Latest Odisha News

ଲାପଟପ ଓ ମୋବାଇଲ ଚୋରି ଅଭିଯୋଗରେ ଏମବିଏ ଛାତ୍ରୀ ଗିରଫ

ଭୁବନେଶ୍ୱର: ହଷ୍ଟେଲରେ ନିଜ ସହପାଠୀଙ୍କ ମୋବାଇଲ ଓ ଲାପଟପ ଚୋରି ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ପୂଜା ଶାହା (୨୨) ଓ ଅହମଦ ହୁସେନ୍‌ (୨୩)। ପୂଜା ଶାହ ରାଜଧାନୀସ୍ଥିତ କିଟ୍ ବିଶ୍ବବିଦ୍ୟାଳୟରେ ଏମବିଏ ଦ୍ବିତୀୟ ବର୍ଷର ଛାତ୍ରୀ। ଲାପଟପ ଓ ମୋବାଇଲ ଚୋରି କରି ମଧ୍ୟସ୍ଥି ଜରିଆରେ କୋଲକାତାରେ ବିକ୍ରି କରୁଥିବା ଜଣାପଡିଛି। ଦୁଇ ଏମ୍‌ବିଏ ଛାତ୍ରୀ ଶିଳ୍ପୀ ନାୟକ ଓ ଲୋପାମୁଦ୍ରା ମହାନ୍ତି ନିଜର ମୋବାଇଲ ଓ ଲାପଟପ ଚୋରି ହେବା ପରେ ଇନଫୋସିଟି ଥାନାରେ ଏତଲା ଦେଇଥିଲେ। ପରେ ଏତଲା ଆଧାରରେ ତଦନ୍ତ କରି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଇନଫୋସିଟି ଥାନା ପୁଲିସ ଏହି ମାମଲାର ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ମାମଲାର ଅଧିକ ତଦନ୍ତ ଜାରି ରଖିଥିବା କହିଛି। ପାଠ ପଢିବାକୁ ଆସିଥିବା ଛାତ୍ରୀ କାହିଁକି ଚୋରି କରିବାକୁ ଇଚ୍ଛା କଲେ ଏବଂ ଏହି ଚୋରି ପଛରେ କୌଣସି ରାକେଟ ରହିଛି କି ଆଦି ସନ୍ଦେହ ଉପୁଜିବା ପରେ ପୋଲିସ ତଦନ୍ତ କରୁଛି। ଗିରଫ ଅଭିଯୁକ୍ତ ଚୋରି କରିଥିବା ନେଇ ଥାନାରେ ପଚରା ଉଚରା କରିବା ବେଳେ ସତ ସ୍ବୀକାର କରିଥିବା ସୂଚନା ରହିଛି। ଏହାପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଦୁଇଟି ଲାପଟପ ଓ ମୋବାଇଲ ଜବତ କରିଛି।

ନିଜ ମୋବାଇଲ ଓ ଲାପଟପ ଚୋରି ହେବା ପରେ ଅଭିଯୋଗକାରିଣୀ ସହପାଠୀଙ୍କ ଉପରେ ସନ୍ଦେହ କରିଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ଓ ଠେଲାପେଲା ହୋଇଥିଲା ବୋଲି ସୂଚନା ରହିଛି। ସେହିପରି ଗିରଫ ଅଭିଯୁକ୍ତଙ୍କ ମୋବାଇଲରେ ଟଙ୍କା ନେଣଦେଣ ହୋଇଥିବା ଦେଖିବାକୁ ପାଇଥିଲେ। ପରେ ଥାନାରେ ଅଭିଯୋଗକାରିଣୀ ଏତଲା ଦେଇଥିଲେ। ନିଜ ରୁମରେ ନଥିବା ବେଳେ ତାଙ୍କ ମୋବାଇଲ ଓ ଲାପଟପ ଚୋରି ହୋଇଥିବା ଏତଲାରେ ଉଲ୍ଲେଖ କରିଥିଲେ ଅଭିଯୋଗକାରିଣୀ। ଅକ୍ଟୋବର ୧୬ ତାରିଖରେ ଏହି ଚୋରି ହୋଇଥିବା ଜଣାପଡିଛି।

Leave A Reply

Your email address will not be published.