Latest Odisha News

BREAKING NEWS

୨୪ରୁ ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ, ୨୫ରେ ଆଗତ ହେବ ସିଏଜି ରିପୋର୍ଟ

ନୂଆଦିଲ୍ଲୀ: ନୂଆ ସରକାର ଗଠନ ହେବାପରେ ଫେବୃଆରୀ ୨୪ରୁ ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ। ଅରବିନ୍ଦର ସିଂହ ଲଭଲି କାମଚଳା ବାଚସ୍ପତି ହେବେ ଏବଂ ନବନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଇବେ। ୨୭ ବର୍ଷ ପରେ ବିଜେପି ସରକାରଙ୍କ ଏହି ପ୍ରଥମ ଅଧିବେଶନ ତିନି ଦିନ ଅର୍ଥାତ ଫେବ୍ରୁଆରୀ ୨୭ ଯାଏ ଚାଲିବ ।

ଏହି ଅବଧି ମଧ୍ୟରେ ୩ଟି କାର୍ଯ୍ୟଦିବସ ପଡି଼ବ। ୨୬ ତାରିଖରେ ଶିବରାତ୍ରୀ ଲାଗି ଛୁଟି ରହିବ । ବାଚସ୍ପତି ପଦ ଲାଗି ଆଶାୟୀ ଥିବା ବିଜେନ୍ଦ୍ର ଗୁପ୍ତା ଆଜି କହିଛନ୍ତି, ଅରବିନ୍ଦର ସିଂହ ଲଭ୍‌ଲିଙ୍କୁ କାମଚଳା ବାଚସ୍ପତି କରାଯିବ । ୨୪ ତାରିଖରେ ନବନିର୍ବାଚିତ ୭୦ ବିଧାୟକ ଶପଥ ନେବେ। ଏହାପରେ ବାଚସ୍ପତି ଓ ଉପବାଚସ୍ପତିଙ୍କୁ ଚୟନ କରାଯିବ। ୨୫ ତାରିଖରେ ସରକାର ସିଏଜି ରିପୋର୍ଟ ଆଗତ କରିବେ। ସେପଟେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଦିନକ ପରେ ରେଖା ଗୁପ୍ତା ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ଓ ତାଙ୍କ ମନ୍ତ୍ରୀମାନଙ୍କର ବ୍ୟକ୍ତିଗତ ଷ୍ଟାଫଙ୍କୁ ହଟାଇ ଦେଇଛନ୍ତି ।

ଏହାଛଡ଼ା ଆତିଶୀ ସରକାର ଯେଉଁ ଅଧିକାରୀ କର୍ମଚାରୀମାନଙ୍କୁ ଅନ୍ୟତ୍ର ନିଯୁକ୍ତ କରିଥିଲେ ସେମାନଙ୍କୁ ତୁରନ୍ତ ମୂଳ ବିଭାଗରେ ରିପୋର୍ଟ କରିବାକୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶୁକ୍ରବାର ସଚିବାଳୟରେ ପହଞ୍ଚି ମନ୍ତ୍ରୀ- ଅଧିକାରୀମାନଙ୍କ ସହିତ ବୈଠକ କରିଥିଲେ। ସେଥିରେ ଦିଲ୍ଲୀ ଜଳ ବୋର୍ଡ, ପୂର୍ତ୍ତ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ଡକାଯାଇଥିଲା। ବୈଠକରେ ଖରାପ ରାସ୍ତା, ପାଣି ଓ ମୋହଲ୍ଲା କ୍ଲିନିକ୍‌କୁ ନବୀକରଣ କରିବା ନେଇ ଚର୍ଚ୍ଚା ହୋଇଥିଲା। ଶପଥ ନେବାପରେ ପ୍ରଥମ କ୍ୟାବିନେଟ୍‌ ବୈଠକରେ ସେ ଦିଲ୍ଲୀରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ଉପରେ ମୋହର ଲଗାଇଥିଲେ।

Comments are closed.