Golabandha displaced families: ୪ ଦଶନ୍ଧିର ଅପେକ୍ଷାର ଅନ୍ତ; ଗୋଳାବନ୍ଧର ୧୩୭୧ ବିସ୍ଥାପିତଙ୍କ ପାଇଁ ୭୫.୬୦ କୋଟିର ପ୍ୟାକେଜ୍
ଭୁବନେଶ୍ୱର: ଦୀର୍ଘ ବର୍ଷର ଅପେକ୍ଷା ଓ ସଂଘର୍ଷ ପରେ ଗୋଳାବନ୍ଧର ନୋଳିଆ ବିସ୍ଥାପିତ ପରିବାରଙ୍କୁ ମିଳିଛି ବଡ଼ ଆଶ୍ୱାସନା। ଗଞ୍ଜାମ ଜିଲ୍ଲା ଗୋଳାବନ୍ଧଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋଳାବନ୍ଧର ୧,୩୭୧ଟି ବିସ୍ଥାପିତ ପରିବାର ପାଇଁ ୭୫ କୋଟି ୬୦ ଲକ୍ଷ ୩୦ ହଜାର ଟଙ୍କାର ଏକ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ (R&R) ପ୍ୟାକେଜ୍ ଘୋଷଣା କରିବା ସହ ଏହାର ଶୁଭାରମ୍ଭ କରିଛନ୍ତି।
ଏହାସହିତ ଛେଳିଗଡ଼ ମଧ୍ୟମ ଜଳସେଚନ ପ୍ରକଳ୍ପର ବିସ୍ଥାପିତ ୧୧୨ଟି ପରିବାରଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୬ଟି ପରିବାରକୁ ଘରବାରି ଓ ଚାଷଜମିର ପଟ୍ଟା ବଣ୍ଟନ କରାଯାଇଛି।
କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୋଳାବନ୍ଧର ଅଧିବାସୀଙ୍କ ସଂଘର୍ଷ ଓ ତ୍ୟାଗ ଅସୀମ। ୧୯୮୪ ମସିହାରେ ଆର୍ମି ଏୟାର ଡିଫେନ୍ସ କଲେଜ ପାଇଁ ଜମି ହସ୍ତାନ୍ତର ପରଠାରୁ ଦୀର୍ଘ ୪ ଦଶନ୍ଧି ଧରି ଅଣଦେଖା ହୋଇ ରହିଥିବା ଏହି ସମସ୍ୟାର ଆମ ସରକାର ସ୍ଥାୟୀ ସମାଧାନ କରିଛନ୍ତି। ବିଗତ ୨୪ ବର୍ଷର ଶାସନ କାଳରେ ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ନେତୃତ୍ୱ ନୋଳିଆ ପରିବାରଙ୍କ ସ୍ୱରକୁ ଚାପି ରଖିଥିବା ବେଳେ, ‘ଡବଲ ଇଞ୍ଜିନ’ ସରକାର ଆସିବା ପରେ ଏହି ସମସ୍ୟାକୁ ପ୍ରାଥମିକତା ଦିଆଯାଇଛି।
ସୂଚନାଥାଉକି, ଘୋଷିତ ସ୍ୱତନ୍ତ୍ର ପ୍ୟାକେଜ୍ ଅଧୀନରେ ୧,୩୭୧ଟି ଯୋଗ୍ୟ ପରିବାରକୁ ଆର୍ଥିକ ସ୍ୱାବଲମ୍ବନ ପାଇଁ ପରିବାର ପିଛା ୫ ଲକ୍ଷ ଟଙ୍କା ଲେଖାଏଁ ମୋଟ ୬୮.୫୫ କୋଟି ଟଙ୍କାର ଏକକାଳୀନ କ୍ଷତିପୂରଣ DBT ମାଧ୍ୟମରେ ପ୍ରଦାନ କରାଯାଉଛି। ଘର ନିର୍ମାଣ ସହାୟତା ବାବଦରେ ୪ କୋଟି ୨୫ ଲକ୍ଷ ୧୦ ହଜାର ଟଙ୍କା ଆବଣ୍ଟନ କରାଯାଇଛି, ଯେଉଁଥିରେ ୯୯୮ଟି ଅସମ୍ପୂର୍ଣ୍ଣ ଗୃହକୁ ସମ୍ପୂର୍ଣ୍ଣ କରାଯିବା ସହ ୧୦ଟି ନୂତନ ଘର ନିର୍ମାଣ ହେବ। ଏହା ବ୍ୟତୀତ ନୂଆ କୀର୍ତ୍ତିପୁର କଲୋନୀର ରାସ୍ତା, ଷ୍ଟ୍ରିଟ୍ ଲାଇଟ୍, ଅଙ୍ଗନବାଡ଼ି, ମାର୍କେଟ କମ୍ପ୍ଲେକ୍ସ, ପବ୍ଲିକ୍ ଟଏଲେଟ୍, ବାତ୍ୟା ଆଶ୍ରୟସ୍ଥଳୀ ଓ ମାଛଧରା ଡଙ୍ଗା ରଖିବା ପାଇଁ ବେଳାଭୂମି ସମତୁଲକରଣ ଭଳି ଭିତ୍ତିଭୂମି ବିକାଶ ପାଇଁ ୨.୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରାଯାଇଛି।
