Latest Odisha News

BREAKING NEWS

ପିଏମ ସୂର୍ଯ୍ୟଘରକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ, ପ୍ରତି ଘରକୁ ମିଳିବ ୭୮ହଜାରର ସବସିଡି

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ୍ ଯୋଜନାକୁ ମିଳିଲା କ୍ୟାବିନେଟ୍ ଅନୁମୋଦନ । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏକ ପ୍ରେସ୍ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପିଏମ୍ ସୂର୍ଯ୍ୟଘର ମାଗଣା ବିଦ୍ୟୁତ ଯୋଜନାକୁ ମଞ୍ଜୁରୀ ମିଳିଛି । ଏହି ଯୋଜନା ଜରିଆରେ ୧କୋଟି ଘରକୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ମିଳିବା ସହିତ ବାର୍ଷିକ ୧୫୦୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ହେବ । ୨ କିଲୋୱାଟ ପର୍ଯ୍ୟନ୍ତ ସୌର ପ୍ଲାଣ୍ଟ ପାଇଁ ସରକାର ୬୦ ପ୍ରତିଶତ ସବସିଡି ଦେବେ । ଏହା ପରେ ଯଦି ୧ କିଲୋୱାଟ ଅଧିକ ବୃଦ୍ଧି କରିବାକୁ ହୁଏ ତେବେ ୪୦ ପ୍ରତିଶତ ସବସିଡି ଦିଆଯିବ । ପ୍ରତ୍ୟେକ ପରିବାରକୁ ସୋଲାର୍ ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରାୟ ୭୮,୦୦୦ ଟଙ୍କା ସବସିଡି ପାଇବେ। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି କ୍ୟାବିନେଟରେ ୭୫,୦୨୧ କୋଟି ଟଙ୍କା ବ୍ୟୟରେ ଏକ କୋଟି ଘରେ ଛାତ ଉପରେ ସୌର ଶକ୍ତି ପ୍ୟାନେଲ ସ୍ଥାପିତ କରିବା ପାଇଁ ପିଏମ୍ ସୂର୍ଯ୍ୟଘର ଯୋଜନାକୁ ମଞ୍ଜୁରୀ ଦିଆଯାଇଛି ।

୧୩ ଫେବୃୟାରୀରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଯୋଜନା ଲଞ୍ଚ କରିଥିଲେ । ନାଗରିକମାନଙ୍କୁ ପ୍ରତି ମାସରେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମାଗଣା ବିଦ୍ୟୁତ୍ ଯୋଜନା’ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଏଥିରେ ପ୍ରତି ପରିବାର ଲାଗି ୨ କିଲୋୱାଟ ପର୍ଯ୍ୟନ୍ତ ରୁଫ୍ ଟପ୍ ସୋଲାର ପ୍ଲାଣ୍ଟର ଖର୍ଚ୍ଚ ୧୪୫୦୦୦ଟଙ୍କା ରହିବ । ଏଥିରେ ୭୮,୦୦୦ଟଙ୍କାର ସବସିଡି ସରକାର ଦେବେ । ଏହାକୁ ନେଇ ନ୍ୟାସନାଲ ପୋର୍ଟାଲ ଲଞ୍ଚ କରାଯାଇଛି ଓ ଘର ମାଲିକ ଏହା ଉପରେ ଭେଣ୍ଡର ଚୟନ କରିପାରିବେ । ଏଥିପାଇଁ ସହଜ କିସ୍ତିରେ ବ୍ୟାଙ୍କରୁ ଲୋନ୍ ମଧ୍ୟ ମିଳିବ । ପିଏମ୍ ସୂର୍ଯ୍ୟଘର ଯୋଜନା ଜରିଆରେ ପ୍ରତି ଗ୍ରାମରେ ମଡେଲ ସୋଲାର ଭିଲେଜ୍ ନିର୍ମାଣ କରାଯିବ ।

 

Leave A Reply

Your email address will not be published.