Latest Odisha News

BREAKING NEWS

ଏବେ ସିଂଦେଓଙ୍କୁ ଲଲିପପ, ଜିତିଲେ ହଟିବେ ବଘେଲ !

ଭୁବନେଶ୍ୱର: ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ ଦିନଠାରୁ ଲାଗି ରହିଥିବା ସମସ୍ୟା କିଛି ପରିମାଣରେ ସମାଧାନ ହୋଇଛି। ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ଗୋଷ୍ଠୀକୁ ସନ୍ତୁଷ୍ଟ କରିବା ପାଇଁ ପଦକ୍ଷେପ ନେଇଛି କେନ୍ଦ୍ରୀୟ ନେତୃତ୍ୱ।

ଛତିଶଗଡ଼ରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଭାବେ ଅନ୍ୟତମ ଦାବିଦାର ଟି ଏସ ସିଂହଦେଓଙ୍କୁ ଦଳ ଉପମୁଖ୍ୟମନ୍ତ୍ରୀ କରିଛି। ବିଧାନସଭା ନିର୍ବାଚନକୁ ମାତ୍ର ଅଳ୍ପଦିନ ବାକି ଥିବାବେଳେ ଦଳ ଏଭଳି ବଡ଼ ନିଷ୍ପତ୍ତି ନେଇଛି।

ବର୍ତ୍ତମାନ ନିର୍ବାଚନ ହେବାକୁ ଥିବା ଦେଶର ୪ ପ୍ରମୁଖ ରାଜ୍ୟ ଉପରେ କଂଗ୍ରେସର ନଜର ରହିଛି। ସେଥିମଧ୍ୟରୁ ମଧ୍ୟପ୍ରଦେଶ ଓ ତେଲେଙ୍ଗାନା ଉପରେ କଂଗ୍ରେସ ଅଧିକ ଜୋର ଦେଉଥିବାବେଳେ ଏବେ ଛତିଶଗଡ଼ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ।

ତେଣୁ ସର୍ବପ୍ରଥମେ ନିର୍ବାଚନ ହେବାକୁ ଥିବା ପ୍ରମୁଖ ରାଜ୍ୟରେ ଦଳ ଭିତରେ ଥିବା ମତଭେଦକୁ ଦୂର କରି ସମସ୍ତଙ୍କୁ ଗୋଟିଏ ପ୍ଲାଟଫର୍ମକୁ ଆଣିବାକୁ ଦଳ ବଡ଼ ଯୋଜନା କରିଛି। ସେଥିପାଇଁ ଛତିଶଗଡ଼ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସର ଦିଲ୍ଲୀ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଛି।

କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀଙ୍କ ସମେତ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଓ ପ୍ରଭାରୀ କୁମାରୀ ଶୈଳଜାଙ୍କ ସମେତ ଛତିଶଗଡ଼ କଂଗ୍ରେସର ବହୁ ପ୍ରମୁଖ ନେତା ଯୋଗ ଦେଇ ଦୀର୍ଘ ସମୟ ବିଚାର ବିମର୍ଶ କରିଛନ୍ତି।

ତେଣୁ ପ୍ରାଥମିକତା ଭିତ୍ତିରେ ଆଗେ ଛତିଶଗଡ଼ରେ ଦୀର୍ଘଦିନ ଧରି କୁହୁଳୁଥିବା ଦଳୀୟ ଅସନ୍ତୋଷକୁ ଦୂର କରିବା ପାଇଁ ଏଭଳି ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଓ ଟି ଏସ ସିଂଦେଓଙ୍କ ମଧ୍ୟରେ ଅଢେଇ ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ଫର୍ମୁଲା ଛିଡିଥିଲା।

କିନ୍ତୁ ଏହା ନ ହେବାରୁ ଟି ଏସ ସିଂଦେଓ ବିରୋଧ କରିଥିଲେ। ଏପରିକି କିଛି ଦିନ ତଳେ ଅନ୍ୟ ଦଳ ତାଙ୍କୁ ଡାକୁଛନ୍ତି କିନ୍ତୁ ସେ କଂଗ୍ରେସରେ ରହିବେ ବୋଲି କହି ଛତିଶଗଡ଼ କଂଗ୍ରେସ ରାଜନୀତିରେ ପୁଣି ହଲଚଲ ସୃଷ୍ଟି କରିଥିଲେ। ତେଣୁ ଏସବୁକୁ ଦୃଷ୍ଟିରେ ରଖି ହାଇକମାଣ୍ଡ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ସେପଟେ ଛତିଶଗଡ଼ରେ ପ୍ରଥମେ ବିଧାନସଭା ଓ ପରେ ପରେ ଲୋକସଭା ନିର୍ବାଚନ ଥିବାରୁ ଉଭୟ ନିର୍ବାଚନକୁ ଆଖି ଆଗରେ ରଖି ଦଳ ରଣନୀତି ପ୍ରସ୍ତୁତ କରିଛି। ନୂଆ ଛତିଶଗଡ଼ ଗଢିବା ନାରା ସହ ରାଜ୍ୟରେ ଲୋକଙ୍କୁ କିଭଳି ସାମାଜିକ ନ୍ୟାୟ ମିଳିବ ଓ ପ୍ରଗତି ପଥରେ ଛତିଶଗଡ଼ ଆହୁରି ଆଗେଇବ ତାହା ହିଁ ଉଦେଶ୍ୟ ବୋଲି କୁହାଯାଇଛି।

ଏପରିକି ଛତିଶଗଡ଼ କଂଗ୍ରେସ ମଧ୍ୟରେ ଗୋଷ୍ଠୀ ବିବାଦକୁ ବନ୍ଦ କରି ଲୋକଙ୍କ ସ୍ୱାର୍ଥ ପାଇଁ ମିଶିକି କାର୍ଯ୍ୟ କରିବାକୁ କେନ୍ଦ୍ରୀୟ ନେତୃତ୍ୱ ଆହ୍ୱାନ ଦେଇଛନ୍ତି।ବୈଠକରେ ଛତିଶଗଡ଼ ପିସିସି ସଭାପତି ମୋହନ ମରକାମ ଓ ବରିଷ୍ଠ ନେତା ଟି ଏସ ସିଂଦେଓ ଯୋଗ ଦେଇଥିଲେ।

ସମସ୍ତେ ଏକ ହୋଇ ଲଢ଼ିବାକୁ ଆହ୍ୱାନ ଦିଆଯାଇଥିବାବେଳେ କିଭଳି କର୍ଣ୍ଣାଟକରେ ଦଳ ଏକ ହୋଇ ଲଢ଼ିବାରୁ ସଫଳ ହେଲା ସେ ଉଦାହରଣ ମଧ୍ୟ ଦିଆଯାଇଥିବା କୁହାଯାଇଛି।

ଛତିଶଗଡ଼ରେ ବିଜେପି ମଧ୍ୟ ଫୋକସ କରୁଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିଜେ ଏହାର ତଦାରଖ କରୁଛନ୍ତି। ଏପରିକି ଦୁର୍ଗ ଅଞ୍ଚଳରେ ବିଜେପି ଅଧିକ ଫୋକସ କରୁଛି। ତେଣୁ ଯେମିତି ହେଲେ ରାଜ୍ୟରେ କଂଗ୍ରେସ ଶାସନ ବଜାୟ ରଖିବାକୁ ବୈଠକରେ ଯୋଜନା ପ୍ରସ୍ତୁତ ହୋଇଥିବା କୁହାଯାଉଛି।

 

Leave A Reply

Your email address will not be published.