Latest Odisha News

BREAKING NEWS

ସୁପ୍ରିମକୋର୍ଟଙ୍କୁ ମହାରାଷ୍ଟ୍ର ବାଚସ୍ପତିଙ୍କ ଚ୍ୟାଲେଞ୍ଜ!

ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିରେ ଆକ୍ଷେପ ପ୍ରତିଆକ୍ଷେପ ପର୍ବ ତୀଵ୍ର ହୋଇଛି। ପ୍ରତି ମୁହୂର୍ତ୍ତରେ ନୂଆ ରୂପ ନେଉଥିବା ମହାରାଷ୍ଟ୍ର ରାଜନୀତିରେ ନେତାଙ୍କ ମନ୍ତବ୍ୟକୁ ଆନ୍ଦୋଳନ ଆରମ୍ଭ ହୋଇଛି।

ଉଦ୍ଧବ ଠାକରେଙ୍କ ମନ୍ତବ୍ୟକୁ ନେଇ ବିଜେପି ରାସ୍ତାକୁ ଓଲ୍ହାଇଛି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିଶଙ୍କ ବିରୋଧରେ ଉଦ୍ଧବଙ୍କ ଭ୍ରଷ୍ଟ ମନ୍ତବ୍ୟକୁ ନେଇ ବିଜେପି ଆନ୍ଦୋଳନ କରିଛି।

ବିଜେପି ପକ୍ଷରୁ ଉଦ୍ଧବଙ୍କ ବିରୋଧରେ ସ୍ଲୋଗାନ ଦିଆଯିବା ସହ ତାଙ୍କ ମନ୍ତବ୍ୟ ଫେରାଇ ନେବାକୁ ଦାବି ହୋଇଛି। ବିଜେପିର ନାଗପୁର ମୁଖ୍ୟ ପ୍ରବୀଣ ଡାଟକେ ଠାକରେ ତାଙ୍କ ନେତା ଫଡନାଭିଶ ଓ ଅଞ୍ଚଳବାସୀଙ୍କୁ ଅସମ୍ମାନ କରିଥିବା କହିଛନ୍ତି।

ଫଡନାଭିଶଙ୍କର ଏକ ପୁରୁଣା ଭିଡ଼ିଓକୁ ଚଳାଇବା ସହ ସେ କେବେବି ଏନସିପି ସହ ହାତ ମିଳାଇବେନି ବୋଲି କହୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଠାକରେ ବିଜେପିକୁ କଡା ସମାଲୋଚନା କରିଛନ୍ତି। ବିଜେପିର ନାଁ ମାନେ ହଁ ବୋଲି କହି ଦଳକୁ ଅଡୁଆରେ ପକାଇଛନ୍ତି ଠାକରେ। ଯାହାକୁ ନେଇ ଦଳ ଠାକରେଙ୍କୁ ଘେରିଛି।

ନିଜ ମୁଖ୍ୟମନ୍ତ୍ରୀତ୍ବ କାଳରେ ଉଦ୍ଧବ ବିଦର୍ଭ ଓ ନାଗପୁର ସହ ଅନ୍ୟାୟ କରିଥିବା ବିଜେପି ପକ୍ଷରୁ କୁହାଯାଇଛି। ତେଣୁ ଉଦ୍ଧବ ତାଙ୍କ ମନ୍ତବ୍ୟ ଫେରାଇ ନେବାକୁ ବିଜେପି ନେତା ଡାଟକେ ଦାବି କରିଛନ୍ତି। ଏପରିକି ମହାରାଷ୍ଟ୍ରରେ ବିଜେପି ଯୁବ ମୋର୍ଚ୍ଚା ଏ ପ୍ରସଙ୍ଗକୁ ନେଇ ଠାକରେଙ୍କ ବିରୋଧରେ ଜୋରଦାର ପ୍ରଦର୍ଶନ କରାଯାଇଛି।

ସେପଟେ ସିନ୍ଦେ ଗୋଷ୍ଠୀର ୧୬ ଜଣ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ନିଷ୍ପତ୍ତିକୁ ନେଇ ସମୟ ନିର୍ଘଣ୍ଟ ସ୍ଥିର କରିବାକୁ ଉଦ୍ଧବ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ମହାରାଷ୍ଟ୍ର ବାଚସ୍ପତି କଡା ମନ୍ତବ୍ୟ ରଖିଛନ୍ତି।

କୋର୍ଟ ଏ ପ୍ରସଂଗର ଶୁଣାଣି ନେଇ ସମୟସୀମା ଧାର୍ଯ୍ୟ କରିପାରିବେ ନାହିଁ ବୋଲି ବାଚସ୍ପତି ନରୱେକର କହିଛନ୍ତି। ଉଦ୍ଧବ ଗୋଷ୍ଠୀ ବିଧାୟକ ସୁନୀଲ ପ୍ରଭୁ ସୁପ୍ରିମକୋର୍ଟଙ୍କୁ ବାଚସ୍ପତିଙ୍କ ନିଷ୍ପତ୍ତିରେ ବିଳମ୍ବ ପ୍ରସଙ୍ଗକୁ ନେଇ ଅବଗତ କରାଇଛନ୍ତି।

କିନ୍ତୁ କୋର୍ଟ ଏ ପ୍ରସଙ୍ଗରେ ବାଚସ୍ପତିଙ୍କ ଉପରେ କୌଣସି ଚାପ ପ୍ରୟୋଗ କରିପାରିବେ ନାହିଁ ବୋଲି କହିଛନ୍ତି। ସେପଟେ ଆସନ୍ତା ୧୭ ତାରିଖରେ ମହାରାଷ୍ଟ୍ର ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବାରୁ କଂଗ୍ରେସ ବିରୋଧୀ ଦଳ ନେତା ପଦ ଦାବି କରିପାରେ ବୋଲି କୁହାଯାଉଛି।

ଏ ନେଇ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ଏକ ବୈଠକ ମଧ୍ୟ କରିଛନ୍ତି। ବିଜେପି ୱାଶିଂ ମେସିନ ଶବ୍ଦ ବ୍ୟବହାର କରି ମହାରାଷ୍ଟ୍ର ଆତ୍ମସମ୍ମାନରେ ବାଧା ପହଞ୍ଚାଇଛି ବୋଲି କହିବା ସହ ଏହାର ଉଚିତ ଜବାଵ ଦିଆଯିବ ବୋଲି କଂଗ୍ରେସ କହିଛି।

ତେଣୁ ବର୍ତ୍ତମାନ ପରିବର୍ତ୍ତିତ ରାଜନୈତିକ ସ୍ଥିତିରେ କଂଗ୍ରେସକୁ ସୁଦୃଢ଼ କରିବାକୁ ଦଳ ଉଦ୍ୟମ ଆରମ୍ଭ କରିଛି।

Leave A Reply

Your email address will not be published.