Latest Odisha News

BREAKING NEWS

ବ୍ରହ୍ମପୁରରେ ବୁଷ୍ଟର ଡୋଜ୍‌: ପ୍ରଥମ ଦିନରେ ୨୩ ଶହଙ୍କୁ ମିଳିଲା ଟୀକା

ବ୍ରହ୍ମପୁର:ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏହାର ମୁକାବିଲା ପାଇଁ ବ୍ୟାପକ ଟିକାକରଣ ଉପରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଅଧିକରୁ ଅଧିକ କ୍ୟାମ୍ପ ଆୟୋଜନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।

ଏହି କ୍ରମରେ ବ୍ରହ୍ମପୁର ସହରରେ କରୋନା ଟିକାର ବୁଷ୍ଟର୍‌ ଡୋଜ୍‌ ପ୍ରଦାନ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି । ବୈକୁଣ୍ଠନଗର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଶୁକ୍ରବାର ପୂର୍ବାହ୍ନରେ ମେୟର ସଂଘମିତ୍ରା ଦଳେଇ ଟିକାକରଣ ଅଭିଯାନର ଶୁଭାରମ୍ଭ କରିଥିଲେ ।

୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମାଗଣାରେ ବୁଷ୍ଟର ଡୋଜ୍‌ ପ୍ରଦାନ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଇଥିବା ଯୋଗୁ ସେ ଧନ୍ୟବାଦ ଜଣାଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର ଇ.ବିବେକ ରେଡ଼ି, ଜିଲା ଜନସ୍ବାସ୍ଥ୍ୟ ତଥା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମା ଶଙ୍କର ମିଶ୍ର, କର୍ପୋରେଟର ଦୁର୍ଗା କୁମାର ଲାୟକ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ(ସହରାଞ୍ଚଳ) ଡା.ମନୋଜ କୁମାର ପଣ୍ଡା, ସହରାଞ୍ଚଳ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ମାନସ ରଞ୍ଜନ ପଣ୍ଡା, ନଗର କାର୍ଯ୍ୟକ୍ରମ ପରିଚାଳକ ଲମ୍ବୋଦର ଦିଗାଲଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ପ୍ରଥମ ଦିନରେ ୨୨୯୨ଜଣଙ୍କୁ ବୁଷ୍ଟର୍‌ ଡୋଜ୍‌ ଦିଆଯାଇଛି। ଶୁକ୍ରବାର ପ୍ରଥମ ଦିନରେ ୬୦ ବର୍ଷରୁ ଅଧିକ ୯୪ଜଣଙ୍କୁ ବୁଷ୍ଟର ଡୋଜ୍‌ ପ୍ରଦାନ କରାଯାଇଛି । ସେହିଭଳି ଘରୋଇ ହସ୍‌ପିଟାଲ୍‌ରେ ୧୮ରୁ ୫୯ ବର୍ଷୀୟ ୨୯ଜଣ ଏବଂ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୧୩୧ଜଣଙ୍କୁ ବୁଷ୍ଟର ଡୋଜ୍‌ ଦିଆଯାଇଛି ।

୧୬ଜଣ ସ୍ବାସ୍ଥ୍ୟ କର୍ମୀ ଏବଂ ୨୨ଜଣ ସମ୍ମୁଖ ଯୋଦ୍ଧାଙ୍କୁ ମଧ୍ୟ ବୁଷ୍ଟର ଡୋଜ୍‌ ମିଳିଛି । ଏଭଳି ଭାବେ ମୋଟ ୨୨୯୨ଜଣ ବୁଷ୍ଟର ଡୋଜ୍‌ ନେଇଛନ୍ତି। ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ମାଗଣାରେ ବୁଷ୍ଟର ଡୋଜ୍‌ ପ୍ରଦାନ କରାଯିବ।

ସହରର ୮ଟି ପ୍ରାଥମିକ ସ୍ବାସ୍ଥ୍ୟରେ ବୁଷ୍ଟର୍‌ ଡୋଜ୍‌ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଚାହିଦାକୁ ଦେଖି ଆଉ ୨ଟି ସ୍ଥାନକୁ ସାମିଲ କରାଯାଇଛି । ସେଗୁଡ଼ିକ ହେଲା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଏବଂ ଟାଉନ୍‌ ହଲ୍‌ ।

ବ୍ରହ୍ମପୁର ସହରରେ ୧୮ରୁ ୫୯ ବର୍ଷୀୟ ୨ ଲକ୍ଷ ୭୦ ହଜାର ଜଣ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍‌ ଦେବାକୁ ଯୋଜନା ରହିଛି । ଦୈନିକ ୪ ହଜାର ଡୋଜ୍‌ ପାଇଁ ନିଷ୍ପତ୍ତି ହୋଇଛି । ସେହିଭଳି ସହରରେ ଥିବା ଜେଲ୍‌, ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଆବାସ(ଜୁଭେନାଇଲ୍‌ ଜେଲ୍‌), ହଷ୍ଟେଲ୍‌ ସହିତ ସ୍କୁଲଗୁଡ଼ିକରେ ମଧ୍ୟ ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.