ଭୁବନେଶ୍ୱର: ଶଙ୍ଖ ଭବନରେ ବବି ଦାସ-ସୁଜାତା କାର୍ତ୍ତିକେୟନଙ୍କ ବୈଠକ। କାଲି ସୁଜାତାଙ୍କ ଯୋଗଦାନ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ ବବି। ଯାହାକୁ ନେଇ ବିଜେଡି ରାଜନୀତିରେ ପୁଣି ଆରମ୍ଭ ହୋଇଥିଲା ଚର୍ଚ୍ଚା। ସୁଜାତାଙ୍କ ବିଜେଡିରେ ସାମିଲ ଉତ୍ସବକୁ ବିଜେଡି ନେତା ବବି ଦାସ, ବଦ୍ରି ନାରାୟଣ ପାତ୍ର, ରାଜା ସ୍ବାଇଁ, ପ୍ରସନ୍ନ ଆଚାର୍ଯ୍ୟ, ଲତିକା ପ୍ରଧାନ, ବିକ୍ରମ ଆରୁଖ, ଭୂପିନ୍ଦର ସିଂ ଆସିନଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଜୋର୍ ଧରିଥିଲା ଚର୍ଚ୍ଚା। ଏପରିକି ବିଜେଡି ସଂକଟରେ ପଡିଥିବା ଆଲୋଚନା ହୋଇଥିଲା। କିଛି ଲୋକ ବବି ରାଗିକି ମିଶ୍ରଣ ପର୍ବକୁ ଆସି ନ ଥିବା କହିଥିଲେ। ହେଲେ ଆଜି ସୁଜତା ଓ ବବି ଦାସଙ୍କ ବୈଠକ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଛି।
ଏବେ ଶଙ୍ଖ ଭବନରେ ସୁଜାତା ରାଉତ ଓ ବବି ଦାସଙ୍କ ବୈଠକ ହେବା ପରେ ଏହାର ରାଜନୈତିକ ଗୁରୁତ୍ୱକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ତେବେ ବୈଠକରେ କେଉଁ ସବୁ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି, ସେନେଇ କୌଣସି ଆନୁଷ୍ଠାନିକ ସୂଚନା ସାମ୍ନାକୁ ଆସିନାହିଁ । ତଥାପି ଏହି ବୈଠକ ବିଜେଡିର ଆଭ୍ୟନ୍ତରୀଣ ରାଜନୀତିରେ ଆଗାମୀ ଦିନରେ ନୂଆ ସମୀକରଣର ସଙ୍କେତ ଦେଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ।
ସୂଚନାଯୋଗ୍ୟ, ଶଙ୍ଖ ଭବନ ଅଡିଟୋରିୟମ ଭିତରେ ଖୁବ୍ କମ୍ ଲୋକଙ୍କୁ ନେଇ ଏକ କବାଟ ବନ୍ଦ ମିଶ୍ରଣ ପର୍ବ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗୁରୁବାର ଅନୁଷ୍ଠିତ ହୋଇଥିଲୋ। ସୁଜାତା ପାଣ୍ଡିଆନ ବିଧିବଦ୍ଧ ଭାବେ ନବୀନଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିଲେ ସୁଜାତା ଶଙ୍ଖ ଭବନକୁ ଯେତେବେଳେ ଆସିଲେ ତାଙ୍କ ପୂର୍ବରୁ ଦ୍ୱିତୀୟ ମହଲାରେ ବିଜେଡିର କେତେଜଣ ବିଧାୟକ, ଏମ୍ପି, ପୂର୍ବତନ ବିଧାୟକ ଓ ଏମ୍ପି ଆସି ଅପେକ୍ଷାକରି ରହିଥିଲେ। ସୁଜାତା ଯେତେବେଳେ ଅଡିଟୋରିୟମ ଭିତରକୁ ପ୍ରବେଶ କଲେ ତାଙ୍କ ସହ ସେହି ନେତ୍ରୀ-ନେତାମାନେ ଭିତରକୁ ମଧ୍ୟ ପ୍ରବେଶ କଲେ। ଏହାପରେ ସବୁଆଡୁ ଅଡିଟୋରିୟମର ଦୁଆର ବନ୍ଦ କରିଦିଆଗଲା। ଭିତରେ ମିଶ୍ରଣ ପର୍ବ ଆରମ୍ଭ ହେଲା। କାର୍ଯ୍ୟକ୍ରମ ଶେଷ ହେବାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବୀନ କହିଥିଲେ, ଜଣେ ସାଧାରଣ ସଦସ୍ୟ ଭାବେ ସୁଜାତା ବିଜେଡିରେ ଯୋଗ ଦେଲେ। ଏଥିସହ ୨୦୨୯ ନିର୍ବାଚନ ନିଜ ନେତୃତ୍ୱରେ ଲଢ଼ାଯିବ ବୋଲି ନବୀନ ପଟ୍ଟନାୟକ କହିଥିଲେ। ଗଣମାଧ୍ୟମ ପଚାରିବା ଆଗରୁ ୨୦୨୯ ନିର୍ବାଚନ ପର୍ଯ୍ୟନ୍ତ ନେତୃତ୍ୱ ନିଜେ ନେବେ ବୋଲି ନବୀନ ପଟ୍ଟନାୟ ଆଗୁଆ କହିଦେଇଥିଲେ।
