Latest Odisha News

ବିଜେପି କ୍ଷମତାକୁ ଆସିଲେ ସମସ୍ତ କୃଷି ଋଣ ଛାଡ଼ ହେବ: ବିଜେପି

ଭୁବନେଶ୍ୱର: ଆସନ୍ତା ବିଧାନସଭା ନିର୍ବାଚନରେ ବିଜେପି କ୍ଷମତାକୁ ଆସିଲେ ଚାଷୀ ମାନଙ୍କର ସମସ୍ତ କୃଷି ଋଣ ଛାଡ଼ କରିଦିଆଯିବ ବୋଲି ମଙ୍ଗଳବାର ଦିନ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି ।

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରି କହିଛନ୍ତି, ରାଜ୍ୟର ସମସ୍ତ ଧାନ ମଣ୍ଡିରେ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି, ତେଣୁ ସେ ଡ଼ିସେମ୍ବର ୧୮ ତାରିଖରୁ ଆସନ୍ତା ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ଦଳ ପକ୍ଷରୁ ‘ମଣ୍ଡି ଚାଲ ଅଭିଯାନ’ ଅନୁଷ୍ଠିତ ହେବ । ଏହି ଅଭିଯାନରେ ରାଜ୍ୟର ସମସ୍ତ ମଣ୍ଡି ଆଗରେ ଯୋଗାଣ ଓ ଖାଉଟି ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ କୁଶ ପୁତ୍ତଳିକା ଦାହ କରାଯିବ ବୋଲି ସେ କହିଛନ୍ତି । ଜାନୁଆରୀ ୮ ତାରିଖ ଦିନ ଚାଷୀ ଋଣ ଛାଡ଼ କରିବା ଦାବିରେ ରାଜ୍ୟ ସଚିବାଳୟ ଘେରାଓ କରାଯିବ ବୋଲି ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଆସନ୍ତା ବିଧାନସଭା ନିର୍ବାଚନରେ ବିଜେପି କ୍ଷମତାକୁ ଆସିଲେ ସମସ୍ତ ଚାଷୀ ଋଣ ଛାଡ଼ କରିଦେବା ସହିତ ଚାଷୀ ମାନଙ୍କୁ ସୁଧ ମୁକ୍ତ ଋଣ ପ୍ରଦାନ କରିବ ।

ଏସମ୍ପର୍କରେ ଗଣମାଧ୍ୟମ ଆଗରେ ଅଭିଯୋଗ କରି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି, ଏବେ ରାଜ୍ୟ ସରକାର ଓ ମିଲରଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଚାଲିଛି । ନିର୍ବାଚନ ଖର୍ଚ୍ଚ ମିଲରଙ୍କ ଠାରୁ ଉଠାଇବାକୁ ରାଜ୍ୟ ସରକାର ଚେଷ୍ଟା ଚଳାଇଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ରାଜ୍ୟ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନକରି ଅଯଥାରେ ଦିଲ୍ଲୀ ଯାଉଛନ୍ତି ବୋଲି କହିଛନ୍ତି ବସନ୍ତ ପଣ୍ଡା ।

ବିଜେପିର ଏହି ‘ମଣ୍ଡି ଚାଲ ଅଭିଯାନ’ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଯଦି ମଣ୍ଡିରେ କୌଣସି ଅବ୍ୟବସ୍ଥା ହୋଇଥାଏ ତେବେ ପ୍ରଶାସନିକ ସ୍ତରରେ ପଦକ୍ଷେପ ଗ୍ରହଣ କରାଯିବ ।

ଆସନ୍ତା ଜାନୁଆରୀ ୮ ତାରିଖ ଦିନ ସଂସଦ ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ବିଜେଡ଼ି ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିଲା । ତେବେ ରାଜନୈତିକ ଅଭିସନ୍ଧି ରଖି ବିଜେପି ମଣ୍ଡି ଘେରାଓ ଏବଂ ସେହି ଏକାଦିନରେ ରାଜ୍ୟ ସଚିବାଳୟ ଘେରାଓ କରିବାର ଯୋଜନା ପ୍ରସ୍ତୁତ କରିଛି ବୋଲି ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି । ବିଜେପି କିପରି ଲୋକମାନଙ୍କୁ ଭୁଆଁ ବୁଲାଉଛି ତାହା ଜନସାଧାରଣ ଜାଣିଛନ୍ତି ।

ଇତିମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି, ରାଜ୍ୟ ସରକାର ତୁରନ୍ତ ଚାଷୀ ଋଣ ଛାଡ଼ କରିଦେବା ଉଚିତ ।

ଆସନ୍ତା ଜାନୁଆରି ୮ ତାରିଖରେ ବିଜେଡ଼ି ପକ୍ଷରୁ ସଂସଦ ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ ସମ୍ପର୍କରେ କହିଛନ୍ତି, ରାଜ୍ୟ ସରକାର ଏନେଇ ଚାଷୀମାନଙ୍କୁ ବୋକା ବନାଇବାକୁ ଚାହୁଁଛନ୍ତି ।

“ରାଜ୍ୟ ସରକାର ତୁରନ୍ତ ଏକ ଜରୁରୀ ନିଷ୍ପତ୍ତି ନେଇ ଚାଷୀ ମାନଙ୍କର ଋଣ ଛାଡ଼ କରିଦେବା ଉଚିତ । ଯଦି ତାହା ନହୁଏ ତେବେ କଂଗ୍ରେସ ଦଳ ସରକାରଙ୍କୁ କୌଣସି କ୍ଷେତ୍ରରେ ସହଯୋଗ କରିବ ନାହିଁ । ଆମେ ସେହି ନେତାମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଘେରାଓ କରିବୁ । ଯଦି ଏନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ଏହି ସରକାର ଇସ୍ତଫା ପ୍ରଦାନ କରିଦେବା ଉଚିତ ନହେଲେ ଆଉ ୪ ମାସ ପରେ ଜନସାଧାରଣ ଏହି ସରକାରକୁ କ୍ଷମତାରୁ ବିତାଡ଼ିତ କରିଦେବେ,” ବୋଲି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.