Latest Odisha News

BREAKING NEWS

ନୋଇଡ଼ାରୁ ଆସିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ; ଜନ୍ମମାଟିରେ ହେବ ଶେଷକୃତ୍ୟ

ଭୁବନେଶ୍ୱର: ଜାପାନର ଟୋକିଓ ସହରରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆ ଯୁବକଙ୍କ ମରଶରୀରକୁ ଗତକାଲି ଫେରାଇ ଅଣାଯାଇଥିବା ବେଳେ ଆଜି ନୋଇଡାରୁ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ତାଙ୍କର ଜନ୍ମମାଟିକୁ ଅଣାଯାଇଛି ।

ଗଜପତି ଜିଲ୍ଲା ଘୋରଣୀ ଅନ୍ତର୍ଗତ ଲାଲୁସାହିର ଅଭିମନ୍ୟୁ ଦୋରା(୨୫) ନାମକ ଜଣେ ଯୁବକ ସୁଦୂର ନୋଇଡ଼ାର ଏକ ସଂସ୍ଥାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଶନିବାର ଦିନ ହଠାତ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା ।

ପ୍ରାପ୍ତ ସୂଚନାନୁଯାୟୀ ପରିବାର ଲୋକେ ନିଜ ଆତ୍ମୀୟଙ୍କ ମୃତଦେହକୁ ଜନ୍ମମାଟିକୁ ଫେରାଇ ଆଣିବା ଓଡିଶା ସରକାରଙ୍କ ‘ମୋ ପରିବାର’ ଲୋଡିଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ‘ଓଡ଼ିଶା-ମୋ ପରିବାର’ ଆବାହକ ଅରୂପ ପଟ୍ଟନାୟକଙ୍କ ତତ୍ୱାବଧାନରେ ନୋଇଡ଼ା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇ ଶବ ଫେରାଇ ଆଣିବାର ବନ୍ଦୋବସ୍ତ କରାଯାଇଥିଲା । ପରବର୍ତ୍ତୀ ସମୟରେ ଆଜି ଦିଲ୍ଲୀରୁ ଏୟାର ଇଣ୍ଡିଆ ବିମାନରେ ଅଭିମନ୍ୟୁଙ୍କ ଶବ ଅଣାଯାଇଥିଲା ଭୁବନେଶ୍ୱର ।

‘ଓଡ଼ିଶା-ମୋ ପରିବାର’ ର ଉପଦେଷ୍ଟା ବିବେକ ପଟ୍ଟନାୟକ, ସଭ୍ୟ ତଥା ବିଧାୟକ ସୁଶାନ୍ତ ରାଉତ, ସଭ୍ୟ ଭାରତୀ ସିଂଙ୍କ ସମେତ ଅନ୍ୟମାନେ ମୃତ ଶରୀରକୁ ବିମାନବନ୍ଦରରୁ ପାଛୋଟି ଆଣିଥିଲେ । ପରବର୍ତ୍ତୀ ସମୟରେ ଉଭୟଙ୍କ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯିବା ସହ ଆମ୍ବୁଲାନସ୍ ଯୋଗେ ତାଙ୍କ ଜନ୍ମମାଟିକୁ ପଠାଇ ଦିଆଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.