Latest Odisha News

BREAKING NEWS

‘୨୫ବର୍ଷର ସ୍ଥିର ସରକାର ସତ୍ୱେ ଓଡିଶା କାହିଁକି ବିକାଶର ସବୁ ମାପଦଣ୍ଡରେ ତଳେ?’

ଭୁବନେଶ୍ୱର: ‘ସବୁଥିରେ ଓଡ଼ିଶା ପଛରେ, ମିଛ ତଥ୍ୟରେ ବିଜେଡି କହୁଛି ଏକ ନମ୍ବର । ବିଜେଡି ବିକାଶର ଚିତ୍ର ମିଥ୍ୟା ତଥ୍ୟ ଉପରେ ଆଧାରିତ । ଚାଷୀ ଆୟରେ ତଳଆଡୁ ଓଡ଼ିଶା ୨ ନମ୍ବର, ବେରୋଜଗାରରେ ଏକ ନମ୍ବର କହି ବିକାଶ ପ୍ରସଙ୍ଗରେ ବିଜେଡିକୁ କଡା ଆକ୍ରମଣ କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ।

ସେ ଆହୁରି କହିଛନ୍ତି, ନୀତି ଆୟୋଗ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ “ସଷ୍ଟେନେବଲ ଡେଭଲ୍ପମେଂଟ ଗୋଲ୍ ଇନ୍‌ଡେକ୍ସ”ରେ ଓଡ଼ିଶାର ସ୍ଥାନ ଦେଶରେ ୧୯ତମ । “ଷ୍ଟେଟ ହେଲ୍‌ଥ ଇନ୍‌ଡେକ୍ସ”ରେ ଓଡିଶାର ସ୍ଥାନ ୧୬ଟି ବଡ ରାଜ୍ୟ ଭିତରୁ ୧୪ତମ । “ସୋସିଆଲ ପ୍ରୋଗ୍ରେସ ଇନଡେକ୍ସ”ରେ ଦେଶରେ ମୋଟ ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଭିତରୁ ଓଡିଶାର ସ୍ଥାନ ୩୨ତମ ସ୍ଥାନରେ । “ଇଜି ଅଫ୍ ଡୁଇଂ ବିଜ୍‌ନେସ୍‌” ଓଡ଼ିଶାର ସ୍ଥାନ ଦେଶରେ ୨୯ତମ । “ଇଣ୍ଡିଆ ଇନୋଭେସନ ଇନଡେକ୍ସ”ରେ ଓଡ଼ିଶାର ସ୍ଥାନ ୧୬ଟି ବଡ ରାଜ୍ୟ ଭିତରୁ ସବା ତଳେ । “ଏକ୍ସପୋଟ ଇନ୍‌ଡେକ୍ସ”ରେ ଓଡ଼ିଶା ସମସ୍ତ ୮ଟି ସମୁଦ୍ରତଟ୍ଟବର୍ତୀ ରାଜ୍ୟ ଭିତରୁ ଷଷ୍ଠ ତମ ସ୍ଥାନରେ । “ୱାଟର ମ୍ୟାନେଜମେଂଟ ଇନଡେକ୍ସ”ରେ ଓଡ଼ିଶା ୧୭ଟି ଅଣହିମାଳୟ ରାଜ୍ୟ ଭିତରୁ ୧୪ତମ ସ୍ଥାନରେ ରହିଛି ।

ଯଦି ସବୁ ମାପଦଣ୍ଡରେ ଓଡ଼ିଶା ପଛରେ ରହିଲା ତାହାଲେ କେଉଁଠି ବିକାଶ ହୋଇଛି ତାହା ବିଜେଡି ସ୍ପଷ୍ଟ କରିବ କି? ବିଜୁ ଜନତା ଦଳ ସ୍ପଷ୍ଟ କରୁ ଯେ, ତାଙ୍କ କହିବା ଅନୁସାରେ ଯଦି ନବୀନ ପଟ୍ଟନାୟକ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ତାହାଲେ ଓଡିଶା କାହିଁକି ସବୁ ମାପଦଣ୍ଡରେ ପଛରେ ଅଛି ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।

