ଛଳନାର ଶହେବାଙ୍କ ନଈଟିଏ ତୁମେ
ପଞ୍ଚାନନ ନାୟକ
ଜାଣେ,
ମୋର ମୃତ୍ୟୁ ଖବର ପାଇ
ତମେ ଖୁବ ଖୁସି ହେବ।
ଆକାଶକୁ ଚାହିଁ
ଦୀର୍ଘ ତମ ଦୀର୍ଘଶ୍ଵାସ ଛାଡିଦେଲାବେଳେ
ହେ ପ୍ରଭୁ, ମୁକ୍ତି ମିଳିଗଲା
ନିଶ୍ଚୟ ଭାବିବ।
ମୁଁ ମଲା ପରେ
ତମେ ଲୁହ ଝରେଇବ,
ଅଥଚ, ସେ ଲୁହରେ
ମୁଁ ନୁହେଁ, ଆଉକାହା ଛବି ଦିଶୁଥିବ।
ଅନେକ ପଚାରିବେ ତୁମକୁ
ଅକସ୍ମାତ ମୋ ମୃତ୍ୟୁର କାରଣ
ଏ ଗୁମର ମୁଁ ଏକା ଜାଣେ
ଛଳନାର ଶହେ ବାଙ୍କ ନଈଟିଏ ତୁମେ
ଚାହୁଁଚାହୁଁ ସଂଜ୍ଞାହୀନ ହେବ।
ସମସ୍ତେ ଭାବିବେ,
ତମେ ମତେ ଖୁବ ବେଶି
ଭଲପାଅ ବୋଲି,
କିଏବା ଜାଣିବ
ତମେମତେ ମାରିଦେଲ ବୋଲି?