Latest Odisha News

BREAKING NEWS

ଆଇସିସି ଅଲଟିମେଟମ୍, କ’ଣ କରିବ ପାକିସ୍ତାନ?

ନୂଆଦିଲ୍ଲୀ: କେଉଁଠି ହେବ ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫି? ପାକିସ୍ତାନରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟର ଭେନ୍ୟୁ ଓ ସିଡ୍ୟୁଲକୁ ନେଇ ଲାଗିରହିଛି ସସପେନ୍ସ । ପିସିବିକୁ ଆଇସିସିର ଅଲଟିମେଟମ୍ । ହାଇବ୍ରିଡ ମଡେଲକୁ ଗ୍ରହଣ କର ନହେଲେ ପାକିସ୍ତାନ ବିନା ଖେଳାଯିବ ଟୁର୍ଣ୍ଣାମେଣ୍ଟ । ସୁରକ୍ଷା କାରଣରୁ ସରକାର ଭାରତୀୟ ଟିମକୁ ପାକିସ୍ତାନ ଯିବାକୁ ଅନୁମତି ଦେଇନାହାନ୍ତି । ଏହାକୁ ନେଇ ଗତକାଲି ଦୁବାଇରେ ଆଇସିସିର କାର୍ଯ୍ୟକାରୀ ବୋର୍ଡ ବୈଠକ ବସିଥିଲା । ଏଥିରେ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଫାଇନାଲ୍ ଅଲଟିମେଟମ୍ ଦେଇଛି ଆଇସିସି। ହାଇବ୍ରିଡ ମଡେଲରେ ଟୁର୍ଣ୍ଣାମେଣ୍ଟ କରିବାକୁ ପାକିସ୍ତାନ ରାଜି ହେଲେ ଆଜି ପୁଣି ଆଇସିସି ବୈଠକ ବସିବ ।

ହାଇବ୍ରିଡ ମଡେଲ୍ କ’ଣ?

ପାକିସ୍ତାନ ହାଇବ୍ରିଡ ମଡେଲକୁ ଗ୍ରହଣ କଲେ ଭାରତର ସମସ୍ତ ମ୍ୟାଚ ୟୁଏଇରେ ଆୟୋଜନ କରାଯିବ । ବାକି ମ୍ୟାଚ ପାକିସ୍ତାନରେ ହେବ ଓ ପାକିସ୍ତାନ ପାଖରେ ହୋଷ୍ଟିଂ ଅଧିକାର ରହିବ । ତେବେ ଯଦି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରାଯାଏ ତେବେ ପିସିବି ୬୦ଲକ୍ଷ ଡଲାର ବା ୫୦କୋଟିରୁ ଅଧିକ ଟଙ୍କାର ହୋଷ୍ଟିଂ ଟ୍ୟାକ୍ସ ହରାଇବ । ଏହାର ପ୍ରଭାବ ପିସିବିର ବାର୍ଷିକ ରାଜସ୍ବ ଉପରେ ପଡିବ । ଯଦି ପାକିସ୍ତାନ ହାଇବ୍ରିଡ ମଡେଲକୁ ଗ୍ରହଣ ନକରେ ଓ ଆଇସିସି ଅନ୍ୟ କୌଣସି ଦେଶକୁ ହୋଷ୍ଟିଂ ଅଧିକାର ଦିଏ, ତେବେ ପାକିସ୍ତାନ ପୂରା ଟୁର୍ଣ୍ଣାମେଣ୍ଟର ବହିଷ୍କାର କରିପାରେ ।

ରାଜିହେବ ପାକିସ୍ତାନ…ସର୍ତ୍ତ ଲାଗୁ !