ସେହିପରି ଛେଳିଗଡ଼ ପ୍ରକଳ୍ପର ବିସ୍ଥାପିତଙ୍କୁ ଦିଗପହଣ୍ଡିର ସାନ୍ତରାପୁରଠାରେ ଥଇଥାନ କରାଯାଇ ୧୧୨ ପରିବାରକୁ ୧୦ ଡିସିମିଲ୍ ଘରବାରି ଓ ୨ ଏକର ଲେଖାଏଁ ଚାଷଜମି ଯୋଗାଇ ଦିଆଯାଉଛି। ଆଜି ଏମାନଙ୍କ ମଧ୍ୟରୁ ୯୬ ପରିବାରକୁ ପଟ୍ଟା ଦିଆଗଲା। ଅନ୍ୟ ସମସ୍ତଙ୍କୁ ଖୁବ୍ ଶିଘ୍ର ପଟ୍ଟା ଦିଆଯିବ।
ଆସନ୍ତା ବର୍ଷ ଶେଷ ସୁଦ୍ଧା ଛେଳିଗଡ଼ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଗଞ୍ଜାମ ଓ ଗଜପତି ଜିଲ୍ଲାର ୬ ହଜାର ହେକ୍ଟରରୁ ଅଧିକ ଜମି ଜଳସେଚିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।
ଗଞ୍ଜାମ ଜିଲ୍ଲାର ସାମଗ୍ରିକ ବିକାଶ ସମ୍ପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ ବ୍ଲୁ-ଇକୋନୋମି, ଅର୍ଜିପଲ୍ଲୀ ଫିସିଙ୍ଗ ବନ୍ଦର ନବୀକରଣ, ୨୮ଟି ଫିସ୍ ଲ୍ୟାଣ୍ଡିଂ ସେଣ୍ଟର, ଗୋପାଳପୁର ବନ୍ଦର ସମ୍ପ୍ରସାରଣ ଏବଂ ବାହୁଦାଠାରେ ୨୧,୫୦୦ କୋଟି ଟଙ୍କାର ନୂତନ ବୃହତ୍ ବନ୍ଦର ନିର୍ମାଣ ଯୋଜନା ବିଷୟରେ ସୂଚନା ଦେଇଛନ୍ତି। ଗୋପାଳପୁର ଶିଳ୍ପ ପାର୍କରେ ୪୦ ହଜାର କୋଟିରୁ ଅଧିକ ନିବେଶ ମାଧ୍ୟମରେ ୧୮ ହଜାରରୁ ଊର୍ଦ୍ଧ୍ୱ ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ରାଜ୍ୟରେ ଆଗାମୀ ଦୁଇ ବର୍ଷରେ ୫ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହେବାକୁ ଯାଉଥିବାରୁ ଯୁବଗୋଷ୍ଠୀଙ୍କୁ ନିଜକୁ ଦକ୍ଷ ଓ ପ୍ରଶିକ୍ଷିତ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୁଷଣ ଜେନା ପ୍ରକାଶ କରିଥିଲେ ଯେ, ଗୋପାଳପୁର ଶିଳ୍ପ ପାର୍କରେ ୧୪ଟି ପ୍ରକଳ୍ପ ମାଧ୍ୟମରେ ୪୦ ହଜାର କୋଟିରୁ ଅଧିକ ଟଙ୍କାର ନିବେଶ ହେବାକୁ ଯାଉଛି, ଯାହା ୧୮ ହଜାରରୁ ଊର୍ଦ୍ଧ୍ୱ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ବାହୁଦାଠାରେ ୨୧,୫୦୦ କୋଟି ଟଙ୍କାରେ ମେଗା ବନ୍ଦର ନିର୍ମାଣ ଗଞ୍ଜାମର ବାଣିଜ୍ୟିକ ନକ୍ସାକୁ ବଦଳାଇ ଦେବ।
ସେହିପରି MSME, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ, ସାମୁଦ୍ରିକ ଅର୍ଥନୀତିର ବିକାଶ ପାଇଁ ଅର୍ଜିପଲ୍ଲୀ ଫିସିଙ୍ଗ ବନ୍ଦରର ନବୀକରଣ ସହ ୨୮ଟି ନୂତନ ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ପ୍ରତିଷ୍ଠା କରାଯାଉଛି। MSME ମାଧ୍ୟମରେ ସ୍ଥାନୀୟ ମହିଳା ଓ ଯୁବକମାନଙ୍କୁ ସ୍ୱାବଲମ୍ବୀ କରିବାକୁ ନୂତନ ଯୋଜନା କାର୍ଯ୍ୟକାରୀ ହେଉଛି।

