Latest Odisha News

ଅଧ୍ୟାଦେଶ ଅଡ଼ୁଆ, ବିଜେପି ବିରୋଧୀଙ୍କୁ ଭେଟି ସମର୍ଥନ ଲୋଡ଼ିବେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରକୃତ ବସ୍ ଦିଲ୍ଲୀ ସରକାର ବୋଲି ସୁପ୍ରିମକୋର୍ଟଙ୍କ ରାୟର ୮ ଦିନ ପରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ପୁଣି ଉପରାଜ୍ୟପାଳଙ୍କୁ ସବୁ କ୍ଷମତା ଦେଇଛି । ଯାହାକି ସମ୍ବିଧାନ ବିରୋଧୀ ବୋଲି ଆମ୍ ଆଦମୀ ପାର୍ଟି କହିବା ସହ ବିରୋଧୀଙ୍କୁ ଏ ପ୍ରସଙ୍ଗରେ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି କେଜ୍ରିୱାଲ୍ ।

ମାସକରେ ଦ୍ୱିତୀୟ ଥର ଲାଗି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିବା ବେଳେ କେନ୍ଦ୍ର କିଭଳି କ୍ଷମତା ହାତେଇବାକୁ ଚକ୍ରାନ୍ତ କରୁଛି ସେ ନେଇ ଆଲୋଚନା ହୋଇଛି । ନୀତିଶଙ୍କ ସହ ତେଜସ୍ୱୀ, କେଜ୍ରିୱାଲଙ୍କୁ ଭେଟିଥିବା ବେଳେ ଅଧ୍ୟାଦେଶ ପ୍ରସଙ୍ଗରେ ଜେଡିୟୁ ଓ ଆରଜେଡି ରାଜ୍ୟସଭାରେ ସମର୍ଥନ କରିବେ ବୋଲି କହିଛନ୍ତି ।

କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଅନ୍ୟ ବିରୋଧୀ ଦଳ ସମର୍ଥନ କରିବାକୁ ନିବେଦନ କରିଛନ୍ତି ଅରବିନ୍ଦ କେଜ୍ରିୱାଲ୍ । କେଜ୍ରିୱାଲ୍ କହିଛନ୍ତି, ରାଜ୍ୟସଭାରେ ବିରୋଧୀ ସମର୍ଥନ କଲେ ଅଧ୍ୟାଦେଶକୁ ହରାଇ ପାରିବା । ଅଧ୍ୟାଦେଶ ପାରିତ ନ ହେବା ୨୦୨୪ ପୂର୍ବରୁ ଏକ ପ୍ରକାର ସେମି ଫାଇନାଲ୍ ବୋଲି ଆପ୍ କହିବା ସହ ବାର୍ତ୍ତା ଯିବ ୨୦୨୪ ନିର୍ବାଚନରେ ବିଜେପି ହାରିବ ।

ମାସକରେ ନୀତିଶ, କେଜ୍ରିୱାଲଙ୍କୁ ଦ୍ୱିତୀୟ ଥର ଭେଟିଥିବା ବେଳେ ଆଉ ଦିନକ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ କେଜ୍ରିୱାଲ୍ । ୨୩ ତାରିଖ ଅପରାହ୍ଣରେ କୋଲକାତାରେ ମମତାଙ୍କୁ କେଜ୍ରିୱାଲ୍ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ମମତାଙ୍କ ପରେ କେଜ୍ରିୱାଲ୍ ବିଜେପି ବିରୋଧୀ ଅନ୍ୟ ମୁଖ୍ୟମନ୍ତ୍ରୀ ଓ ନେତାଙ୍କୁ ପର୍ଯ୍ୟାୟକ୍ରମେ ଭେଟିବେ ବୋଲି କହିଛନ୍ତି ।

ପ୍ରଥମେ ସିବିଆଇ ଓ ଇଡି ଜାଲରେ ଆପର ନେତା ଓ ମନ୍ତ୍ରୀ ଛନ୍ଦି ହୋଇ ପଡ଼ିଥିବା ବେଳେ ଏବେ ଦିଲ୍ଲୀ ସରକାରର କ୍ଷମତା ସଂକୁଚିତ ପାଇଁ ପ୍ରୟାସ କରାଯାଉଥିବା ଅଭିଯୋଗ ହେଉଛି । ଏଭଳି ସ୍ଥିତିରେ କେଜ୍ରିୱାଲ୍ ବିଜେପି ବିରୋଧୀଙ୍କୁ ଏକାଠି କରି ସମର୍ଥନ ହାସଲ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ହେଲେ କେଜ୍ରିୱାଲଙ୍କ ପ୍ରୟାସ ପୂରଣ ହେବ ନା ଫେଲ୍ ମାରିବ ତାହା ରାଜ୍ୟସଭାରେ ବିଲ୍ ଆସିଲେ ଜଣା ପଡ଼ିବ ।

Leave A Reply

Your email address will not be published.