ପାକିସ୍ତାନ କ୍ରିକେଟ୍ ବୋର୍ଡ ହାଇବ୍ରିଡ ମଡେଲ୍ ଅନୁସାରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାକୁ ପ୍ରଥମେ ଆପତ୍ତି ଜଣାଇଥିଲା । ତେବେ ପରେ ପିସିବିର ସ୍ବର ନରମିଛି । କୁହାଯାଉଛି, ହାଇବ୍ରିଡ ମଡେଲରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ରାଜି ହୋଇପାରେ ପିସିବି । ତେବେ ଆଇସିସି ସାମନାରେ କିଛି ସର୍ତ୍ତ ରଖିପାରେ । ଯେଭଳିକି ଭାରତ ଯଦି ଗ୍ରୁପ ଷ୍ଟେଜରୁ ଆଗକୁ ନଯାଏ, ତେବେ ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ ଲାହୋରରେ କରିବାକୁ ପାକିସ୍ତାନକୁ ଅନୁମତି ମିଳିବ । ଆଗକୁ ଭାରତ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟର ହୋଷ୍ଟ ହେଲେ, ସେହି ଟୁର୍ଣ୍ଣାମେଣ୍ଟ ବି ହାଇବ୍ରିଡ ମୋଡରେ ଖେଳାଯାଉ । ପାକିସ୍ତାନ ଭାରତ ନ ଆସି ବାହାରେ ମ୍ୟାଚ ଖେଳୁ ।

ପାକିସ୍ତାନ ଯିବନି ଭାରତୀୟ ଟିମ୍

୨୦୦୮ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରଠୁ ପାକିସ୍ତାନରେ କ୍ରିକେଟ୍ ଖେଳିନି ଭାରତ । ୨୦୧୭ପରେ ପ୍ରଥମ କରି ଚମ୍ପିଅନ୍ସ ଟ୍ରଫି ଆଇସିସି କ୍ୟାଲେଣ୍ଡରକୁ ଫେରିଛି । ତେବେ ଏହାକୁ ହାଇବ୍ରିଡ ମଡେଲରେ ଖେଳାଯାଇପାରେ । କାରଣ ଭାରତୀୟ ଟିମ୍ ପାକିସ୍ତାନ ନଯିବା ନେଇ ପୂର୍ବରୁ ସ୍ପଷ୍ଟ କରିସାରିଛି ବିସିସିଆଇ । କୌଣସି କାରଣରୁ ଭାରତ ଟୁର୍ଣ୍ଣାମେଣ୍ଟରୁ ବାହାରିଗଲେ, ଟୁର୍ଣ୍ଣାମେଣ୍ଟର ଗୁରୁତ୍ବ କମିବ । ଏହାର ପ୍ରଭାବ ପ୍ରସାରଣ ଅଧିକାର ଅର୍ଥ ଉପରେ ବି ପଡିବ । ୨୦୧୭ରେ ଇଂଲଣ୍ଡରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫି ଜିତିଥିଲା ପାକିସ୍ତାନ । ଆସନ୍ତାବର୍ଷ ଫେବ୍ରୁଆରୀ ୧୯ରୁ ମାର୍ଚ୍ଚ ୯ତାରିଖ ପର୍ଯ୍ୟନ୍ତ ଚାମ୍ପିଅନ୍ସ ଟ୍ରଫିର ପରବର୍ତ୍ତୀ ସଂସ୍କରଣ ଖେଳାଯିବାକୁ ସିଡ୍ୟୁଲ ହୋଇଛି । ତେବେ ପାକିସ୍ତାନ ହାଇବ୍ରିଡ ମଡେଲକୁ ମାନୁଛି କି ନାହିଁ ତା ଉପରେ ନଜର ରହିଛି । ସେପଟେ ଆସନ୍ତାବର୍ଷ ଭାରତରେ ହେବାକୁ ଥିବା ମହିଳା ଟି-ଟ୍ବେଣ୍ଟି ବିଶ୍ବକପରେ ପାକିସ୍ତାନ ଭାଗ ନେବ କି ନାହିଁ, ସେନେଇ ବି ନିଷ୍ପତ୍ତି ନେଇପାରେ ପିସିବି ।

Comments are closed.