Latest Odisha News

BREAKING NEWS

IIC ବିୟୁଟିଙ୍କ ମୃତ୍ୟୁ ମାମଲା: ମିଳିଛି ଡିଜିଟାଲ ପ୍ରମାଣ

କଟକ: ଚାଉଳିଆଗଞ୍ଜ ଥାନା IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣା ଏବେ ଏକ ବଡ଼ ରହସ୍ୟ ଘେରରେ ରହିଛି। ପୋଲିସ ଏହାକୁ ଏକ ଅସ୍ୱାଭାବିକ ମୃତ୍ୟୁ (UD Case) ଭାବେ ପଞ୍ଜିକରଣ କରି ତଦନ୍ତ ଜାରି ରଖିଛି। ଉକ୍ତ ମାମଲାର ତଦନ୍ତ ପାଇଁ ଗଠିତ ହୋଇଛି ୩ଟି ସ୍ବତନ୍ତ୍ର ଟିମ୍। ଏନେଇ ସୂଚନା ଦେଲେ କଟକ ଡିସିପି ଋଷିକେଶ ଖିଲାରୀ। ଅନ୍ୟପଟେ ବିୟୁଟି ମହାନ୍ତିଙ୍କ ଗୋଟିଏ ଫୋନର ଡିଟେଲସ୍ ଆସିଲା। ଷ୍ଟେଟ୍ ଫୋରେନସିକ୍ ଲ୍ୟାବରୁ ଆସିଛି ତଥ୍ୟ। ମିଳିଛି ଡିଜିଟାଲ ପ୍ରମାଣ। ଆଉ ଏକ ଫୋନ ରିପୋର୍ଟକୁ ଅପେକ୍ଷା କରାଯାଇଛି।

କମିଶନରେଟ ପୋଲିସର ତିନିଟି ଟିମ୍ ତଦନ୍ତ କରୁଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ, କଲ ରେକର୍ଡ ଏବଂ ଡିଜିଟାଲ ଏଭିଡେନ୍ସ ଉପରେ ଟିମ୍ କାମ କରୁଛନ୍ତି। ଜୀବନ ହାରିବାର କାରଣ ସମ୍ପର୍କରେ ଏବେ ପର୍ଯ୍ୟନ୍ତ ସେଭଳି କିଛି ସୁରାକ୍ ପାଇ ନାହିଁ ପୋଲିସ। ବ୍ୟାଙ୍କର ଆର୍ଥିକ କାରବାର ନେଇ ମଧ୍ୟ ଯାଞ୍ଚ ଚାଲିଛି। ସେଭଳି କିଛି ସନ୍ଦେହଜନକ କାରବାର ଥିବା ସାମ୍ନାକୁ ଆସିନାହିଁ। ମୃତ ଆଇଆଇସିଙ୍କ ସହ ଯେଉଁମାନେ ଘଟଣାର କିଛି ଦିନ ପୂର୍ବରୁ ନିରନ୍ତର ଫୋନ ଯୋଗେ ଯୋଗାଯୋଗରେ ଥିଲେ, ସେମାନଙ୍କୁ ଡାକି ପଚରାଉଚରା କରାଯାଉଥିବା କହିଛନ୍ତି କଟକ ଡିସିପି।

ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛି ପ୍ରଥମ ପୋଲିସ୍‌ ଟିମ୍। ମୃତ୍ୟୁ ପୂର୍ବର ଶେଷ ଯୋଗାଯୋଗକୁ ନେଇ ଦ୍ୱିତୀୟ ଟିମ କରୁଛି ପଚରାଉଚରା। ସାଇଣ୍ଟିଫିକ୍ ଏବଂ ଡିଜିଟାଲ୍ ପ୍ରମାଣ ଉପରେ କାମ କରୁଛି ତୃତୀୟ ସ୍ୱତନ୍ତ୍ର ଟିମ୍‌। SFSL ରୁ ପୋଲିସକୁ ମିଳିଛି ଆଂଶିକ ଡିଜିଟାଲ୍ ରିପୋର୍ଟ। ସେପଟେ ମୋବାଇଲ୍ ଫୋନ୍‌ରୁ ମିଳିଥିବା ଡାଟାର ବି ଚାଲିଛି ବିଶ୍ଳେଷଣ । ଅଲଗା ଅଲଗା ଫର୍ମାଟ୍‌ରେ ରିପୋର୍ଟ ଆସୁଥିବାରୁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଜଣେ ଅତିରିକ୍ତ ଡିସିପି ରାଙ୍କ୍‌ର ଅଧିକାରୀ ପୂରା ତଦନ୍ତ ପ୍ରକ୍ରିୟାର ସୁପରଭିଜନ କରୁଛନ୍ତି। ମାମଲାର ପ୍ରଗତି ଉପରେ ନଜର ରଖିଛନ୍ତି ନିଜେ କଟକ ଡିସିପି। ତଦନ୍ତରେ ସହାୟତା ପାଇଁ ପରିବାର ଲୋକଙ୍କ ସହ କ୍ରମାଗତ ଯୋଗାଯୋଗ କରାଯାଉଥିବା ଡିସିପି କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ କେବଳ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.