Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବେଢା ପରିକ୍ରମା ଵିଧି ପାଳନ କରି ଆମେ ପହଞ୍ଚି ଯାଇଛେ ପ୍ରଭୁ ଶ୍ରୀ ପାତାଳେଶ୍ୱରଙ୍କ ପାଖରେ, ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଇଶି ପାହାଚ ପରି ଏଠାରେ ମଧ୍ୟ ବାଇଶି ପାହାଚ, ଯାହାକି ତିନିଟି ସୋପାନରେ ଅଛି ପ୍ରଥମେ ୫ ଟି ପାହାଚ ପରେ ଏକ ଖିଲାଣ ଓ ମୂଖ୍ୟ ଦ୍ୱାର, ତାପରେ ୯ ଟି ପାହାଚ ପରେ ଦ୍ଵିତୀୟ ସୋପାନରେ ଖିଲାଣ, ସେଥିରେ ନବଗ୍ରହଙ୍କ ମୂର୍ତ୍ତି ତତପରେ ଶୂକ୍ରାଚାର୍ଯ୍ୟଙ୍କ ମୂର୍ତ୍ତି ,ଉପରେ ରାହୁ ମୂର୍ତ୍ତି ଓ ରlମାନନ୍ଦୀ ଚିତା ଅଙ୍କିତ ହୋଇଛି। ଏହି ଖିଲାଣ ବାମ ପାର୍ଶ୍ଵରେ ଏକ କ୍ଷୁଦ୍ର ବୃଷଭ ମୂର୍ତ୍ତି, ଏହି ବୃଷଭ ଙ୍କ ପାଖରୁ ୮ ଟି ପାହାଚ ତଳକୁ ଗଲେ ପ୍ରଭୁଙ୍କ ଆସ୍ଥାନ। କିମ୍ବଦନ୍ତୀ କହେ ଭଗବାନ ବିଷ୍ଣୁ ବାମନ ଅବତାର ଗ୍ରହଣ କରି ଦୁଇ ପାଦରେ ପୃଥିବୀ ଓ ଆନ୍ତରିକ୍ଷ ଆଚ୍ଛାଦିତ କରିବା ପରେ ନାଭିରୁ ତୃତୀୟ ପାଦ ବାହାରି ବଳି ରାଜାଙ୍କୁ ସ୍ଥାନ ମାଗିବାରୁ ବଳି ଆରାଧ୍ୟ ଶିବଙ୍କୁ ପାର୍ଥନା ପୂର୍ବକ ନିର୍ଭୟରେ ନିଜ ମସ୍ତକ ଦେଖାଇ, ପାତାଳ ଗମନ କଲେ ଓ ଶିବ ଠାକୁର ଏଠି ପାତାଳେଶ୍ୱର ହୋଇ ରହିଗଲେ। କିଛି କିଛି ଜନସ୍ମୃତି କହେ ସ୍ୱୟଂ ବଳିମହାରାଜ ଶିବ ପାଲଟି ଯାଇ ଏହି ପାତlଳେଶ୍ୱର ହୋଇଯାଇଛନ୍ତି. ସେ ଯାହା ହେଉ ଶ୍ରୀ ପାତାଳେଶ୍ୱର ଙ୍କ ଦୈନିକ ନୀତି ପାଇଁ ବଲ୍ଳଭ ୧ ଓଳି, କୋରା ଏକ ଗୋଟି, କୋଠରୁ ମିଳିଥାଏ। ଶିବରାତ୍ର ଦିନ (ଜାଗର )କିଛି ବିଶେଷ ପୂଜା ଓ ଭୋଗ ହୋଇଥାଏ, ଯାହାକି ସେବକ ନିଜ ତରଫରୁ କରିଥାନ୍ତି। ପ୍ରଚଳିତ ପ୍ରଥା ଅନୁଯାୟୀ ଶ୍ରୀ ପାତlଳେଶ୍ୱରଙ୍କ ଦର୍ଶନ ପରେ ଦେବଯାନ ଦର୍ଶନ ବିଧି ପାଳନ କରାଯାଏ। ଉତ୍ତର ଦ୍ୱାର ମୋକ୍ଷ ଦ୍ୱାର ହୋଇଥିବାରୁ ଏହି ମାର୍ଗରେ ଅବସ୍ଥିତ ଐଶାନେଶ୍ୱର, ଶୀତଳା, ଲୋକେଶ୍ୱର, ଉତ୍ତରାୟଣୀ, ବୈକୁଣ୍ଠେଶ୍ୱର ଓ ତପସ୍ବୀ ହନୁମାନ ଦର୍ଶନ ହିଁ ଦେବଯାନ ଦର୍ଶନ ନାମ ବହନ କରିଛି ଓ ଏହା ଅତ୍ୟନ୍ତ ପୁଣ୍ୟପ୍ରଦ ଅଟେ। ଆସନ୍ତୁ ତେବେ କରିବା ଆରାଧନା ଓ ଭାଗବତ ପଠନ, ହେବ ପୁଣ୍ୟ ଉପାର୍ଜନ ।

ଏଣୁ ପଣ୍ଡିତ ଜନ ଯେତେ
କର୍ମ ସାଧିବ ସତ୍ୱ ମତେ।
ଯାବତ ନାହିଁ ଆତ୍ମ ଜ୍ଞାନ
ତlବତ କର୍ମେ ଥିବ ମନ ।
ସାତ୍ଵିକ ସେବା ତତ ପରେ
ସତ୍ୱ ବଢ଼ଇ ନିରନ୍ତରେ ।
ତେଣେ ବିଶୁଦ୍ଧ ହୋଏ ମନ
ନିର୍ମଳ ପ୍ରକାଶଇ ଜ୍ଞାନ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.