Latest Odisha News

BREAKING NEWS

ଧର୍ମେନ୍ଦ୍ର ସାହୁ ଓ ଅର୍ଚ୍ଚନା ମାମଲାରେ କମିଶନରେଟ ପୋଲିସ ଅଫିସ ଆଗରେ ବିଜେପିର ଧାରଣା

ଭୁବନେଶ୍ୱର: ବହୁଚର୍ଚ୍ଚିତ ଧର୍ମେନ୍ଦ୍ର ସାହୁ ମୃତ୍ୟୁର ଅଭିଯୁକ୍ତ ମନ୍ତ୍ରୀ ସମୀର ଦାଶ ଓ ଅର୍ଚ୍ଚନା ନାଗ ସ୍କାଣ୍ଡାଲରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତେ ନୀରବ ସାଜିଛନ୍ତି ରାଜ୍ୟ ସରକାର ଏବଂ ଆଖି ବନ୍ଦ କରିଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ। ଅଭିଯୁକ୍ତଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ପ୍ରମାଣ ଥିବା ସତ୍ୱେ ଶାସକ ବିଜେଡିର ଚାପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସୁସ୍ଥ ସମାଜ ଓ ଗଣତନ୍ତ୍ର ପ୍ରତି ବିପଦ। ପୋଲିସର ବିଶ୍ୱାସନିୟତା କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଏଥି ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ବୋଲି ରାଜ୍ୟ ବିଜେପି କହିଛି। ଆଜି ଏହି ଦୁଇ ପ୍ରସଙ୍ଗରେ ରାଜ୍ୟ ସରକାରକୁ ଘେରିବା ସହିତ କମିଶନରେଟ ପୋଲିସ ଅଫିସ ଘେରାଉ କରି ଅହରାତ୍ରୋ ଆନ୍ଦୋଳନରେ ବସିଛି ବିଜେପି।

ଧର୍ମେନ୍ଦ୍ର ସାହୁ ମୃତ୍ୟୁର ଅଭିଯୁକ୍ତ ମନ୍ତ୍ରୀ ସମୀର ଦାଶ ଓ ଅର୍ଚ୍ଚନା ନାଗ ସ୍କାଣ୍ଡାଲରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ପୋଲିସ କମିଶନରେଟ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ ଆରମ୍ଭ ହୋଇଛି । ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ପୁରୀ ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭଞ୍ଜନ ମହାପାତ୍ର ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ସାମିଲ ହୋଇଥିଲେ।

ଦୁର୍ନୀତି ପରେ ବର୍ତମାନ ରାଜ୍ୟରେ ଦିନକୁ ଦିନ ମହିଳା ଅତ୍ୟାଚାର ଓ ବ୍ୟଭିଚାର ବୃଦ୍ଧି ପାଇଚାଲିଛି। ପ୍ରାୟ ସମସ୍ତ ଘଟଣାରେ ଶାସକ ବିଜେଡିର ନେତା ଓ ମନ୍ତ୍ରୀଙ୍କ ସଂପୃକ୍ତି ଥିବାର ଯଥେଷ୍ଟ ପ୍ରମାଣ ମିଳୁଛି । ମହିଳା ସଶକ୍ତୀକରଣ ବଦଳରେ ଶାସକ ବିଜେଡି ନେତା ଓ ମନ୍ତ୍ରୀଙ୍କ ଦ୍ୱାରା ଶୋଷଣ କରାଯାଉଛି । ମା ଓ ଭଉଣୀଙ୍କ ଲୁହରେ ବିଜେଡି ସରକାର ଧ୍ୱଂସ ପାଇବ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ଅର୍ଚ୍ଚନାର ନିୟନ୍ତ୍ରଣରେ ରାଜ୍ୟ ସରକାର ଥିଲା ଏବଂ ଏହି କାରଣରୁ ସଚିବାଳୟ ଓ ବିଧାନସଭାରେ ତାର ଅବାଧ ପ୍ରବେଶ ଥିଲା । ଅର୍ଚ୍ଚନା ସ୍କାଣ୍ଡାଲର ବହୁ ତଥ୍ୟ ଓ ପ୍ରମାଣ ଜବତ୍ କରାଯାଇଛି ବୋଲି ପୋଲିସ କହିସାରିଛି । ସେହିପରି ମନ୍ତ୍ରୀ ସମୀର ଦାଶଙ୍କ ଘନିଷ୍ଠ ସହଯୋଗୀ ଧର୍ମେନ୍ଦ୍ର ସାହୁର ମୃତ୍ୟୁର କାରଣ ନିଜେ ମନ୍ତ୍ରୀ ସମୀର ଦାଶ ବୋଲି ମୃତ୍ୟୁ ପୂର୍ବରୁ ସ୍ୱର୍ଗତଃ ସାହୁ ଅଡିଓ ଜାରି କରି କହିଥିଲେ । ଏହା ସତ୍ୱେ ପୋଲିସ ନୀରବ ରହିବା ଆଦୌ ଗ୍ରହଣୀୟ ନୁହେଁ । ଆସନ୍ତା ୪୮ ଘଂଟା ମଧ୍ୟରେ ଅର୍ଚ୍ଚନା ସ୍କାଣ୍ଡାଲରେ ସଂପୃକ୍ତ ଦୋଷୀଙ୍କ ତାଲିକା ଏବଂ ଅଭିଯୁକ୍ତ ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ଜେରା କରାନଗଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି  ବିଜେପି ନେତା ପୃଥ୍ୱୀରାଜ  ହରିଚନ୍ଦନ କହିଛନ୍ତି।

Leave A Reply

Your email address will not be published.