Latest Odisha News

BREAKING NEWS

ଭଦ୍ରକରେ ଅର୍ଜୁନ ସେଠୀଙ୍କୁ ହରାଇବାର କ୍ଷତିକୁ ଭରଣା କରିପାରିବ ତ ବିଜେଡ଼ି?

ଭୁବନେଶ୍ୱର: ଦୁଇ ଦଶନ୍ଧି ଧରି ସାଂସଦ ଅର୍ଜୁନ ସେଠୀଙ୍କ ନେତୃତ୍ୱରେ ଭଦ୍ରକ ଲୋକସଭା ଆସନ ବିଜେଡ଼ି ନିଜ ଅକ୍ତିଆରରେ ରଖିବାକୁ ସମର୍ଥ ହୋଇଥିଲା । ଅର୍ଜୁନ ସେଠୀ ଯିଏକି ସମଗ୍ର ଭଦ୍ରକ ଜିଲ୍ଲାରେ ନିଜର ରାଜନୈତିକ ପରାକାଷ୍ଠା ଜାରି ରଖିବା ସହିତ ଦୀର୍ଘଦିନ ଧରି ମୁରବୀ ଭାବେ ବିଜୁ ଜନତା ଦଳର ନେତୃତ୍ୱକୁ ସୁଚାରୁରୂପେ ସମ୍ଭାଳି ଆସୁଥିଲେ । ମାତ୍ର, ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ମାର୍ଚ୍ଚ ୩୦ ତାରିଖରେ ପୁଅ ଅଭିମନ୍ୟୁ ସେଠୀଙ୍କ ସହିତ ଦଳ ତ୍ୟାଗ କରି ବିଜେପିରେ ଯୋଗଦେଇଥିଲେ ।

ଆଠଥର ଲାଗି ସାଂସଦ ରହିଥିବା ବରିଷ୍ଠ ନେତା ଅର୍ଜୁନ ସେଠୀ ଯିଏକି ପୁଅକୁ ଦଳୀୟ ଟିକଟ ଦେବାକୁ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁନୟ ବିନୟ ହୋଇ ଅନୁରୋଧ କରିଥିଲେ, ମାତ୍ର ତାଙ୍କର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଞ୍ଜୁଲତା ମଣ୍ଡଳଙ୍କୁ ଦଳର ସାଂସଦ ପ୍ରାର୍ଥୀ ଭାବେ ଚୟନ କରିଥିଲେ । ଯାହାକି ଅର୍ଜୁନଙ୍କୁ ଏହା ବ୍ୟଥିତ କରିଥିଲା ।

ଏହି ୭୮ ବର୍ଷ ବୟସ୍କ ବରିଷ୍ଠ ବିଜେଡ଼ି ନେତା ଜଣକ ଭଦ୍ରକ ଲୋକସଭା ଆସନରୁ ୧୯୯୮ ପରଠାରୁ ଲଗାତର ଭାବେ ୫ଥର ଜିତି ସାଂସଦ ହୋଇଥିଲେ । ସମଗ୍ର ଜିଲ୍ଲାରେ ଅର୍ଜୁନଙ୍କ ବେଶ୍ ପ୍ରଭାବ ରହିଥିବା ବେଳେ ଏହା ବିଜେପିକୁ ଭଲଭାବେ ଏହି ନିର୍ବାଚନରେ ସୁହାଉଛି । ଭଦ୍ରକରେ ଅର୍ଜୁନଙ୍କ ଭାବମୂର୍ତ୍ତି ହିଁ ବିଜେପିକୁ ଭୋଟ ସଂଗ୍ରହ କରିବାରେ ଏବେ ସହଜ ହୋଇପାରିଛି ।

ଏବେ ଏହି ନିର୍ବାଚନରେ ବିଜେପି ଟିକଟରେ ଭଦ୍ରକ ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଲଢୁଥିବା ତାଙ୍କର ପୁଅ ଅଭିମନ୍ୟୁଙ୍କ ଲାଗି ଅର୍ଜୁନ ଜନସାଧାରଣଙ୍କଠାରୁ ଭୋଟ ସଂଗ୍ରହ କରିଚାଲିଛନ୍ତି ।

ଏହି ଆସନରୁ ଶ୍ରୀ ସେଠୀ ପ୍ରାୟ ୧.୮୦ ଲକ୍ଷ ଭୋଟ ବ୍ୟବଧାନରେ ବିଜୟ ହାସଲ କରିପାରିଥିଲେ ।

ଏଠାରୁ କଂଗ୍ରେସ ପ୍ରାର୍ଥୀ ଭାବେ ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀଙ୍କ ଝିଅ ମଧୁମିତା ସେଠୀ ନିର୍ବାଚନ ଲଢୁଛନ୍ତି ।