ସେହିଭଳି ଓଡ଼ିଶାରେ ୪୮ ପ୍ରତିଶତ ଆଦିବାସୀ ପାଠ ପଢ଼ିନାହାନ୍ତି । ଏହା କେଉଁ ବିକାଶର ଚିତ୍ର? ଓଡ଼ିଶାରେ ୧୫ ହଜାରରୁ ଅଧିକ ମହିଳା ଅସଦାଚରଣ ମାମଲା ହୋଇଥିଲା ଯାହା ଦେଶରେ ସର୍ବାଧିକ ଥିଲା । ଘରୋଇ ପର୍ଯ୍ୟଟକ ଆସିବା କ୍ଷେତ୍ରରେ ଓଡ଼ିଶା ଦେଶରେ ୨୧ନମ୍ବର ସ୍ଥାନରେ ଅଛି । ସେହିଭଳି ଓଡ଼ିଶାକୁ ବର୍ଷକୁ ହାରାହାରି ମାତ୍ର ୨୨ହଜାର ବିଦେଶୀ ପର୍ଯ୍ୟଟକ ଆସନ୍ତି ଯେଉଁଠିକି ଗୁଜରାଟ ଭଳି ରାଜ୍ୟକୁ ବର୍ଷକୁ ୧୭ ଲକ୍ଷ ବିଦେଶୀ ପର୍ଯ୍ୟଟକ ଆସନ୍ତି । ବିଜେଡିର ଯେଉଁ ଗୁମାସ୍ତା ପଚାରୁଥିଲେ ଗୁଜରାଟରେ କଣ ବିକାଶ ହୋଇଛି, ସେ ଏହା ଉପରେ ମନ୍ତବ୍ୟ ରଖନ୍ତୁ ବୋଲି ଶ୍ରୀ ବିଶ୍ବାଳ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି କହିଛନ୍ତି ।

ଓଡ଼ିଶାର ଚାଷୀଙ୍କ ମୁଣ୍ଡପିଛା ଆୟ ତଳଆଡୁ ଦୁଇ ନମ୍ବର ସ୍ଥାନରେ ଅଛି । ସେହିଭଳି ମୁଦ୍ରାସ୍ପିତି (ଦରଦାମ୍ ବୃଦ୍ଧିହାର) ଦେଶରେ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ସର୍ବାଧିକ । ଦେଶର ହାରାହାରି ମୁଦ୍ରାସ୍ପିତି ହାର ୪.୯% ହୋଇଥିବାବେଳେ ଓଡ଼ିଶାର ମୁଦ୍ରାସ୍ପିତି ହେଉଛି ୭.୧% । ଓଡ଼ିଶାରେ ବେକାରୀହାର ମଧ୍ୟ ଅନ୍ୟ ରାଜ୍ୟ ଅପେକ୍ଷା ସର୍ବାଧିକ ବୋଲି ଆନ୍ତର୍ଜାତିକ ଶ୍ରମିକ ସଂଗଠନ ତାର ରିପୋର୍ଟରେ ପ୍ରକାଶ କରିଛି । ଓଡ଼ିଶାର ଦଶମ ଶ୍ରେଣୀରେ ଡ୍ରପ୍‌ ଆଉଟ୍ ହାର୍ ୫୦%, ଯାହା ବଡ ଚିନ୍ତାଜନକ । ସଫ୍ଟୱେର ଆଇଟି ଶିଳ୍ପର ବିକାଶ ହୋଇଛି ବୋଲି ଡିଣ୍ଡିମ ପିଟାଯାଉଛି କିନ୍ତୁ ବାସ୍ତବତା ହେଉଛି ଓଡ଼ିଶାରୁ ମାତ୍ର ୫ ହଜାର କୋଟି ଟଙ୍କାର ଆଇଟି ଏକ୍ସପୋର୍ଟ କରାଯାଉଛି, ଯେଉଁଠି କି କର୍ଣ୍ଣାଟକର ଏହା ୪ ଲକ୍ଷ କୋଟି ଟଙ୍କାରୁ ଅଧିକ । ସେହିଭଳି ମାତୃ ଓ ଶିଶୁ ମୃତ୍ୟୁହାରରେ ଓଡ଼ିଶା ଦେଶର ଜାତୀୟହାରଠାରୁ ବହୁତ ଅଧିକ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ଓଡ଼ିଶାରେ ବିପୁଳ ପରିମାଣରେ ପ୍ରାକୃତିକ ସମ୍ପଦ, ବିସ୍ତୃତ ବେଳାଭୂମି, ଦକ୍ଷ ମାନବ ସମ୍ବଳ, ୨୫ବର୍ଷର ରାଜନୈତିକ ସ୍ଥିରତା ଥିବା ସତ୍ୱେ ଓଡ଼ିଶା କାହିଁକି ସବୁ ବିକାଶର ମାପଦଣ୍ଡରେ ପଛରେ ପଡିଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.