Latest Odisha News

BREAKING NEWS

ଆଉଥରେ ଫୁଟିଲା ‘ରକ୍ତ ଗୋଲାପ’

ଭୁବନେଶ୍ୱର : ୭୦ ଦଶକର କ୍ଲାସିକ୍ ଓଡିଆ ଚଳଚ୍ଚିତ୍ର ‘ରକ୍ତ ଗୋଲାପ’ ରାଜଧାନୀରେ ଥିବା ଫିଲ୍ମ ଜର୍ଣ୍ଣାଲିଷ୍ଟ୍ ଫୋରମ୍ (ଏଫଜେଏଫ୍) ଦ୍ୱାରା ସୋମବାର ଦିନ ସନ୍ଧ୍ୟାରେ ଜୟଦେବରେ ପ୍ରଦର୍ଶନ ହେଉଛି । ଏହି ପରିପ୍ରେକ୍ଷୀରେ ଫିଲ୍ମ ସହିତ ସମ୍ପୃକ୍ତ ଥିବା କିଛି କଳାକାର ଓ କର୍ମଚାରୀଙ୍କୁ ଫୋରମ୍ ପକ୍ଷରୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ଚଳଚ୍ଚିତ୍ର ‘ରକ୍ତ ଗୋଲାପ’ର କାହାଣୀ

ଆଦିବାସୀ ସଂସ୍କୃତି ଉପରେ ଗବେଷଣାରତ ଶରତ ସହ ଆଦିବାସୀ ତରୁଣୀ ମୀରାର ପ୍ରେମ ହୁଏ । କିନ୍ତୁ ସେ ପ୍ରେମ ପୂର୍ଣ୍ଣର୍ତା ପାଇବା ପୂର୍ବରୁ ମୀରାର ମୃତ୍ୟୁ ହୁଏ । ମୀରାର ମୃତ୍ୟୁ ଶରତକୁ ଅସ୍ୱାଭାବିକ କରିଦିଏ ।ସେ ବିଶ୍ୱାସ କରେ ଯେ ମୀରା ତା’ ପାଇଁ ଅଛି ।

ପରବର୍ତ୍ତୀ ସମୟରେ ଶରତ ବାଧ୍ୟବାଧ୍ୟକତାରେ ବିବାହ କରନ୍ତି ଅନ୍ୟ ଜଣେ ତରୁଣୀ ସ୍ନେହକୁ । କିନ୍ତୁ ଶରତର ମୀରା ସ୍ମୃତି ସେମାନଙ୍କ ଦାମ୍ପତ୍ୟ ଜୀବନକୁ ଖିନଭିନ କରିଦିଏ । ଯେତେବେଳେ ସ୍ନେହ ଜାଣେ ଯେ ଶରତ ମୀରାକୁ ମୃତ ବୋଲି ସ୍ୱୀକାର କରୁନାହିଁ, ସେ ମୀରାର ରୂପ ଓ ଅଭିନୟ ନେଇ ଶରତକୁ ସୁଖୀ କରିବାକୁ ଚେଷ୍ଟା କରେ । କିନ୍ତୁ ମିଛ ଧରା ପଡ଼ିଯାଏ । ଶରତ ସ୍ନେହକୁ ଧିକ୍କାର କରେ । ତେବେ ସେ ବୁଝିପାରେ ଯେ ମୀରା ଏବେ ମରିଚୀକା, ସ୍ନେହ ସତ୍ୟ । ସ୍ୱାଭାବିକ ଭାବରେ ସତ୍ୟକୁ ସ୍ୱୀକାର କଲାବେଳକୁ ଜଳପ୍ରପାତ ଭିତରକୁ ଖସିଯାଏ ଶରତ । ଶରତର ମୃତଦେହ ମିଳେନାହିଁ । ସମସ୍ତେ ବିଶ୍ୱାସ କରନ୍ତି ଯେ ଶରତ ମୃତ । ସ୍ନେହ କିନ୍ତୁ ବିଶ୍ୱାସ କରେ ଯେ ଶରତ ଜୀବିତ । ସେ ସଧବା ହୋଇ ଶରତକୁ ଅପେକ୍ଷା କରେ । ସମାଜ ଓ ପରିବାରବର୍ଗ ତା’କୁ ନିନ୍ଦା, ଅପବାଦ ଦିଅନ୍ତି ।