ନିଜେ ଅନନ୍ତ ସେଠୀ ମଧ୍ୟ ସିମୁଳିଆ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ରୂପେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ।

ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ଯେଉଁ ୭ଟି ବିଧାନସଭା ଆସନ ରହିଛି ଯେଗୁଡ଼ିକ ହେଲା – ସୋରୋ, ସିମୁଳିଆ, ଭଣ୍ଡାରିପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର ଏବଂ ଚାନ୍ଦବାଲି । ଏହି ସମସ୍ତ ଆସନଗୁଡ଼ିକରେ ବିଜେଡ଼ି ୨୦୧୪ ନିର୍ବାଚନରେ ବିଜୟ ହାସଲ କରିପାରିଥିଲା ।

ସୋରୋରେ ପର୍ଶୁରାମ ଧଡ଼ା (ବିଜେଡ଼ି), ସିମୁଳିଆରେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ (ବିଜେଡ଼ି), ଭଣ୍ଡାରୀପୋଖରୀରେ ପ୍ରଫୁଲ୍ଲ ସାମଲ (ବିଜେଡ଼ି), ଭଦ୍ରକରେ ଯୁଗଳ କିଶୋର ପଟ୍ଟନାୟକ (ବିଜେଡ଼ି), ବାସୁଦେବପୁରରେ ବିଜୟଶ୍ରୀ ରାଉତରାୟ (ବିଜେଡ଼ି), ଧାମନଗରରେ ମୁକ୍ତିକାନ୍ତ ମଣ୍ଡଳ (ବିଜେଡ଼ି) ଏବଂ ଚାନ୍ଦବାଲି ଆସନରେ ବ୍ୟୋମକେଶ ରାୟ (ବିଜେଡ଼ି)ବିଜୟୀ ହୋଇପାରିଥିଲେ ।

ଶାସକ ବିଜେଡ଼ି ପର୍ଶୁରାମ ଧଡ଼ା, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପ୍ରଫୁଲ୍ଲ ସାମଲ ଏବଂ ବ୍ୟୋମକେଶ ରାୟଙ୍କୁ ପୂର୍ବପରି ଏଥର ମଧ୍ୟ ଟିକଟ ଦେଇ ଦଳୀୟ ପ୍ରାର୍ଥୀ କରିଥିବା ବେଳେ ଭଦ୍ରକ, ବାସୁଦେବପୁର ଏବଂ ଧାମନଗର ଆସନରେ ଦଳ ପ୍ରାର୍ଥୀ ବଦଳ କରି ଯଥାକ୍ରମେ ସଞ୍ଜିବ ମଲ୍ଲିକ (ପୂର୍ବତନ ବିଧାୟକ ହୃଦାନନ୍ଦ ମଲ୍ଲିକଙ୍କ ପୁଅ), ବିଷ୍ଣୁବ୍ରତ ରାଉତରାୟ ଏବଂ ରାଜେନ୍ଦ୍ର ଦାସଙ୍କୁ ଟିକଟ ଦେଇ ନିର୍ବାଚନ ଲଢିବାର ସୁଯୋଗ ଦେଇଛି ।

ଭଣ୍ଡାରିପୋଖରୀ ଆସନରେ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଏବଂ ବିଜେଡ଼ି ନେତା ତଥା ରାଜ୍ୟ ଏମଏସଏମଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ମଧ୍ୟରେ କଡ଼ା ମୁକାବିଲା ହେଉଛି ।

ସେହିପରି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଏଥର କିନ୍ତୁ ବିଜେଡ଼ି ବିଧାୟକ ବ୍ୟୋମକେଶ ରାୟ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମନମୋହନ ସାମଲଙ୍କ ଦ୍ୱାରା ନିର୍ବାଚନରେ କଡ଼ା ମୁକାବିଲାର ସମ୍ମୁଖୀନ ହୋଇଛନ୍ତି ।

ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ, ବିିଜେପିର କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କାରୀ, ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ନିର୍ବାଚନ ପ୍ରଚାର କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ତଥା ଖ୍ୟାତନାମା ବଲିଉଡ଼ ଅଭିନେତା ରାଜ ବବର ମଧ୍ୟ ଭଦ୍ରକ ଆସି ନିର୍ବାଚନ ସଭାରେ ସ୍ଥାନୀୟ ଭୋଟରଙ୍କ୍ୁ ଦଳୀୟ ପ୍ରାର୍ଥୀଙ୍କ ଲାଗି ଆକୃଷ୍ଟ କରିବାକୁ ଚେଷ୍ଟା କରିଥିଲେ ।

Leave A Reply

Your email address will not be published.