେନ୍ଦ୍ର କର୍ଣ୍ଣାଟକ ବିଧାନସଭା ନିର୍ବାଚନମଣ୍ଡଳୀ ଶିକାରୀପୁରାରୁ ବିଧାୟକ ଅଛନ୍ତି।

କେବେଠୁ ରାଜ୍ୟ ସଭାପତି ପରିବର୍ତ୍ତନ ପାଇଁ କଥା ଉଠୁଥିଲେ ମଧ୍ୟ ଦଳ ମଧ୍ୟରେ ଅନ୍ତଃକନ୍ଦଳ ଯୋଗୁ ଏହା ସମ୍ଭବ ହୋଇପାରୁ ନ ଥିଲା। ଏହି ପଦ ପାଇଁ କେନ୍ଦ୍ରମନ୍ତ୍ରୀ ଶୋଭା କରଣ୍ଡଲାଜେ, ସିଟି ରବି,ଭି ସୁନୀଲ କୁମାର ଓ ବାସନାଗଉଡା ପାଟିଲ ୟାତନାଲଙ୍କ ନାଁ ଶୁଣାଯାଉଥିଲା।

କିନ୍ତୁ ଶେଷରେ ଦଳ ପୁଣି ସେହି ୟେଦ୍ୟୁରପ୍ପାଙ୍କ ପରିବାର ଉପରେ ଭରସା କରିଛି। ତେଣୁ ଏତେ ବରିଷ୍ଠ ନେତାଙ୍କ ଉପସ୍ଥିତି ସତ୍ତ୍ୱେ ମଧ୍ୟ ଦଳ ପ୍ରଥମଥରର ବିଧାୟକ ତଥା କନିଷ୍ଠ ନେତାଙ୍କୁ ଦଳର ମୁଖିଆ ପଦରେ ବସାଇବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସେପଟେ କିନ୍ତୁ ନିର୍ବାଚନ ସରିବାର ଏତେଦିନ ପରେ ମଧ୍ୟ ଦଳ ଏ ଯାଏ ବିରୋଧୀ ଦଳ ନେତା ଚୟନ କରି ପାରିନାହିଁ। ଯାହାକୁ ନେଇ ଏବେ ନିର୍ବାଚିତ ବିଧାୟକ ମାନଙ୍କ ମଧ୍ୟରେ ଅସନ୍ତୋଷ ତୀଵ୍ର ହେବାରେ ଲାଗିଛି।

ଗତ କିଛି ଦିନ ତଳେ ବିଜେପି ବିଧାୟକମାନଙ୍କ ଏକ ବୈଠକରେ ଏ ନେଇ ଅସନ୍ତୋଷ ପ୍ରକାଶ ପାଇବା ସହ ଆସନ୍ତା ବିଧାନସଭା ଅଧିବେଶନ ବେଳେ ଯଦି ବିରୋଧୀ ଦଳ ନେତା ଚୟନ ନ ହୁଏ ତାହେଲେ ଦଳୀୟ ବିଧାୟକ ବିଧାନସଭା ଯିବେ ନାହିଁ ବୋଲି ନେତୃତ୍ୱଙ୍କୁ ଚେତାଇ ଦେଇଥିବା ଜଣାପଡିଛି।

ତେଣୁ ଏବେ ରାଜ୍ୟ ସଭାପତି ଚୟନ ହେବା ପରେ ଦଳ ଖୁବ ଶୀଘ୍ର ବିରୋଧୀ ଦଳ ନେତା ଚୟନ କରିପାରେ ବୋଲି କୁହାଯାଉଛି। ପୁଅର ରାଜ୍ୟ ବିଜେପି ସଭାପତି ନିଯୁକ୍ତିକୁ ଅପ୍ରତ୍ୟାଶିତ ବୋଲି କହିଛନ୍ତି ବିଏସ ୟେଦ୍ୟୁରପ୍ପା।

