ସଂସଦରେ ବୟାନବାଜି, ବାହାରେ ସାମ୍ବାଦିକ ସମ୍ମିଳନୀ: ଗୃହମନ୍ତ୍ରୀଙ୍କୁ ଘେରିବାକୁ ଚେଷ୍ଟା କରୁଥିବା କଂଗ୍ରେସକୁ ବିଜେପିର କଡ଼ା ଜବାବ
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ପରୀକ୍ଷା ଦୁର୍ନୀତି ଏବଂ ଛାତ୍ର ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଶାସକ-ବିରୋଧୀଙ୍କ ମଧ୍ୟରେ ତୁମୁଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ସିଧାସଳଖ ଆକ୍ରମଣ କରିବା ପରେ, ବିଜେପି ମଧ୍ୟ ଆକ୍ସନ ମୋଡ୍କୁ ଆସିଯାଇଛି। ବୁଧବାର ଦିନ ବିଜେପିର ଜାତୀୟ ମୁଖପାତ୍ର ତଥା ସାଂସଦ ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀଙ୍କ ସମସ୍ତ ଅଭିଯୋଗକୁ କଡ଼ା ଭାଷାରେ ଖଣ୍ଡନ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଛାତ୍ର ଆନ୍ଦୋଳନ ସମୟରେ କୌଣସି ପ୍ରକାରର ଗୁଳିମାଡ଼ ହୋଇନାହିଁ ଏବଂ ରାହୁଲ ବିନା କୌଣସି ତଥ୍ୟ ଓ ପ୍ରମାଣରେ ମିଥ୍ୟା ପ୍ରଚାର କରୁଛନ୍ତି।
ଜୁଲାଇ ୨୦ ତାରିଖରେ ଜନ୍ତରମନ୍ତର ଠାରେ ଛାତ୍ରଛାତ୍ରୀମାନେ କରୁଥିବା ଆନ୍ଦୋଳନ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ରାହୁଲ ଗାନ୍ଧୀ ସଂସଦରେ ଏବଂ ସଂସଦ ବାହାରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଘେରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ଉପରକୁ ଗୁଳି ଚଳାଯାଇଥିଲା। ଏହି ଘଟଣାରେ ଗୃହମନ୍ତ୍ରୀ ହୁଏତ ସମ୍ପୃକ୍ତ ଅଛନ୍ତି କିମ୍ବା ସେ ଅଯୋଗ୍ୟ, ଯେହେତୁ ତାଙ୍କ ବିନା ଅନୁମତିରେ ଏପରି ଘଟିବା ସମ୍ଭବ ନୁହେଁ। ଏହା ସହିତ ଗୃହମନ୍ତ୍ରୀଙ୍କୁ ସଂସଦରେ ଜବାବ ଦେବା ପାଇଁ ସେ ଦାବି କରିଥିଲେ।
ଏହି ଅଭିଯୋଗ ଉପରେ କଡ଼ା ପ୍ରତିକ୍ରିୟା ରଖି ସମ୍ବିତ ପାତ୍ର କହିଛନ୍ତି ଯେ, “ରାହୁଲ ଗାନ୍ଧୀଙ୍କ ପାଖରେ କୌଣସି ପ୍ରମାଣ ନାହିଁ କିମ୍ବା ତଥ୍ୟ ନାହିଁ; ସେ କେବଳ ମିଛ କହୁଛନ୍ତି। ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ ସେଦିନ କୌଣସି ବି ଗୁଳି ଚଳାଯାଇ ନଥିଲା। ଗୁଳିମାଡ଼ କରିବା ପାଇଁ ନିଷ୍ପତ୍ତି ମାଜିଷ୍ଟ୍ରେଟ ନେଇଥାନ୍ତି, ଗୃହମନ୍ତ୍ରୀ ନୁହେଁ। ଯେହେତୁ ଗୁଳି ହିଁ ଚାଲିନାହିଁ, ତେଣୁ ଅମିତ ଶାହ ନିର୍ଦ୍ଦେଶ ଦେବାର ପ୍ରଶ୍ନ ଉଠୁନାହିଁ।”
ପାତ୍ର ଆହୁରି ମଧ୍ୟ ରାହୁଲଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବିନା ତଥ୍ୟ ଜାଣି ବୟାନବାଜି କରିବା ତାଙ୍କର ଅଭ୍ୟାସରେ ପରିଣତ ହେଲାଣି। ଏମିତିକି ସଂସଦରେ ଭାଷଣ ଦେବା ସମୟରେ ମଧ୍ୟ ପ୍ରିୟଙ୍କା ଗାନ୍ଧୀ ତାଙ୍କ କାନରେ କିଛି ଫୁସଫୁସ୍ ହୋଇ କହୁଥିବାର ଦେଖାଯାଇଥିଲା।
ରାହୁଲ ଗାନ୍ଧୀ ନିଜ ଭାଷଣରେ ଜଣେ ଛାତ୍ରଙ୍କ ଉଦାହରଣ ଦେଇ ଲୋକଙ୍କୁ ତିନି ଭାଗରେ ବିଭକ୍ତ କରିଥିଲେ, ଛାତ୍ର, ‘ଇଡିୟଟ୍’ ଏବଂ ‘ଅନ୍ଧଭକ୍ତ’। ଏହା ଉପରେ ପୁରୀ ସାଂସଦ କଡ଼ା ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, “ମୁଁ ଦୃଢ଼ତାର ସହ କହିବାକୁ ଚାହେଁ ଯେ ଦେଶର କୌଣସି ବି ଛାତ୍ର ‘ଇଡିୟଟ୍’ କିମ୍ବା ‘ଅନ୍ଧଭକ୍ତ’ ନୁହଁନ୍ତି। ଏପରି ଭାଷା ପ୍ରୟୋଗ କରିବା ସମ୍ପୂର୍ଣ୍ଣ ଅନୁଚିତ।”
ସମ୍ବିତ ପାତ୍ର ଶେଷରେ କହିଥିଲେ ଯେ, ପେପର ଲିକ୍ ରୋକିବା ପାଇଁ ସରକାର ଦୃଢ଼ ପଦକ୍ଷେପ ନେଉଛନ୍ତି। ଏ ସମ୍ପର୍କିତ ନୂତନ ଆଇନ ଉପରେ ସଂସଦରେ ୪୫ ଜଣ ସାଂସଦ ଆଲୋଚନା କରିଛନ୍ତି ଏବଂ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ମଧ୍ୟ ବିସ୍ତୃତ ଉତ୍ତର ରଖିଛନ୍ତି। ଏହି ନୂଆ କଠୋର ଆଇନ ପ୍ରଣୟନ ହେଲେ ଭବିଷ୍ୟତରେ ପରୀକ୍ଷା ଦୁର୍ନୀତି ଉପରେ ଲଗାମ ଲାଗିବ ବୋଲି ବିଜେପି ପକ୍ଷରୁ ଦୃଢ଼ୋକ୍ତି ପ୍ରକାଶ କରାଯାଇଛି।