Latest Odisha News

BREAKING NEWS

ଭୁବନେଶ୍ୱର ସମେତ ୬ଟି ଏମ୍ସରେ ପେନସନଭୋଗୀ ଏବଂ ଚାକିରିଆ ପାଇବେ କ୍ୟାସଲେସ ଚିକିତ୍ସା ସେବା

ନୂଆଦିଲ୍ଲୀ: ଭୁବନେଶ୍ୱର, ଭୋପାଳ, ପାଟନା, ଯୋଧପୁର, ରାୟପୁର ଏବଂ ଋଷିକେଶରେ ଥିବା ୬ଟି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଝାମଣା ପତ୍ର ସ୍ୱାକ୍ଷର କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଫଳରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା (ସିଜିଏଚଏସ)ର ସମସ୍ତ ହିତାଧିକାରୀ (ଚାକିରିଆ ଏବଂ ପେନସନଭୋଗୀ) ଏହି ଏମ୍ସ ଗୁଡିକରେ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଇପାରିବେ।

କ୍ୟାସଲେସ ଆଧାରରେ ରୋଗୀ ସେବା ପ୍ରଦାନ କରି ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଚାକିରିଆ ଏବଂ ପେନସନଭୋଗୀ ହିତାଧିକାରୀଙ୍କୁ ବିଶେଷ କରି ବରିଷ୍ଠ ନାଗରିକମାନଙ୍କୁ ଲାଭାନ୍ୱିତ କରିବା, ଯେଉଁମାନେ କି ପରିଶୋଧ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ ମନେ କରନ୍ତି। ଏହି ରାଜିନାମା ହିତାଧିକାରୀମାନଙ୍କୁ ଅଗ୍ରୀମ ଦେୟ ପ୍ରଦାନ କରିବା ଆବଶ୍ୟକତାକୁ ଦୂର କରିବ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ରାଜେଶ ଭୂଷଣ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ସିଜିଏଚ୍ଏସ୍ ଅଧୀନରେ ଥିବା ଡାକ୍ତରଖାନାଗୁଡ଼ିକର ସମ୍ପ୍ରସାରଣ ଏବଂ ତୃତୀୟ ସ୍ତରର ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ଲାଗି ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହା ସହ ଭବିଷ୍ୟତରେ ନୂଆଦିଲ୍ଲୀରେ ଏମ୍ସ, ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ, ଜବାହରଲାଲ ଇନଷ୍ଟିଚ୍ୟୁଟ ଅଫ ପୋଷ୍ଟ ଗ୍ରାଜୁଏଟ ମେଡିକାଲ ଏଜୁକେସନ ଏଣ୍ଡ ରିସର୍ଚ୍ଚ ପୁଡୁଚେରୀରେ ମଧ୍ୟ ଏହି ସେବା ଯୋଗାଇ ଦିଆଯିବ।

ଏହି ରାଜିନାମା କେବଳ ପ୍ରକ୍ରିୟାକୁ ସରଳ କରିନାହିଁ ବରଂ ସାରା ଦେଶରେ ସିଜିଏଚଏସ ସେବାର ପହଁଚକୁ ମଧ୍ୟ ବୃଦ୍ଧି କରିଛି। ଏହାବ୍ୟତୀତ, ପେନସନଭୋଗୀ ଏବଂ ଚାକିରିଆ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ପାଇଁ କେତେକ ଚିକିତ୍ସା ଏବଂ ଚିକିତ୍ସା ସେବା ଦରରେ ସଂଶୋଧନ କରିଛି।

ସିଜିଏଚଏସ କେନ୍ଦ୍ର ସରକାରଙ୍କ କର୍ମଚାରୀ, ପେନସନଭୋଗୀ, ସେମାନଙ୍କ ଉପରେ ନିର୍ଭରଶୀଳ, ସାଂସଦ ଏବଂ ଅନ୍ୟାନ୍ୟ ଯୋଗ୍ୟ ହିତାଧିକାରୀମାନଙ୍କୁ ବହିର୍ବିଭାଗ ଏବଂ ଅନ୍ତଃବିଭାଗ ସେବା ସହିତ ବ୍ୟାପକ ସ୍ୱାସ୍ଥ୍ୟସେବା ପ୍ରଦାନ କରିଥାଏ। ବର୍ତ୍ତମାନ ଦେଶର ୭୯ଟି ସହରରେ ସିଜିଏଚ୍ଏସ୍ ସେବା ରହିଛି।

ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା (ପିଏମ୍ଏସ୍ଏସ୍ୱାଇ) ଅଧୀନରେ ପ୍ରତିଷ୍ଠିତ ଏମ୍ସ ଅନୁଷ୍ଠାନଗୁଡ଼ିକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା, ଚିକିତ୍ସା ଶିକ୍ଷା, ଗବେଷଣା, ଜରୁରୀକାଳୀନ ସେବା ଏବଂ ନିଦାନ ସୁବିଧା ପ୍ରଦାନ କରୁଛନ୍ତି। ଏହି ରାଜିନାମାରେ ବରିଷ୍ଠ ସରକାରୀ ଅଧିକାରୀ, ଏମ୍ସ ପ୍ରତିଷ୍ଠାନର ପ୍ରତିନିଧି ଏବଂ ସିଜିଏଚଏସ କର୍ତ୍ତୃପକ୍ଷମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.