ଏହା ସେ ଆଶା ବି କରି ନ ଥିଲେ କିମ୍ବା ଏଥିପାଇଁ କାହାକୁ କହି ନ ଥିଲେ ବୋଲି କହିଛନ୍ତି। ଗତ ବିଧାନସଭା ନିର୍ବାଚନରେ ୟେଦ୍ୟୁରପ୍ପାଙ୍କୁ କେନ୍ଦ୍ରୀୟ ବିଜେପି ନେତୃତ୍ୱ ସେତେଟା ଗୁରୁତ୍ୱ ଦେଇ ନ ଥିବା କୁହାଯାଇଥିଲା। ଯେଉଁଥିପାଇଁ ଦଳକୁ ଏତେ ବଡ଼ କ୍ଷତି ସହିବାକୁ ପଡିଥିବା ଚର୍ଚ୍ଚା ହେଉଥିଲା।

ତେଣୁ ଏବେ ପୁଣିଥରେ ଦଳ ସେହି ୟେଦ୍ୟୁରପ୍ପାଙ୍କ ଉପରେ ହିଁ ଭରସା କରିଛି କିନ୍ତୁ ପୁଅ ରୂପରେ ବୋଲି ଆଲୋଚନା ହେଉଛି। ସେପଟେ ରାଜ୍ୟର ଅନ୍ୟତମ ଟାଣୁଆ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡା ମଧ୍ୟ କର୍ଣ୍ଣାଟକ ବିଜେପିକୁ କେନ୍ଦ୍ରୀୟ ନେତୃତ୍ୱ ଭରସାକୁ ନେଉ ନ ଥିବାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।

ଦଳର ବଡ଼ ପରାଜୟ ପରେ ଏଭଳି ହୋଇଥିବା ସେ କହିଛନ୍ତି। କିନ୍ତୁ ଏବେ ରାଜ୍ୟ ନେତୃତ୍ୱଙ୍କୁ ଦଳ ବିଶ୍ୱାସକୁ ନେବା ଦରକାର ବୋଲି ସେ କହିଛନ୍ତି। ସେପଟେ କର୍ଣ୍ଣାଟକରେ ବଡ଼ ଧରଣର ବିଜୟ ପାଇ କଂଗ୍ରେସ ଶାସନକୁ ଆସିବା ପରେ ବିଜେପିକୁ ଅଡୁଆରେ ପକାଇଛି।

ପୂର୍ବ ବିଜେପି ସରକାରର ବହୁ ନିଷ୍ପତ୍ତିକୁ ବାତିଲ କରି କଂଗ୍ରେସ ସରକାର ନୂଆ ନିଷ୍ପତ୍ତି ନେଉଛନ୍ତି। ସେପଟେ ବିଜେପିର ବହୁ ବରିଷ୍ଠ ନେତା ଦଳ ବିରୋଧୀ ଟିପ୍ପଣୀ ମଧ୍ୟ ଦେଉଛନ୍ତି।

ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ଜେଡିଏସ ମେଣ୍ଟ ହେବା ପରେ ଜେଡିଏସରେ ମଧ୍ୟ ବିଦ୍ରୋହ ତେଜିଛି। ଏଭଳି ସ୍ଥିତିରେ ଆସନ୍ତା ୧୫ ତାରିଖରେ ବିଜେପି ଜେଡିଏସର ବହୁ ନେତା କଂଗ୍ରେସରେ ସାମିଲ ହେବେ ବୋଲି କର୍ଣ୍ଣାଟକ ପିସିସି ସଭାପତି ଡି କେ ଶିବକୁମାର ଆଗୁଆ କହି ସାରିଛନ୍ତି।

ତେଣୁ ଗୋଟିଏ ପଟେ ଦଳୀୟ ନେତାଙ୍କ ମଧ୍ୟରେ ଛକାପଞ୍ଝା, ଲଢେଇ ଓ ଜେଡିଏସ ସହ ମେଣ୍ଟ ସେପଟେ ଶିବକୁମାରଙ୍କ ଏଭଳି ପାୱାର ଶୋକୁ ରାଜନୀତିରେ ନୂଆ କରି ପାଦ ଦେଇଥିବା ବିଜୟେନ୍ଦ୍ର କିଭଳି ସମ୍ମୁଖୀନ ହେବେ ତା ଉପରେ ନଜର।

Comments are closed.