Latest Odisha News

Fraud case: ୧୧ ବର୍ଷ ପରେ ଫେରାର ପୋଷ୍ଟମାଷ୍ଟର ଗିରଫ;ଜମାକାରୀଙ୍କ ୧୪ଲକ୍ଷ ହଡ଼ପ ଅଭିଯୋଗ

ଭୁବନେଶ୍ୱର:ଜମାକାରୀଙ୍କ ପ୍ରାୟ ୧୪ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ୧୧ ବର୍ଷ ଧରି ଫେରାର ଥିବା ତତ୍କାଳୀନ ଶାଖା ପୋଷ୍ଟମାଷ୍ଟରଙ୍କୁ ବରଗଡ଼ରୁ ଗିରଫ କରିଛି ଭୁବନେଶ୍ବର ସିବିଆଇ। ପରିବାରର ଏକ କାର୍ଯ୍ୟକ୍ରମକୁ ଆସିଥିବା ବେଳେ ତାଙ୍କୁ କାବୁ କରାଯାଇଛି । ସିବିଆଇ ସୂଚନା ଅନୁଯାୟୀ, ଶବ୍ଦା ସ୍ୱାଇଁ ୨୦୦୮ରୁ ୨୦୧୪ ମଧ୍ୟରେ ବୋଣ୍ଡା ପୋଷ୍ଟ ଅଫିସ୍‌ର ବ୍ରାଞ୍ଚ ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟ କରୁଥିଲେ । ଦୀର୍ଘ ଦିନର ଖୋଜାଖୋଜି ପରେ ଶେଷରେ ବରଗଡ଼ରୁ ତାଙ୍କୁ ଗିରଫ କରିଛି ସିବିଆଇ ।

ସେହି ସମୟରେ ଜମାକାରୀଙ୍କଠାରୁ ସଂଗ୍ରହ ହୋଇଥିବା ପ୍ରାୟ ୧୩ ଲକ୍ଷ ୯୮ ହଜାର ୨୩୨ ଟଙ୍କାକୁ ସରକାରୀ ରେକର୍ଡରେ ଦର୍ଶାଇନଥିବା ଅଭିଯୋଗ ରହିଛି । ପାସବୁକରେ ଭୁଲ ଏଣ୍ଟ୍ରି କରି ଏହି ଟଙ୍କା ହଡ଼ପ କରାଯାଇଥିବା ତଦନ୍ତରୁ ଜଣାପଡ଼ିଥିଲା । ୨୦୧୫ ଡିସେମ୍ବର ୩୧ରେ ଚାର୍ଜ ଫ୍ରେମ୍ ହେବା ପରଠାରୁ ଅଭିଯୁକ୍ତ ଫେରାର ଥିଲେ ।

ତାଙ୍କ ବିରୋଧରେ ୨୦୨୨ରେ ଅଦାଲତ ପକ୍ଷରୁ ଜାମିନବିହୀନ ଗିରଫ ପରୱାନା(ଏନ୍‌ବିଡବ୍ଲ୍ୟୁ) ମଧ୍ୟ ଜାରି ହୋଇଥିଲା। ଦୀର୍ଘଦିନ ଧରି ଅଭିଯୁକ୍ତଙ୍କୁ ଧରିବା ପାଇଁ ସିବିଆଇ ଲଗାତାର ଉଦ୍ୟମ ଜାରି ରଖିଥିଲା। ତେବେ ସେ ବରଗଡ଼ ଅଞ୍ଚଳରେ ନିଜ ସମ୍ପର୍କୀୟଙ୍କ ଏକ ଉତ୍ସବରେ ଯୋଗଦେବା କଥା ସିବିଆଇ ଜାଣିବାକୁ ପାଇଥିଲା। ଏହାପରେ ସିବିଆଇର ଏକ ସ୍ବତନ୍ତ୍ର ଟିମ୍‌ ତୁରନ୍ତ ବରଗଡ଼ ଯାଇ ସେଠାରେ ଅତର୍କିତ ଚଢ଼ଉ କରି ଶବ୍ଦାଙ୍କୁ ଗିରଫ କରିଥିଲା।

ଗିରଫ ପରେ ଶବ୍ଦାଙ୍କୁ ଭୁବନେଶ୍ୱରର କାର୍ଯ୍ୟାଳୟକୁ ଆଣି ମାରାଥନ ଜେରା କରାଯାଇଛି। ପରେ ତାଙ୍କୁ ଭୁବନେଶ୍ବର ସିବିଆଇ କୋର୍ଟରେ ହାଜର କରାଯାଇଥିଲା।

Comments are closed.