ନୂଆଦିଲ୍ଲୀ: ଭାରତର ମହାକାଶ ମିଶନରେ ଆଉ ଏକ ବଡ଼ ପରୀକ୍ଷା। ଅନ୍ତରୀକ୍ଷରୁ ଭାରତ ଉପରେ ନଜର ରଖିବାକୁ ଯାଉଛି ଦେଶର ଅତ୍ୟାଧୁନିକ ‘ଆକାଶ ଆଖି(Eye in the Sky)’EOS-05। ଏହାକୁ ନେଇ GSLV-F17 ରକେଟ୍ ସେପ୍ଟେମ୍ବର ୪ ତାରିଖ ଭୋର ୨ଟା ୫୫ ମିନିଟ୍ରେ ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟରର ଦ୍ୱିତୀୟ ଲଞ୍ଚ ପ୍ୟାଡ୍ରୁ ଉଡ଼ାଣ ଭରିବ।
ତେବେ ଏହା କେବଳ ଆଉ ଏକ ସାଟେଲାଇଟ୍ ଲଞ୍ଚ ନୁହେଁ। EOS-05 ହେଉଛି ଜିଓସିଙ୍କ୍ରୋନସ୍ କକ୍ଷରୁ କାମ କରିବାକୁ ଯାଉଥିବା ଭାରତର ପ୍ରଥମ ଇମେଜିଂ ଆର୍ଥ ଅବଜରଭେସନ୍ ସାଟେଲାଇଟ୍। ପ୍ରାୟ ୨,୩୬୭ କିଲୋଗ୍ରାମ୍ ଓଜନର ଏହି ଉପଗ୍ରହ ପୃଥିବୀଠାରୁ ପ୍ରାୟ ୩୬ ହଜାର କିଲୋମିଟର ଉଚ୍ଚତାରୁ ଭାରତ ଓ ଏହାର ଆଖପାଖ ଅଞ୍ଚଳ ଉପରେ ନଜର ରଖିବ।
ଏହାର ବଡ଼ ବିଶେଷତା ହେଉଛି ଲଗାତାର ଇମେଜିଂ କ୍ଷମତା। ଅର୍ଥାତ୍ ଚୟନିତ ଅଞ୍ଚଳର ଛବି ପ୍ରାୟ ପ୍ରତି ୫ ମିନିଟ୍ରେ ଏବଂ ବ୍ୟାପକ ଭାରତୀୟ ଅଞ୍ଚଳର କଭରେଜ୍ ପ୍ରାୟ ୩୦ ମିନିଟ୍ରେ ମିଳିପାରିବ। ଫଳରେ ବନ୍ୟା, ବାତ୍ୟା, ଜଙ୍ଗଲ ନିଆଁ, କୃଷି, ପରିବେଶ ପରିବର୍ତ୍ତନ ଓ ବିପର୍ଯ୍ୟୟ ପରିଚାଳନାରେ ଏହା ବେଶ୍ ଉପଯୋଗୀ ହେବ। ଏହାସହ ସୀମା ଅଞ୍ଚଳ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଓ ସମୁଦ୍ର ଅଞ୍ଚଳରେ ବଦଳୁଥିବା ପରିସ୍ଥିତି ଉପରେ ନଜର ରଖିବାରେ ମଧ୍ୟ ଏହା ସହାୟକ ହୋଇପାରିବ। ଅର୍ଥାତ୍, ପାଣିପାଗରୁ ଜାତୀୟ ସୁରକ୍ଷା, ସବୁକିଛି ଉପରେ EOS-05ର ନଜର ରହିବ।
କିନ୍ତୁ ଏହି ମିଶନ୍ର ଆଉ ଏକ ବଡ଼ ଦିଗ ରହିଛି। GSLVକୁ ISROରେ ଅନେକ ସମୟରେ ‘ଦୁଷ୍ଟ ବାଳକ (Naughty Boy)’ ବୋଲି କୁହାଯାଏ। କାରଣ ପ୍ରାରମ୍ଭିକ ୧୮ଟି ଉଡ଼ାଣ ମଧ୍ୟରୁ ୬ଟି ପୂର୍ଣ୍ଣ ସଫଳ ହୋଇନଥିଲା। ୨୦୨୧ରେ GSLV-F10 ଜରିଆରେ EOS-03 ମିଶନ୍ ମଧ୍ୟ ବିଫଳ ହୋଇଥିଲା। ଏବେ ପାଞ୍ଚ ବର୍ଷ ପରେ EOS-05 ମାଧ୍ୟମରେ ଭାରତ ପାଇଁ ଏକ ବଡ଼ ‘କମବ୍ୟାକ୍’ର ସୁଯୋଗ। ଏହି GSLV Mk-IIରେ ଭାରତର ସ୍ୱଦେଶୀ କ୍ରାୟୋଜେନିକ୍ ଅପର୍ ଷ୍ଟେଜ୍ ରହିଛି, ଯାହା ଭାରତର ନିଜସ୍ୱ ରକେଟ୍ ପ୍ରଯୁକ୍ତିର ଦୀର୍ଘ ସଂଘର୍ଷର ପରିଣାମ। ୫୧.୭ ମିଟର ଉଚ୍ଚ ଏବଂ ପ୍ରାୟ ୪୨୦.୫ ଟନ୍ ଓଜନର GSLV-F17 ତିନୋଟି ଷ୍ଟେଜ୍ରେ EOS-05କୁ କକ୍ଷରେ ପହଞ୍ଚାଇବ। ତେଣୁ ଏଥର ଏହି ଦୁଷ୍ଟ ବାଳକ ISROର ଭରସା ଫେରାଇବା ସହ ଭାରତକୁ ସଫଳତା ଦେଉଛି ନା ପୁଣି ତାର ଚପଳତା ଦେଖାଉଛି ତା ଉପରେ ସମସ୍ତଙ୍କ ନଜର ରହିଛି ।

