Latest Odisha News

‘ଲୋକସଭା ନିର୍ବାଚନରେ ବିଜେପି ଭୋଗିବ କର୍ଣ୍ଣାଟକ ଦଶା’

ଭୁବନେଶ୍ୱର: ବେଙ୍ଗାଲୁରୁରେ ବିରୋଧୀ ଏକତା ବୈଠକ ଅବସରରେ ଏକ ବଡ଼ କଥା କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା। ଗୋଟିଏ ଦଳ ବିରୋଧରେ ଏତେ ବିରୋଧୀ ଦଳ ଏକାଠି ହେଉଛନ୍ତି ବୋଲି ବିଜେପି ପକ୍ଷରୁ ଦିଆଯାଇଥିବା ବୟାନକୁ ନେଇ ସିଦ୍ଦରମେୟା ବିଜେପିକୁ କଡା ଜବାଵ ଦେଇଛନ୍ତି।

କିଛି ମାସ ତଳେ ଶେଷ ହୋଇଥିବା କର୍ଣ୍ଣାଟକ ନିର୍ବାଚନର ଫଳାଫଳ ବିଜେପି ହାରିପାରିବ ବୋଲି ଏକ ସଂକେତ ଦେଇସାରିଛି ବୋଲି ସେ କହିଛନ୍ତି। ଏପରିକି କର୍ଣ୍ଣାଟକର ଯେଉଁ ନିର୍ବାଚନମଣ୍ଡଳୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗସ୍ତ କରି ଜୋରଦାର ପ୍ରଚାର କରିଥିଲେ ସେଠାରେ ବିଜେପି ହାରିଥିଲା।

ତେଣୁ କର୍ଣ୍ଣାଟକରୁ ହିଁ ବିଜେପିର ପତ୍ତନ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କହିଛନ୍ତି। ତେଣୁ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଓ ସହଯୋଗୀ ଦଳ ନିର୍ବାଚନ ହାରିବେ ବୋଲି ସେ କହିଛନ୍ତି।

ମୋଦିଙ୍କ ନେତୃତ୍ୱରେ ଚାଲିଥିବା କେନ୍ଦ୍ର ସରକାର ଦେଶର ଅର୍ଥନୀତିକୁ ବର୍ବାଦ କରିଦେଇଥିବା ବେଳେ ବିଜେପିର ଧର୍ମ ଆଧାରରେ ରାଜନୀତିକୁ ନେଇ ଦେଶବାସୀ ଚିନ୍ତାରେ ଥିବା କୁହାଯାଇଛି।

ଗୋଟିଏ ପଟେ ବିରୋଧୀଙ୍କ ନିର୍ଣ୍ଣାୟକ ବୈଠକ କର୍ଣ୍ଣାଟକରେ ହେଉଥିବା ବେଳେ ସିଦ୍ଦରମେୟାଙ୍କ ଏହି ମନ୍ତବ୍ୟ ଚର୍ଚ୍ଚାକୁ ଆହୁରି ବଢ଼ାଇଦେଇଛି। ବିଜେପିର ସବୁ ଉଦ୍ୟମ ସତ୍ତ୍ୱେ ଦଳ କର୍ଣ୍ଣାଟକରେ ବଡ଼ ଧରଣର ବିପର୍ଯ୍ୟୟ ଭୋଗିଲା। ଯାହାକୁ ବିଜେପିର ରାଜନୈତିକ ପତ୍ତନର ଆରମ୍ଭ ବୋଲି ବିରୋଧୀ ବିଚାର କରୁଛନ୍ତି।

ଖୋଦ ମୋଦିଙ୍କ ସମେତ ବିଜେପିର ସବୁ ପ୍ରଭାବୀ ନେତାଙ୍କ ପ୍ରଚାର ଓ ସ୍ୱତନ୍ତ୍ର ରଣନୀତି ସତ୍ତ୍ୱେ ଦଳ ଅତି ଖରାପ ପ୍ରଦର୍ଶନ କଲା। ଯାହାକୁ କଂଗ୍ରେସ ଓ ବିରୋଧୀ ବିଜେପିର ପତ୍ତନ ପର୍ବର ଆରମ୍ଭ ହୋଇଥିବା କହୁଛନ୍ତି।

ସିଦ୍ଦରମେୟାଙ୍କ ମୁହଁରେ ଏ କଥା ଶୁଣିବାକୁ ମିଳିବା ପରେ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଆଗକୁ ଦେଶର ପାଞ୍ଚୋଟି ରାଜ୍ୟରେ ନିର୍ବାଚନ ଥିବାବେଳେ ସେ ଫଳାଫଳକୁ ସମସ୍ତେ ଅପେକ୍ଷା କରିଛନ୍ତି। ସେସବୁ ରାଜ୍ୟର ନିର୍ବାଚନ ପରେ ଦେଶର ସାଧାରଣ ନିର୍ବାଚନ ହେବାକୁ ଥିବାରୁ ସେ ରାଜ୍ୟର ଫଳାଫଳ ପରେ ହିଁ ଚିତ୍ର ଆହୁରି ସ୍ପଷ୍ଟ ହେବ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.