Latest Odisha News

BREAKING NEWS

ଏନ୍ଏଚ୍-୧୬ରେ ବ୍ରିଜ୍ ଦବିବା ଘଟଣା, ନିର୍ମାଣଗତ ତ୍ରୁଟି ବୋଲି କହିଲା ଏନ୍ଏଚ୍ଆଇ

ଯାଜପୁର: ଚେନ୍ନାଇ ଓ କୋଲକାତାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୧୬ରେ ଯାଜପୁର ରସୁଲପୁର ନିକଟରେ ବ୍ରିଜ୍ ଦବି ଯାଇଛି । ଫଳରେ ଏନ୍ଏଚ୍-୧୬ରେ ବାଧାପ୍ରାପ୍ତ ହୋଇଛି ଯାତାୟତ । ମଙ୍ଗଳବାର ସକାଳୁ ବାଲେଶ୍ୱର-ଭୁବନେଶ୍ୱର ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ସକାଳ ପ୍ରାୟ ୬ଟା ସମୟରେ ସ୍ଥାନୀୟ ଲୋକ ବଡ଼ ଧରଣର ଶବ୍ଦ ଶୁଣିଥିଲେ । ଭୁବନେଶ୍ୱର ଯାଉଥିବା ଏକ ବସ୍ ବ୍ରିଜ୍ ଅତିକ୍ରମ କରିବା ବେଳେ ତାହା ଦବିବାରେ ଲାଗିଥିଲା । ତେବେ ଜଣେ ଟ୍ରାକ୍ଟର ଚାଳକ ଓ ହୋମଗାର୍ଡ ସେହି ରାସ୍ତାରେ ଆସୁଥିବା ଅନ୍ୟ ଗାଡ଼ି ଗୁଡ଼ିକୁ ଅଟକାଇବାରୁ ବଡ଼଼ ଧରଣର ଦୁର୍ଘଟଣା ଟଳି ଯାଇଛି ।

କୁଆଖାଇ ପୋଲିସ ଷ୍ଟେସନର ହୋମଗାର୍ଡଙ୍କ କହିବା ଅନୁସାରେ, ବସ୍ ପରେ ଆନ୍ଧ୍ର ନମ୍ବର ଥିବା ଏକ ଗାଡ଼ି ବ୍ରିଜ୍ ଅତିକ୍ରମ କରୁଥିଲା । ଏହାପରେ ଆମେ କଣ୍ଟେନର ଟ୍ରକ୍ ସହ ଅନ୍ୟ ଗାଡ଼ିକୁ ଅଟକାଇ ଥିଲୁ । ସ୍ଥାନୀୟ ଲୋକ ମଧ୍ୟ ଆସୁଥିବା ଗାଡ଼ିକୁ ଅଟକାଇଥିଲେ ।

ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାଣିକୋଇଲି ଓ ଚଣ୍ଡିଖୋଲ ମଧ୍ୟରେ ଯାତାୟତ ନିୟନ୍ତ୍ରଣ କରିଥିଲା । ଶତାଧିକ ଗାଡ଼ିକୁ ଅପର ପାର୍ଶ୍ୱ ବ୍ରିଜକୁ ଡ୍ରାଇଭର୍ଟ କରାଯାଇଥିଲା । ତେବେ ଅଘଟଣ ଏଡ଼ାଇବା ପାଇଁ ବ୍ରିଜର ଦବି ଯାଇଥିବା ଅଂଶକୁ ବ୍ୟାରିକେଡ୍ କରାଯାଇଛି ।

ତେବେ ବ୍ରିଜ୍ କାହିଁକି ଦବିଲା ତାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ସ୍ଥାନୀୟ ଲୋକେ ନିମ୍ନମାନର କାମ ହୋଇଥିବା ଅଭିଯୋଗ କରିଛନ୍ତି । ଏନ୍ଏଚ୍ଆଇର ଏକ ଟିମ୍ ବ୍ରିଜ୍ ସ୍ଥିତି ନୀରିକ୍ଷଣ କରିଛନ୍ତି । ଏନ୍ଏଚ୍ଆଇର ଚଣ୍ଡିଖୋଲ ପ୍ରକଳ୍ପ ନିର୍ଦ୍ଦେଶକ ଜେପି ବର୍ମା କହିଛନ୍ତି, ପାଖାପାଖି ୨୦୦୮ରେ ବ୍ରିଜ୍ ନିର୍ମାଣ ହୋଇଥିଲା, ଯାହାକି ନିର୍ମାଣଗତ ତ୍ରୁଟି ପାଇଁ ଭୁଶୁଡ଼ି ପଡ଼ିଛି ।

ତେବେ ରକ୍ଷଣାବେକ୍ଷଣରେ ସମସ୍ୟା ନାହିଁ । ପ୍ରକୃତ କାରଣ ଜାଣିବା ପାଇଁ ବୈଷୟିକ ଟିମ୍ ଆସୁଛି । ବ୍ରିଜ୍ କାହିଁକି ଦବିଲା ତାର ତଦନ୍ତ ହେବ ଏବଂ ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ । ନୂଆ ବ୍ରିଜ୍ ନିର୍ମାଣ ପର୍ଯ୍ୟନ୍ତ ଉକ୍ତ ପାର୍ଶ୍ୱରେ ଯାତାୟତ ବନ୍ଦ ରହିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.