Latest Odisha News

BREAKING NEWS

୨୫ ବର୍ଷ ଶାସନରେ ଲୋକଙ୍କୁ ପାଣି ଯୋଗାଇ ନପାରିବା, ଏହା ହିଁ କ’ଣ ବିକାଶ?: ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର । ଓଡିଶାବାସୀଙ୍କୁ ସୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ନେଇ ସେ ନବୀନ ସରକାରଙ୍କୁ ଯୋରଦାର ଟାର୍ଗେଟ କରିଛନ୍ତି । ଗୋଲକ ମହାପାତ୍ର କହିଛନ୍ତି ଯେ ପାଖାପାଖି ୧୦ହଜାର ଦିନ ସରକାରରେ ରହିବି ନବୀନ ବାବୁ ଲୋକଙ୍କୁ ପାଣି ଯୋଗାଇବାରେ ବିଫଳ ହୋଇଛନ୍ତି । ହେଲେ ଏହାକୁ କରିଦେଖାଇଛି ଗଞ୍ଜାମ ଜିଲ୍ଲା ପାତ୍ରପଡା ବ୍ଲକର ଜଣେ ଆଦିବାସୀ ଯୁବକ ଭୀମ ବେହେରା ।

ସେ ଆହୁରି କହିଛନ୍ତି ଯେ, ‘ବିଜେଡି ସରକାର ପାଖରେ ଅର୍ଥର ଅଭାବ ନାହିଁ, କ୍ଷମତା ପାଖରେ ରହିଛି କିନ୍ତୁ ଲୋକଙ୍କୁ ଶୁଦ୍ଧପାଣି ମୁନ୍ଦାଏ ଦେବାରେ ବିଫଳ । ବିଜେଡି ସରକାର ପାଖାପାଖି ୧୦ହଜାର ଦିନ ଶାସନରେ ରହି କରୁଥିଲା କ’ଣ? ଲୋକଙ୍କ ଦାୟିତ୍ୱ ନେବା ମୁଖ୍ୟମନ୍ତ୍ରୀଙ୍କ କର୍ତ୍ତବ୍ୟ କିନ୍ତୁ ତାହା ସେ କଲେନି । ପାଣି ସମସ୍ୟା ଏତେ ଉତ୍କଟ ଥିଲା ଯେ, ଗଞ୍ଜାମ ଜିଲ୍ଲା ପାତ୍ରପଡା ବ୍ଲକର ଭୀମ ବେହେରା ପାଣି ସମସ୍ୟା ପାଇଁ କେରଳରେ ୮ ମାସ ଦାଦନ ଖଟିଲେ । ଦାଦନ ଶ୍ରମିକଭାବେ ଯେତିକି ଟଙ୍କା ସେ ରୋଜଗାର କରିଥିଲେ ସେହି ଟଙ୍କାରେ ୨ କିମି ଦୂରରେ ଥିବା ଝରଣାରୁ ପାଇପ ଯୋଗେ ପାଣି ଆଣି ନିଜ ଗାଁର ଲୋକଙ୍କ ପାଖରେ ପହଁଚାଇଲେ । ନବୀନ ଯାହା କରିପାରିନଥିଲେ ତାହାକୁ ଜଣେ ଆଦିବାସୀ ଯୁବକ ୮ ମାସର ରୋଜଗାରରେ କରି ଦେଖାଇଲା । ଏହା ପୁଣି ଅନ୍ୟ ନିର୍ବାଚନ ମଣ୍ଡଳୀର ଘଟଣା ନୁହେଁ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲାର ଚିତ୍ର ‘ ।

ସେହିପରି ମହାନଦୀ ବେସିନର ଉଭୟ ପଟେ ପାଣି ନାହିଁ । ବିଜେଡି ମହାନଦୀ ମହାଆନ୍ଦୋଳନ କରିଥିଲା, ତାହା କୁଆଡେ ଗଲା? ମହାନଦୀ ଉପରେ ଛୋଟ ଛୋଟ ଆନିକଟ କରିବେ ବୋଲି କହିଥିଲେ ତାହା କୁଆଡେ ଗଲା? ବିଜେଡି ସରକାର ଓଡ଼ିଶାବାସୀଙ୍କୁ ଜଳ ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ଗୋଲକ ମହାପାତ୍ର କହିଛନ୍ତି ।

କେନ୍ଦ୍ରର ଟଙ୍କାକୁ ହଡପ କରିବା ବିଜେଡି ସରକାରଙ୍କ ଏକମାତ୍ର ଲକ୍ଷ୍ୟ । ଏଥିଲାଗି ଓଡ଼ିଶାବାସୀଙ୍କ ପାଖରେ ଜଳ ପହଞ୍ଚାଉ ନଥିଲା ନା ଓଡ଼ିଶାବାସୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ନଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାବାସୀଙ୍କୁ କାହିଁକି ପାଣି ଦେଇପାରିଲେ ନାହିଁ ତାହାର ଉତ୍ତର ନବୀନ ବାବୁ ରଖନ୍ତୁ । ଆଜି ସ୍ମାର୍ଟସିଟି ଭୁବନେଶ୍ୱରରେ ମ୍ୟାଲେରିଆ, ରାଉରକେଲାରେ ଡାଇରିଆ, ସମ୍ବଲପୁରରେ ଜଣ୍ଡିସ, ବ୍ରହ୍ମପୁରରେ ହଇଜା, କଟକରେ କଲେରା ଇତ୍ୟାଦିରେ ବିଜେଡି ନିଜର ପରିଚୟ ସୃଷ୍ଟି କରିଛି । ଏହା ହେଉଛି ୨୫ବର୍ଷ ସରକାରରେ ରହିଥିବା ନବୀନଙ୍କର କଠିନ ପରିଶ୍ରମର ଫଳ । ଓଡ଼ିଶାବାସୀ ଏଥର ନିଶ୍ଚିତ ନବୀନଙ୍କୁ ଶାସନ ଗାଦିରୁ ହଟାଇବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ବାବୁ ୨୫ ବର୍ଷ ତଥା ୧୦ ହଜାର ଦିନ ଶାସନ କରିସାରିଲେଣି କିନ୍ତୁ ଏବେ ବି ୪୦ ପ୍ରତିଶତ ଲୋକ ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି । ୮୮ ଲକ୍ଷ ଘରରୁ ୨୪ ଲକ୍ଷ ଘରକୁ ପାଣି ପହଁଚିପାରିଲା ନାହିଁ । ୪୬ ହଜାର ଗାଁରୁ ୧୧ ହଜାର ଗାଁ ଆଜିବି ଟ୍ୟାପ ପାଣି ପାଇବାରୁ ବଂଚିତ । ଆଜିବି ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ ସମେତ ଅନେକ ପଛୁଆ ଜିଲ୍ଲାରେ ୫୦ ପ୍ରତିଶତରୁ ଅଧିକ ପରିବାର ପିଇବା ପାଣି ପାଇବାରୁ ବଂଚିତ । ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା ଭିକେ ପାଣ୍ଡିଆନ କହୁଛନ୍ତି ଯେ, ବିରୋଧୀଙ୍କୁ ବିକାଶ ଦେଖାଯାଉନି । ତାହାଲେ ଓଡ଼ିଶାର ୪୦ପ୍ରତିଶତ ଲୋକ ଶୁଦ୍ଧ ପିଇବା ପାଣି ପାଇବାରୁ ବଂଚିତ ହେବା କ’ଣ ୨୫ବର୍ଷର ବିକାଶର ଚିତ୍ର କି ବୋଲି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.