ଏମିତି ଘଡିସନ୍ଧି ବେଳରେ ଡାକ୍ତର ଅଜୟ ସ୍ନେହ ପ୍ରତି ସହାନୁଭୂତିଶୀଳ ହୁଅନ୍ତି । ଏହାକୁୁ ସମାଜ ଏକ ଭିନ୍ନ ରୂପ ଦିଏ, ସେମାନଙ୍କ ସଂପର୍କକୁ ଘୃଣା ଆଖିରେ ଦେଖେ । ଡାକ୍ତର ଅଜୟ ସ୍ନେହକୁ ବିବାହ ପ୍ରସ୍ତାବ ଦିଅନ୍ତି, ସେ ପ୍ରତ୍ୟାଖ୍ୟାନ କରେ । ଅଜୟ କହନ୍ତି ଯେ ସେମାନେ କେବଳ ସମାଜ ଆଖିରେ ସ୍ୱାମୀ-ସ୍ତ୍ରୀ ହୋଇ ରହିବେ । ଯେଣୁ ସ୍ନେହ ମା’ ହେବାକୁ ଯାଉଛି ଏଣୁୁ ସେ ଏହି ପ୍ରସ୍ତାବକୁ ବାଧ୍ୟ ହୋଇ ସ୍ୱୀକାର କରେ । ବିବାହ ବେଳେ କାହାଣୀ ମୋଡ଼ ନେଇଯାଏ । ଫେରିଆସେ ଶରତ । ନାଟକୀୟ ପରିବେଶ ଏବଂ ମଧୁର ସଂପର୍କ ସହ ‘ରକ୍ତଗୋଲାପ’ କାହାଣୀର ଯବନିକା ପଡ଼େ ।

‘ରକ୍ତଗୋଲାପ’ରେ ଅଭିନୟ କରିଥିବା କଳାକାର

ବନଜା ମହାନ୍ତି, ସୁରେଶ ମିଶ୍ର, ଶ୍ରୀରାମ ପଣ୍ଡା, ବତ୍ସଲା, ହାଲାମ୍, ନିତ୍ୟାନନ୍ଦ ଦାଶ, ରମେଶ ପାଣିଗ୍ରାହୀ, ଶାନ୍ତିଲତା ଦାଶ, ବ୍ରଜ ସାମନ୍ତରାୟ, ପ୍ରତାପ ନାରାୟଣ ସିଂହଦେଓ, ଶରତ ମହାପାତ୍ର, ଗୋବିନ୍ଦ ସାହୁ, ସୁଭାଷ ମିଶ୍ର, ଭାରତ, ଲାଲୁ, ତାରିଣୀ, ରାମ ସାମନ୍ତରାୟ, ପଣ୍ଡା, ବାଲାଜୀ, ଶାହାନସାହ, ରାଧା ଏବଂ କୁଞ୍ଜ ନନ୍ଦ ପ୍ରମୁଖ ।

‘ରକ୍ତଗୋଲାପ’ ପରଦା ପଛରେ
ଜୟପୁର ସ୍ଥିତ ବନାନୀ ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର କାହାଣୀ: ଡ. ବିଜୟ କୁମାର ନନ୍ଦ ଲେଖିଥିବା ବେଳେ, ସଂଳାପ: ବିଭୂତି ଭୂଷଣ, ନିର୍ଦ୍ଦେଶନା: ଏମ୍. ଭୀମେଶ୍ୱର ରାଓ ଦେଇଛନ୍ତି ।
ଚଳଚ୍ଚିତ୍ର ମୁକ୍ତିଲାଭ: ୧୮ ନଭେମ୍ବର ୧୯୭୭ ‘ରକ୍ତଗୋଲାପ’
୩୫ ଏମଏମ୍ ବିଶିଷ୍ଟ ଏହି ଫିଲ୍ମର ରିଲ୍ ସଂଖ୍ୟା: ୧୨ ରିଲ୍,
‘ରକ୍ତଗୋଲାପ’ର ମୁକ୍ତିଲାଭ: ଦୀପାବଳୀ,୧୧ ନଭେମ୍ବର ୧୯୭୭, ଲକ୍ଷ୍ମୀ ଟକିଜ୍, ଜୟପୁର
୨୯ ଡିସେମ୍ବର ୧୯୭୭, ଦୀପକ ଟକିଜ୍ ରାଉରକେଲା
୧ ଜାନୁଆରି ୧୯୭୮, ଗ୍ରାଣ୍ଡ ସିନେମା, କଟକ
‘ରକ୍ତଗୋଲାପ’ର ପରିବେଷକ: ଉଦୟଶୀ ପିକଚର୍ସ, କଟକ 

ଏହି ଚଳଚ୍ଚିତ୍ରର ପ୍ରତ୍ୟେକ ଗୀତ ଦର୍ଶକଙ୍କୁ ଖୁବ୍ ଆକୃଷ୍ଟ କରିବା ସହ ମନମୋହିଥିଲା ।

Leave A Reply

Your email address will not be published.